
କେନ୍ଦ୍ରାପଡ଼ା, ୨୧/୬ – ଜିଲ୍ଲା ପ୍ରଶାସନ ତରଫରୁ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଶ୍ୟାମଗାଡ଼ିଆ, ଇଚ୍ଛାପୁର ସ୍ଥିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ସମବାୟ,ହସ୍ତତନ୍ତ୍ର, ବୟନଶିଳ୍ପ, ହସ୍ତଶିଳ୍ପ ମାନ୍ୟବର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗ ଦେଇ ଯୋଗ ପ୍ରାଣାୟାମ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ ନାୟକ, ଜିଲ୍ଲାପାଳ ସ୍ମୃତି ରଞ୍ଜନ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ ) ନବକ୍ରିଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ସମେତ ଜନସାଧାରଣ,ସ୍କୁଲ କଲେଜ ଛାତ୍ର ଛାତ୍ରୀ ପ୍ରମୁଖ ଯୋଗରେ ଅଂଶଗ୍ରହଣ କରିଥିଲେ। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ” ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ’ ପାଇଁ ଯୋଗ ଥିମ ସହିତ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବାକୁ ଚେଷ୍ଟା କରାଯାଇଥିଲା । ଯୋଗ ପ୍ରଶିକ୍ଷକ ତଥା ଜିଲ୍ଲା କ୍ରୀଡା ଅଧିକାରୀ ଭିନ୍ନ ଭିନ୍ନ ପ୍ରକାର ଯୋଗାସନ ପ୍ରଦର୍ଶନ କରି ପ୍ରାଣାୟାମ କରାଇଥିଲେ । ଏହି ଦିବସରେ ଅତିଥିମାନେ ଯୋଗାଭ୍ୟାସର ଲାଭ ଓ ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ । ଯୋଗ ଦ୍ୱାରା ମାନସିକ ଶାନ୍ତି ସହ ଶାରୀରିକ ଓ ବୌଦ୍ଧିକ ବିକାଶ ଘଟିଥାଏ । ଏକ ନିରୋଗ ଜୀବନଯାପନ ପାଇଁ ଯୋଗ ଜରୁରୀ । ଏକ ସୁସ୍ଥ ଓ ସମୃଦ୍ଧି ରାଷ୍ଟ୍ର ଗଠନରେ ଯୋଗର ଭୂମିକା ଅତ୍ୟନ୍ତ ଜରୁରୀ ଅଟେ । ସମେତ ପ୍ରତେକ ଦିନ ଯୋଗ କରି ନିରୋଗ ରୁହନ୍ତୁ ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି । ଏହା ବ୍ୟତୀତ ଆଜିର ଏହି ଆନ୍ତର୍ଜାତୀୟ ଯୋଗ ଦିବସକୁ ସମସ୍ତ ବ୍ଲକ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର,କମୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର, ଉପକେନ୍ଦ୍ର, ବିଭିନ୍ନ ସ୍କୁଲ, କଲେଜ,ସମସ୍ତ ପୌରାଞ୍ଚଳରେ ପାଳନ କରାଯାଇଛି ।
