
ପଟ୍ଟାମୁଣ୍ଡାଇ ୧୧/୧୧ – ପଟ୍ଟାମୁଣ୍ଡାଇ ବ୍ଲକରେ ଥିବା ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଶିକ୍ଷକ ଅଭାବରୁ ବହୁ ସ୍କୁଲରେ ଶିକ୍ଷାଦାନ ବ୍ୟାହତ ହୋଇପଡିଛି । ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ଅଂଚଳବାସୀ ବାରମ୍ବାର ଦୌଡ଼ି ନିରାଶ ହେବା ପରେ ମଙ୍ଗଳବାର ପଟ୍ଟାମୁଣ୍ଡାଇ ବ୍ଲକର ୩ଟି ସ୍କୁଲରେ ତାଲା ପଡିଛି । ଛାତ୍ରୀଛାତ୍ର ଅଭିଭାବକ ମାନେ ରାସ୍ତାରେ ବସି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।
ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ପଂଚାୟତ ବାଲିପାଟଣା ନୋଡାଲ ଉପ୍ରା ବିଦ୍ୟାଳୟରେ ୧ମରୁ ୮ମ ପର୍ଯ୍ୟନ୍ତ ୮ଟି ଶ୍ରେଣୀରେ ପ୍ରାୟ ୧୫୦ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି । ୮ଟି ଶ୍ରେଣୀ ପାଇଁ ୮ ଜଣ ଶିକ୍ଷକ ଆବଶ୍ୟକ ଥିବାବେଳେ ମାତ୍ର ୬ ଜଣ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ଫଳରେ ଶିକ୍ଷା ଦାନ ଗୁରୁତର ଭାବେ ବ୍ୟାହତ ହୋଇଛି । ତେବେ ଏହି ସ୍କୁଲରେ ନିଯୁକ୍ତି ପାଇଥିବା ୬ ଜଣ ମଧ୍ୟରୁ ୨ ଜଣ ଶିକ୍ଷକ ୨୦୨୫ ଡିସେମ୍ବର ଓ ୨୦୨୬ ଏପ୍ରିଲରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ଓଡିଶା ଗଣଶିକ୍ଷା ବିଭାଗର ନିୟମ ଅନୁଯାୟୀ ୬ ମାସ ମଧ୍ୟରେ ଅବସ ନେବାକୁ ଥିବା ଶିକ୍ଷକଙ୍କୁ ସ୍କୁଲରେ ନିଯୁକ୍ତ ତାଲିକାରେ ଗଣାଯାଇପାରିବ ନାହିଁ କିନ୍ତୁ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା ବିଭାଗ ଏହି ସ୍କୁଲର ଜଣେ ଶିକ୍ଷକଙ୍କୁ ବଳକା ଶିକ୍ଷକ ଦର୍ଶାଇ ବଦଳି କରିଛନ୍ତି । ଯାହା ସରକାରଙ୍କ ଗଣ ଶିକ୍ଷା ବିଭାଗ ନିୟମ ବିରୋଧୀ ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି । ଏହି ସ୍କୁଲରେ ଆବଶ୍ୟକ ଶିକ୍ଷକ ଅଭାବରୁ ଶିକ୍ଷାଦାନ ବ୍ୟାହତ ହୋଇଛି । ଫଳରେ ଏହି ସ୍କୁଲରେ ପାଠ ପଢୁଥିବା ୧୫୦ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ୍ ଅନିଶ୍ଚିତ ହୋଇପଡିଛି । ବଳଭଦ୍ରପୁର ପଂଚାୟତବାସୀ ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀ ଓ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଫଳରେ ଆବଶ୍ୟକ ଶିକ୍ଷକ ଦାବୀ କରି ଛାତ୍ର ଅଭିଭାବକ ମାନେ ମଙ୍ଗଳବାର ବାଲିପାଟଣା ନୋଡାଲ ଉପ୍ରା ସ୍କୁଲରେ ତାଲା ପକାଇ ଦେଇଥିଲେ । ସେହିପରି ବଳଭଦ୍ର ପୁର ପଂଚାୟତ ଅନ୍ତର୍ଗତ ଅଲେଖପୁର ପ୍ରାଥମିକ ବିଦ୍ୟାଳୟରେ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୫ଟି ଶ୍ରେଣୀ ରହିଛି । ୫ଟି ଶ୍ରେଣୀରେ ଛାତ୍ରୀଛାତ୍ରଙ୍କୁ ପଢାଇବା ପାଇଁ ୧ଜଣ ଶିକ୍ଷକ ନିଯୁକ୍ତି ଦିଆଯାଇଛି । ଆବଶ୍ୟକ ଶିକ୍ଷକ ଅଭାବରୁ ଶିକ୍ଷା ଦାନ ବ୍ୟାହତ ହୋଇପଡିଛି । ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବିରେ ଆଜି ଛାତ୍ର ଅଭିଭାବକମାନେ ସ୍କୁଲରେ ତାଲା ପକାଇ ଦେଇଥିଲେ । ମାତ୍ର ବୁଝାସୁଝା ପରେ ତାଲା ଖୋଲାଯାଇଛି । ସେହିପରି ଚନ୍ଦନନଗର ପଂଚାୟତ ପଟଣା ନୋଡାଲ ଉପ୍ରା ସ୍କୁଲରେ ଆବଶ୍ୟକ ଶିକ୍ଷକ ଅଭାବରୁ ଶିକ୍ଷାଦାନ ବ୍ୟାହତ ହୋଇପଡିଛି । ଏହି ସ୍କୁଲରେ ୧ମରୁ ୮ମ ପର୍ଯ୍ୟନ୍ତ ୧୬୦ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏଠାରେ ୮ଟି ଶ୍ରେଣୀ ପାଇଁ ୮ଜଣ ଶିକ୍ଷକ ଆବଶ୍ୟକ ଥିବାବେଳେ ମାତ୍ର ୪ଜଣ ଶିକ୍ଷକ ନିଯୁକ୍ତି ଦିଆଯାଇଛି । ଯାହାଫଳରେ ଶିକ୍ଷାଦାନ ବ୍ୟାହତ ହୋଇପଡିଛି । ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବିରେ ମଙ୍ଗଳବାର ଛାତ୍ର ଅଭିଭାବକମାନେ ପଟଣା ନୋଡାଲ ଉପ୍ରା ସ୍କୁଲରେ ତାଲା ପକାଇ ଦେଇଥିଲେ । ଅଦ୍ୟାବଧି ସ୍କୁଲରେ ତାଲା ପଡି ରହିଛି । ପାଟଣା ନୋଡାଲ ଉପ୍ରା ସ୍କୁଲରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି କରିବା ପାଇଁ ଚନ୍ଦନନଗର ସରପଂଚ ବନୋଜ ସେଠୀ ଦାବୀ କରିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ଓ ବି.ଆର ସି ସି ସ୍କୁଲର ଛାତ୍ରଛାତ୍ରୀ ଅନୁପାତ ଓ ଶିକ୍ଷକ ସ୍ଥିତି ନଦେଖି ଶିକ୍ଷକ ବଦଳି କରିଥିବାରୁ ଏଭଳି ଅଭାବନୀୟ ସ୍ଥିତି ଦେଖାଦେଇଛି ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ବିଇଓ ଅଜିତ ବାରିକଙ୍କୁ ପଚାରିବାରେ ଅନେକ ସ୍କୁଲରେ ଶିକ୍ଷକ ଅଭାବ ଅଛି । ସେଥିପ୍ରତି ଅଭିଭାବକ ମାନେ ଏପରିକରିଛନ୍ତି ।
