
କେନ୍ଦ୍ରାପଡା,୧ା୪: କେନ୍ଦ୍ରାପଡାର ପ୍ରମୁଖ ପ୍ରସଙ୍ଗ କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ପ୍ରତିବାଦରେ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଆସନ୍ତା ଏପ୍ରିଲ୍ ୧୬ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ପ୍ରେସ୍ ବିବୃତି ଜାରି କରି କହିଛନ୍ତି ଯେ କେନ୍ଦ୍ରାପଡା ପ୍ରତି ଅବହେଳା ଆଦୌ ବରଦାସ୍ତ କରାଯିବ ନାହିଁ । କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ରାପଡାବାସୀ ଦୀର୍ଘ ଦିନ ଦୈନିକ ଦାବି ନୁହେଁ ଆନ୍ଦୋଳନ କରିଆସୁଛନ୍ତି । ସେ ମଧ୍ୟ ବିଧାନସଭାର ତିନୋଟି ଅଧିବେଶନରେ ପାଞ୍ଚଥର ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ ଉଠାଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ଗୃହରେ ପ୍ରତିଶୃତି ଦେଇଛନ୍ତି ଯେ ସରକାର ସମସ୍ତ ୩୦ଟି ଜିଲ୍ଲରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ଏବଂ କେନ୍ଦ୍ରାପଡା ନିଶ୍ଚିତ ଭାବରେ ଉପକୃତ ହେବ, କିନ୍ତୁ ସରକାର ଇତି ମଧ୍ୟରେ ଅତିରିକ୍ତ ତିନିଗୋଟି ମେଡିକାଲ କଲେଜ ଜଗତସିଂହପୁର, ଢେଙ୍କାନାଳ ଓ ଭଦ୍ରକ ଠାରେ ପ୍ରତିଷ୍ଠା କରିବାର ନିଷ୍ପତ୍ତି କରିଛନ୍ତି । ମାତ୍ର କେନ୍ଦ୍ରାପଡା ଦୃଷ୍ଟି ଆଢୁଆଳରେ ରହିଥିଲା । ଫଳତଃ କେନ୍ଦ୍ରାପଡାବାସୀ ସମ୍ପୂର୍ଣ୍ଣ ନିରାଶ ହୋଇଛନ୍ତି ଓ ସମଗ୍ର ଜିଲ୍ଲାରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନ୍ୟ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ ଆମେ ବିରୋଧ କରୁନାହୁଁ । କିନ୍ତୁ କେନ୍ଦ୍ରାପଡାକୁ ଉପେକ୍ଷା କରିବା ଅତ୍ୟନ୍ତ ଆପତ୍ତିଜନକ । ଏହା କେନ୍ଦ୍ରାପଡା ପ୍ରତି ଘୋର ଅବିଚାର । କେନ୍ଦ୍ରାପଡା ଅସ୍ମିତା ପ୍ରତି ମଧ୍ୟ ବଡ ଆହ୍ୱାନ ।

ସୁତରାଂ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ କେନ୍ଦ୍ରାପଡା ସ୍ୱାର୍ଥ ଓ ସ୍ୱାଭିମାନର ସୁରକ୍ଷା ସହ କେନ୍ଦ୍ରାପଡା ପ୍ରତି ଅବହେଳା ପ୍ରତିବାଦରେ ରାଜ୍ୟ ସରକାରଙ୍କ ଉଦାସୀନତା ବିରୋଧରେ ଆସନ୍ତା ଏପ୍ରିଲ୍ ୧୬ରେ ବିରାଟ ଜନ ଆନ୍ଦୋଳନ କରିବ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ । ଏହି ଆନ୍ଦୋଳନରେ କେନ୍ଦ୍ରାପଡାର ସମସ୍ତ ଜନସସାଧାରଣ, ନାଗରିକ ସମାଜ ଓ ସମଭାବନାପନ୍ନ ରାଜନୈତିକ ସଂଗଠନ ଆବୃତ ଚିତ୍ତରେ ସାମିଲ୍ ହେବାକୁ ଶ୍ରୀ ବେହେରା ନିବେଦନ କରିଛନ୍ତି । ଗରାପୁର ରାଜୀବ କେନ୍ଦ୍ରଠାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସଭାପତି ଧିରେନ ସାହୁ, ବ୍ଲକ ସଭାପତି ଆଲୋକ ସାହୁ, ନଗର ସଭାପତି ଯଯାତି ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଲିଲିତା ଦାସ, ପୌରାଧ୍ୟକ୍ଷା ସରିତା ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, କେନ୍ଦ୍ରାପଡା ବ୍ଲକ ଉପାଧ୍ୟକ୍ଷ ପ୍ରତାପ ମହାପାତ୍ର, ଯୁବ ବିଜେଡି ସଭାପତି ସଙ୍ଗମ ସାମଲ, ସଂଖ୍ୟାଲଘୁ ଜିଲ୍ଲା ଅଧ୍ୟକ୍ଷ ସେକ୍ ଚନ୍ଦନ, ମୁକ୍ତାର ଖାଁ, ନାରାୟଣ ପଣ୍ଡା, ସୁମିତ୍ରା ପାଢୀ, ଲୋପାମୁଦ୍ରା ବାରିକ ପ୍ରମୁଖଙ୍କ ଉପସ୍ଥିତିରେ ପ୍ରସ୍ତୁତ ବୈଠକରେ ଏହି ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।
