
କେନ୍ଦ୍ରାପଡ଼ା,୨୧ା୬:ତୃତୀୟ ଜିଲ୍ଲା ସମନ୍ୱୟ ଓ ପରିଚାଳନା କମିଟି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଶନିବାର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି ପ୍ରମୁଖ ମଂଚାସୀନ ଥିଲେ। ପ୍ରଥମେ ଗତ ବୈଠକର କାର୍ଯ୍ୟାନ୍ୱୟନ ଉପରେ ସାଂସଦ ସମୀକ୍ଷା କରିଥିଲେ। ପରେ ଚଳିତ ବୈଠକର ଏଜେଣ୍ଡା ଅନୁସାରେ ବୈଠକରେ ଆଲୋଚନା ହୋଇଥିଲା। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳ ଜୀବନ ମିଶନ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଧାନ ସଂଗ୍ରହ, ମଣ୍ଡୀ ମାନଙ୍କର ଭିତ୍ତିଭୂମିର ବିକାଶ, ସମଗ୍ର ଶିକ୍ଷା ଅଭିଯାନ, ଶୀତଳ ଭଣ୍ଡାର ପ୍ରଭୃତିି ସମ୍ପର୍କରେ ସାଂସଦ ସମୀକ୍ଷା କରିଥିଲେ। ଏହାସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆର୍ଥିକ ରାଶି ବୃଦ୍ଧି, ବିଭିନ୍ନ ପ୍ରକଳ୍ପର ବକେୟା ରାଶି ପ୍ରଦାନ, ପାନୀୟ ଜଳ, ଅସାଧୁ ଆକାରରେ ଅନବରତ ଭାବେ ନଦୀରୁ ବାଲି ଉଠାଣ ବିରୋଧରେ ଚଢାଉ ନିମନ୍ତେ ନିର୍ବାଚିତ ପ୍ରତିନିଧିମାନେ ଦୁଷ୍ଟି ଆକର୍ଷଣ କରିଥିଲେ। ଏହାଛଡା ସଦସ୍ୟମାନେ ନିର୍ମାଣାଧିନ ଜାତୀୟ ରାଜପଥରେ ଡ୍ରେନେଜ ବ୍ୟବସ୍ଥାକୁ ନେଇ ଦୁଷ୍ଟି ଆକର୍ଷଣ କରିଥିଲେ। ବୈଠକରେ ସମସ୍ତ ବ୍ଲକର ନିର୍ବାଚିତ ପ୍ରତିନିଧି, ଜିଲ୍ଲାସ୍ତରୀୟ ଅଧିକାରୀ, ବିଡ଼ିଓ ଓ ତହସିଲଦାର ମାନେ ଉପସ୍ଥିତ ଥିଲେ। ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିି ଉପରେ ବିଭାଗୀୟ ଅଧିକାରୀ ମାନେ କିପରି ସଠିକ ଭାବେ କାର୍ଯ୍ୟ କରିବେ ସେଥିନିମନ୍ତେ ସାଂସଦ ଜିଲ୍ଲାପାଳଙ୍କୁ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
