ପଟ୍ଟାମୁଣ୍ଡାଇରେ ଶାରଦୀୟ ଦୂର୍ଗାପୂଜା, ସ୍ୱତନ୍ତ୍ର ପରମ୍ପରା କନକ ଅଞ୍ଜୁଳି, ଝୁଣା ପୋଡ଼ିର ଅଲୌକିକ ବିଧି

ମଣ୍ଡପରେ ଶୋଭା ପାଉଛନ୍ତି ୨୬ମେଢ଼
ଆକର୍ଷଣୀୟ ସାଜସଜ୍ଜା, ତୋରଣ ଓ ଆଲୋକମାଳାରେ ଝଲସୁଛି ସହର


ପଟ୍ଟାମୁଣ୍ଡାଇ ୨୭.୯ – କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ଅଂଚଳର ଅନନ୍ୟ ଗଣପର୍ବ ଶାରଦୀୟ ଦୂର୍ଗା ପୂଜା ପାଇଁ ସମଗ୍ର ଅଂଚଳ ଉତ୍ସବ ମୁଖର ହୋଇପଡିଛି । ମହାଳୟା ଠାରୁ ମା’ଙ୍କ ମୃଣ୍ମୟ ମୂର୍ତିରେ ଖଡି ଚଢା ହେଇ ଗତ ୧୧ତାରିଖ ଠାରୁ ଶକ୍ତିପୀଠରେ ନବରାତ୍ରୀ ଆରମ୍ଭ ହୋଇଯାଇଛି । ଶନିବାର ବିଭିନ୍ନ ଶକ୍ତିପୀଠରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ସାର୍ବଜନୀନ ପୂଜା ମଣ୍ଡପଗୁଡ଼ିକରେ ମା’ଙ୍କର ମହାଷଷ୍ଠୀ ପୂଜା ଓ ବିଲ୍ୱାଧିବାସ କରାଯାଉଛି । ମାଆଙ୍କ ଆଗମନକୁ ନେଇ ମହାଷଷ୍ଠୀପୁଜାରେ ମାଆଙ୍କୁ ବୋଧନ, ଆମନ୍ତ୍ରଣ ଓ ଅଧିବାସ ଭଳି ରୀତିନୀତି ସମ୍ପନ୍ନ କରାଯାଇଛି । ଭକ୍ତି, ଆସ୍ଥା ଓ ପରମ୍ପରାର ମିଳନରେ ଶାରଦୀୟ ଦୁର୍ଗାପୂଜାର ମହାପର୍ବ ଆରମ୍ଭ ହେଉଛି । ମାଆଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ପଟ୍ଟାମୁଣ୍ଡାଇର ଦୁର୍ଗାପୂଜା କେବଳ ଏକ ଧର୍ମୀୟ ଅନୁଷ୍ଠାନ ନୁହେଁ, ବରଂ ଏହା ଏକ ବିଶାଳ ଗଣପର୍ବ , ଜାତି, ଧର୍ମ ନିର୍ବିଶେଷରେ ସମସ୍ତେ ଏହି ପର୍ବରେ ଏକାଠି ହୋଇ ଆନନ୍ଦ ଉପଭୋଗ କରନ୍ତି । ଯାହା ଏଠାକାର ସାମାଜିକ ଏକତା ଓ ଭାଇଚାରାର ଏକ ମହାନ ଉଦାହରଣ ରହିଛି ବୋଲି ପୁରୁଖା ଲୋକେ କୁହନ୍ତି ।


ଚଳିତ ବର୍ଷ ପଟ୍ଟାମୁଣ୍ଡାଇ ବଣିକ ସଂଘ, ସ୍ଥାନୀୟ ପ୍ରଶାସନ ଓ ବିଭିନ୍ନ ପୂଜା କମିଟିର ମିଳିତ ସହଯୋଗରେ ଉତ୍ସବକୁ ଶାନ୍ତିପୂର୍ଣ୍ଣ ଓ ଆକର୍ଷଣୀୟ କରିବାକୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ବଙ୍ଗାଳୀ ଦୁର୍ଗା, କଚେରୀ ଦୁର୍ଗା, ପୋଖରୀଆପଡା ଦୁର୍ଗା, ବନଦୁର୍ଗା, ମା’ ଗାୟତ୍ରୀ, ମା’ ସନ୍ତୋଷୀ, ମା ଶାରଳା, ମା’ ଅନ୍ନପୂର୍ଣ୍ଣା, ମହାବୀର, ଲକ୍ଷ୍ମୀନାରାୟଣ, ଗୃହଲକ୍ଷ୍ମୀ, ରାମଅଭିଷେକ, ନିତାଇଗୌର, ହରଗୌରୀ, ଲକ୍ଷ୍ମୀବରାହ, ଦଶ ଅବତାର, ହରିହର ଭେଟ, ନୀଳମାଧବ, ସୂର୍ଯ୍ୟଦେବତା, ନୃସିଂହନାଥ, କୃଷ୍ଣ ବଳରାମ, ପଂଚମୁଖୀ ହନୁମାନ, ବାଳ ହନୁମାନ, ଶିବପାର୍ବତୀ, ବନଦୂର୍ଗା ରାଧାକୃଷ୍ଣ, ଗଙ୍ଗାମାତା ଆଦି ୨୬ଟି ମେଢ଼ ପୂଜା ଉତ୍ସବର ଶୋଭା ମଣ୍ଡନ କରିଛନ୍ତି ।


ପଟ୍ଟାମୁଣ୍ଡାଇ ବଙ୍ଗାଳୀସାହି ଦୁର୍ଗାପୂଜାରେ ନିଆରା ପରମ୍ପରା ଦେଖିବାକୁ ମିଳେ। ଏଠାରେ ତର୍ପଣ, ୯ଟି ବୃକ୍ଷ ପୂଜା, କାଳପ୍ରାରମ୍ଭ, କୁମାରୀ ପୂଜା ଓ ସିନ୍ଦୂରଖେଳ ଭଳି ୫ଟି ମୁଖ୍ୟ ବିଧି ପାଳିତ ହୁଏ। ସ୍ଥାନୀୟ ମହିଳାମାନେ ଦେବୀ ଦୁର୍ଗାଙ୍କୁ ନିଜ କନ୍ୟା ରୂପରେ ବିଚାର କରନ୍ତି। ବର୍ଷକେ ଥରେ ଝିଅ ବାପଘରକୁ ଆସିବା ଭଳି ମା’ ଧରାପୃଷ୍ଠକୁ ଅବତରଣ କରନ୍ତି। ନବମୀରେ କୁମାରୀ କନ୍ୟା ପୂଜା ଏବଂ ଦଶମୀରେ ଅପରାଜିତା ପୂଜା ପରେ ସିନ୍ଦୂର ଖେଳ ହୁଏ। ବିସର୍ଜନ ସମୟରେ ଝିଅକୁ ଶାଶୂଘରକୁ ବିଦାୟ ଦେଲା ଭଳି ଅଶ୍ରୁଳ ପରିବେଶ ମଧ୍ୟରେ ମା’ଙ୍କ କାନିରେ ‘କନକ ଅଞ୍ଜୁଳି’ ବାନ୍ଧି ବିଦାୟ ଦିଆଯାଏ।


ଅପରପକ୍ଷରେ, ନୀଳକଣ୍ଠପୁର ପୂଜାମଣ୍ଡପରେ ଏକ ଅଲୌକିକ ବିଶ୍ୱାସ ଓ ପରମ୍ପରା ଦେଖିବାକୁ ମିଳେ। ନବମୀ ତିଥିରେ ମାନସିକଧାରୀ ଭକ୍ତମାନେ ନିର୍ଜଳା ବ୍ରତ ରଖି ଓଦା କମ୍ବଳ ଘୋଡ଼େଇ ମୁଣ୍ଡ ଉପରେ ନିଆଁ ପଲମ ରଖି ଝୁଣା ଜାଳିଥାନ୍ତି। ଏହିଭଳି ଝୁଣା ପୋଡ଼ିବା ଦ୍ୱାରା ସାତ ଜନ୍ମର ପାପ କ୍ଷୟ ହୋଇ ସମସ୍ତ ମନସ୍କାମନା ପୂରଣ ହୁଏ ବୋଲି ଶ୍ରଦ୍ଧାଳୁଙ୍କର ଗଭୀର ବିଶ୍ୱାସ ରହିଛି। କଡ଼ା ସୁରକ୍ଷା ଓ ଗ୍ରାମାଂଚଳରେ ଉତ୍ସବର ମାହୋଲ ପୂଜାକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପାଦନ କରିବା ପାଇଁ ପଟ୍ଟାମୁଣ୍ଡାଇ ଏସଡିପିଓ ସୁକାନ୍ତ ପାତ୍ର ଏବଂ ଆଦର୍ଶ ଥାନା ଆଇଆଇସି ମାନସ ମଲ୍ଲିକଙ୍କ ନେତୃତ୍ୱରେ ପୋଲିସ ବାହିନୀ ପକ୍ଷରୁ କଡ଼ା ପଇଁତରା ଓ ଆଇନଶୃଙ୍ଖଳା ଉପରେ କଡ଼ା ନଜର ରଖାଯାଇଛି।

ସହର ସମେତ ଅଳପୁଆ, ତରଡ଼ିପାଳ, ଅମୃତମଣୋହି, ନୀଳକଣ୍ଠପୁର, ମାଳିପୁର, ବଡ଼ପଡ଼ା ଓ ମଦନପୁର ଆଦି ଗ୍ରାମାଂଚଳରେ ମଧ୍ୟ ଶାରଦୀୟ ଦୁର୍ଗୋତ୍ସବର କୋଳାହଳ ଓ ଆନନ୍ଦମୟ ପରିବେଶ ସୃଷ୍ଟି ହୋଇଛି।

Leave a Reply

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading