ପଟ୍ଟାମୁଣ୍ଡାଇ ପୌରପରିଷଦରେ ୩୮ ତମ ସ୍ୱାୟତ ଶାସନ ଦିବସ ପାଳିତ
ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ

ପଟ୍ଟାମୁଣ୍ଡାଇ୩୧/୮-କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପରିଷଦ ଆନୁକୂଲ୍ୟରେ ୩୮ ତମ ସ୍ୱାୟତ ଶାସନ ଦିବସ ସୋମବାର ଦିନ ମ୍ୟୁନିସପାଲଟି ପ୍ରେକ୍ଷାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ପୌର ଅଧ୍ୟକ୍ଷ ହେମନ୍ତ ସାହୁଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବାହ୍ନ ଓ ଅପରାହ୍ନ ଦୁଇଟି ପୃଥକ ଅଧିବେଶନରେ ବିଭିନ୍ନ ଜନକଲ୍ୟାଣକାରୀ ଓ ଉନ୍ନୟନମୂଳକ କାର୍ଯ୍ୟ ସମ୍ପାଦିତ ହୋଇଥିଲା। ପ୍ରଥମ ଅଧିବେଶନରେ ପ୍ରାତଃ ସମୟରେ ରାମଧୂନ୍ ଗାନ କରାଯିବା ସହ ସହରର ବିଭିନ୍ନ ଛକରେ ସ୍ଥାପିତ ମହାପୁରୁଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ପୌରପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣରେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ। ଏହି ଅବସରରେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଫଳ ବଂଟନ କରାଯାଇଥିବା ବେଳେ ପୌରସଭା ଗୃହରେ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇଥିଲା। ସାମ୍ପ୍ରତିକ ସମୟରେ ପୌରାଂଚଳର ୧୧ଟି ୱାର୍ଡରେ ବନ୍ୟାଜଳ ରହିଥିବାରୁ, ପୌରପରିଷଦ ପକ୍ଷରୁ ସମ୍ବେଦନଶୀଳତା ଦେଖାଇ ଆଡ଼ମ୍ବରପୂର୍ଣ୍ଣ ଆୟୋଜନକୁ ଏଡ଼ାଇ ଅତି ନିରାଡ଼ମ୍ବର ଭାବେ ରାଜନଗର ବିଧାୟକ ସାହୁ ଓ କେନ୍ଦ୍ରାପଡା ଜିଲାପାଳ ରଘୂରାମ ଆର ଆୟାର ଯୋଗ ଦେଇ କ୍ୟାମ୍ପସ ମଧ୍ୟରେ ହିଁ ପ୍ରକଳ୍ପଗୁଡ଼ିକର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ପଟ୍ଟାମୁଣ୍ଡାଇ ସହରର ସୁରକ୍ଷା ପାଇଁ ସିସିଟିଭି ପ୍ରକଳ୍ପ ଏବଂ ମାଟିଆ ଠାରେ ଥିବା ମଳ ନିଷ୍କାସନ କେନ୍ଦ୍ରର ପ୍ରଶାସନିକ ଗୃହର ଶୁଭ ଉଦ୍ଘାଟନ ହୋଇଥିଲା। ପରେ ୧ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ “ଅଳଭା ଗଣ୍ଡ’ର ପୁନରୁଦ୍ଧାର ଏବଂ ୪ କୋଟି ୭୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏମ.ଏନ. ହାଇସ୍କୁଲ ନିକଟସ୍ଥ ଇଣ୍ଡୋର ଷ୍ଟାଡିୟମ୍ ନିକଟ ଗୋବରୀ ନଦୀର ପୁନରୁଦ୍ଧାର ସହ ଏକ ଆକର୍ଷଣୀୟ ପିକ୍ନିକ୍ ସ୍ପଟ୍ ନିର୍ମାଣ ପାଇଁ ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଦ୍ୱିତୀୟ ଅଧିବେଶନ ପୂର୍ବାହ୍ନ ୧୧ ଟାରେ ଅଧ୍ୟକ୍ଷ ସାହୁଙ୍କ ପୌରୋହିତ୍ୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟକ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମଂଚକୁ ଉଦ୍ଘାଟନ କରିଥିଲେ। ନିଜର ବକ୍ତବ୍ୟରେ ମୁଖ୍ୟ ଅତିଥି ସ୍ୱାୟତ ଶାସନ ଦିବସର ଆଭିମୁଖ୍ୟ ଓ ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, “ସ୍ୱାୟତ ଶାସନ ହେଉଛି ଲୋକମାନଙ୍କର ଓ ଲୋକମାନଙ୍କ ଦ୍ୱାରା ଶାସନ। ସହରର ସାର୍ବଙ୍ଗୀନ ଉନ୍ନତି ପାଇଁ ଯାହା ବି ଖସଡ଼ା ପ୍ରସ୍ତୁତ ହୁଏ, ତାହା ଲୋକଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ ହିଁ ସୁଚାରୁ ରୂପେ ସମ୍ପାଦନ କରିଥାନ୍ତି। ସେହିପରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋକପାତ କରି କହିଥିଲେ ଯେ, ପଟ୍ଟାମୁଣ୍ଡାଇ ହେଉଛି ବିଶ୍ୱପ୍ରସିଦ୍ଧ ଭିତରକନିକାର ପ୍ରବେଶ ଦ୍ୱାର। ଏହି ବାଟ ଦେଇ ଦେଶ ଓ ବିଦେଶର ବହୁ ପର୍ଯ୍ୟଟକ ଯାତାୟାତ କରିଥାନ୍ତି। ବିଗତ ବର୍ଷଗୁଡ଼ିକରେ ପଟ୍ଟାମୁଣ୍ଡାଇର ଅନେକ ବିକାଶ ଓ ଉନ୍ନତି ହୋଇଛି । ମାତ୍ର ଗତ ଅଢ଼େଇ ବର୍ଷ ହେବ ଯେଉଁ ସବୁ ବିକାଶମୂଳକ କାର୍ଯ୍ୟ ହେବା କଥା, ସେଥିରେ ଆଶାନୁରୂପ ଅଗ୍ରଗତି ହେଉନାହିଁ ବୋଲି ସେ ମତପ୍ରକାଶ କରିଥିଲେ। ଏହା ସହିତ ସଭାରେ ପୌର ଅଧ୍ୟକ୍ଷ ସାହୁ ବିଗତ ୫ ବର୍ଷ ମଧ୍ୟରେ ସହରରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ବିବରଣୀ ଉପସ୍ଥାପନ କରିଥିଲେ। ସେ ନିଜର ବକ୍ତବ୍ୟ ରଖି ଭାବବିହ୍ୱଳ ହୋଇପଡ଼ିଥିଲେ। ଗତ ୩୮ ବର୍ଷ ମଧ୍ୟରେ ଯେଉଁ ସବୁ ଜନକଲ୍ୟାଣକାରୀ କାମ ହୋଇପାରି ନଥିଲା, ତାହା କେବଳ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପା ଏବଂ ସମସ୍ତଙ୍କ ସହଯୋଗ ଯୋଗୁଁ ମୋର ୧୦ ବର୍ଷ ଅଧ୍ୟକ୍ଷ ରହିବା କାଳରେ ସଫଳତାର ସହ ସମ୍ଭବ ହୋଇପାରିଛି ବୋଲି ସେ ପ୍ରକାଶ କରିଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ରଂଜନ ଦାଶ ବିବରଣୀ ପଠନ କରିଥିଲେ। ଏହି ଅବସରରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମୁଖ୍ୟ ଅତିଥିଙ୍କ ଦ୍ୱାରା ପୌରକର୍ମଚାରୀ ଓ କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୌରପରିଷଦର ସମସ୍ତ କାଉନସିଲର, ବିଭାଗୀୟ କର୍ମଚାରୀ ଓ ଅଂଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
