- କୁମ୍ଭୀର ଆତଙ୍କରେ ଥରହର ଧୋୟାଂଚଳ ବାସୀ
- ବାହ୍ୟଜଗତରୁ ବିଚ୍ଛିନ ଅନେକ ଗାଁ

ପଟ୍ଟାମୁଣ୍ଡାଇ ୧୬/୭– ବାରମ୍ବାର ଲଘୁଚାପ ଜନିତ ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଯୋଗୁଁ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଜଳସ୍ତର ବଢିବାରେ ଲାଗିଛି । ଅଳଭାଠାରେ ବ୍ରାହ୍ମଣୀ ବିପଦସଂକେତ ଉପରେ ବହୁଛି। ପୂର୍ବ ମାପ ଅନୁଶାରେ ବିପଦସଙ୍କେତ ୧୬ ଫୁଟ୍ ଥିବା ବେଳେ ଏବେ ଜଳସ୍ତର ୧୭ .୫ ଫୁଟ୍ ରହିଛି। ବନ୍ୟାରେ ସମଗ୍ର ଧୋୟାଙ୍ଘମଳ ବୁଡ଼ି ରହିଛି। ପଟ୍ଟାମୁଣ୍ଡାଇ ବ୍ଲକ୍ର ୧୦ ପଂଚାୟତ ଓ ପୌରାଂଚଳର ୧୧ଟି ୱାର୍ଡର ପ୍ରାୟ ୭୦ ହଜାର ଲୋକ ଜଳବନ୍ଦି ଅବସ୍ଥାରେ ଅଛନ୍ତି। ସିଂହଗାଁ ପଂଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଅଳପୁଆ ପଂଚାୟତ ସୁବଳପୁର ସ୍ପରରୁ ପଥର ଖସୁଥିବାରୁ ଲୋକେ ଚିନ୍ତାରେ ଅଛନ୍ତି । ମାଲିପୁର-ଡାମରପୁର ରାସ୍ତାରେ ପାଣି ଜମିଥିବାରୁ ଯାତାୟତର ଅସୁବିଧା ସୃଷ୍ଠି କରୁଛି । ବନ୍ୟା ବିପନ୍ନ ଅଂଚଳରେ କୁମ୍ଭୀର ଦେଖାଯାଉଥିବା ଖବର ଜଣାପଡିବା ପରେ ଲୋକମାନଙ୍କ ମଧ୍ୟରେ ଘୋର ଭୟର ବାତାବରଣ ସୃଷ୍ଟି ହୋଇଛି ।

ଗତ ୭/୮ଦିନ ହେବ ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅପରିବର୍ତିତ ରହି ମଙ୍ଗଳବାର ରାତିରୁ ବନ୍ୟା ଜଳ ଧୀରେ ଧୀରେ ବୃଦ୍ଧି ପାଉଛି । ଉପରମୁଣ୍ଡରେ ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଯୋଗୁଁ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ପାଣି ବଢିବାରେ ଲାଗିଛି ।ପୂର୍ବ ମାପ ଅନୁଶାରେ ଅଳଭାଠାରେ ବ୍ରାହ୍ମଣୀ ବିପଦସଂକେତ ଉପରେ ବହୁଛି। ପୂର୍ବରୁ ବିପଦ ସଙ୍କେତ ୧୬ ଫୁଟ୍ ଥିବା ବେଳେ ଏବେ ରାସ୍ତା ଉଚ୍ଚତା ବଢିଛି । ମାତ୍ର ବିପଦ ସଂକେତ ସ୍ତର ଚିହ୍ନଟ ହୋଇନାହିଁ ବୋଲି ଜଣାପଡିଛି । ହେଲେ ବୁଧବାର ଜଳସ୍ତର ୧୭ .୫ ଫୁଟ୍ ଉପରେ ଚାଲିଛିା କାଣୀ ଓ ବ୍ରାହ୍ମଣୀରେ ବନ୍ୟା ଆସିବା ଯୋଗୁଁ ସିଂହଗାଁ ପଂଚାୟତର କୃଷ୍ଣଦାସପୁର, ସାନରାଉଳିଆ, ବଡରାଉଳିଆ ଓ ସିଂହଗାଁ, ପାଣିସାଉଁଳିଆ ଗ୍ରାମ ପାଣିଘେରରେ ରହି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ସେହିପରି ଅଳପୁଆ, ତରଡ଼ିପାଳ, ପେଣ୍ଠପାଳ. ଅଣ୍ଢରା, ଅମୃତମଣୋହି, ବଲୁରିଆ, ଶ୍ରୀରାମପୁର, ଡାମରପୁର, ନୀଳକଣ୍ଠପୁର, ବାଲିପାଟଣା, ବାଛରା, ବଳଭଦ୍ରପୁର ଶାସନ ଆଦି ପଂଚାୟତର ବିଭିନ୍ନ ଗ୍ରାମରେ ବନ୍ୟା ଜଳ ବଢିବାରେ ଲାଗିଛି । ଏହି ଅଂଚଳରେ ଶହ ଶହ ଏକର ଚାଷଜମିରେ ବନ୍ୟା ପାଣିରେ ବୁଡ଼ି ରହିଛି। ବିଭିନ୍ନ ସ୍କୁଲ ଓ କଲେଜରେ ପାଣି ପଶିଥିବା ସୂଚନା ମିଳିଛି। ସେହିପରି ମାଳିପୁର-ଡାମରପୁର ମୁଖ୍ୟ ରାସ୍ତା ବନ୍ୟା ପାଣିରେ ବୁଡି ଯାଇଥିବାରୁ ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର ପଂଚାୟତର ଅନେକ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଛି । ପୌରାଂଚଳର ବାଲିପଡ଼ା, କଷଣଅଂଟା, ତଳବାଲିପଡ଼ା, ସିଦ୍ଧପାଟଣା, ବଳଦେବନଗର, ତନୁପୁର, ନନ୍ଦିନୀନଗର, କାକୁଡିପଲ୍ଲୀ, ନୂଆଗାଁ, ଷଣ୍ଢପଲ୍ଲୀ ଆଦି ଗ୍ରାମରେ ବନ୍ୟା ଜଳ ପ୍ରବେଶ କରିଛି । ପଟ୍ଟାମୁଣ୍ଡାଇ-ତନୁପୁର ରାସ୍ତା ବଙ୍ଗାଳିଦିଆ ଗଡା ନିକଟରେ ଜଙ୍ଘେ ଉପରେ ପାଣି ଚାଲିଛି । ସେଥିନେଇ ବାଲିପାଟଣା ପଂଚାୟତ ବିଭିନ୍ନ ଗ୍ରାମ ସମେତ ତନୁପୁର ଲୋକଙ୍କୁ ଯାତାୟତରେ ଘୋର ଅସୁବିଧା ହେଉଛି । ଏହି ଅଂଚଳର ଚାଷ ଜମିରେ ବନ୍ୟା ଜଳ ମାଡି ଯିବା ଫଳରେ ବିଭିନ୍ନ ଫସଲ ପାଣିରେ ବୁଡି ଯାଇଛି । ବହୁ ପରିଶ୍ରମ କରି ଫସଲ କରୁଥିବା ଚାଷୀମାନେ ବ୍ୟାପକ ଫସଲ ହାନୀ ଆଶଙ୍କାରେ ଚିନ୍ତିତ ହୋଇପଡିଛନ୍ତି । ବନ୍ୟା ଜଳ ଧୀରେ ଧୀରେ ବୃଦ୍ଧି ପାଉଛି । ଗୃହପାଳିତ ପଶୁମାନେ ଚରିବାକୁ ଯାଇ ନପାରି ଅସୁବିଧାରେ ଅଛନ୍ତି ।

କେନ୍ଦ୍ରାପଡ଼ା ଜଳସଂପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଉମେଶ ସେଠୀ, ପଟ୍ଟାମୁଣ୍ଡାଇ ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶିଷ ସ୍ୱାଇଁ ଓ ସହକାରୀଯନ୍ତ୍ରୀ ମନୋରଂଜନ ସାହୁ ଉତିକଣ ଘେରିବନ୍ଧ ସହ ଡାମରପୁର ଘେରି ବନ୍ଧ ପରିଦର୍ଶନ କରି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଦୁର୍ବଳ ସ୍ଥାନ ଗୁଡିକରେ ବାଲିବସ୍ତା ସହ ସଜାଗ ରହିବାକୁ ପଟ୍ଟାମୁଣ୍ଡାଇ ଜଳସଂପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।ପଟ୍ଟାମୁଣ୍ଡାଇ ବିଡିଓ ଅଶୋକ ମହାନ୍ତି ,ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ଅନ୍ୟବ୍ଲକ କର୍ମଚାରୀ ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଂଚଳ ବୁଲି ସ୍ଥିତି ତନଖି କରିଛନ୍ତିା

