ଆରଏମଏସ କର୍ମଚାରୀଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର ଘଟଣା , କେନ୍ଦ୍ରାପଡାରେ କାର୍ଯ୍ୟାଳୟ ରଖିବାକୁ ସାଂସଦଙ୍କୁ ଦାବିପତ୍ର

blank
କେନ୍ଦ୍ରାପଡା, ୨ା୩: କେନ୍ଦ୍ରାପଡା ଜିଲ୍ଲାରୁ ରେଳବାଇ ଡାକସେବା କାର୍ଯ୍ୟାଳୟ (ଆର. ଏମ. ଏସ.)କୁ ଉଛେଦ କରିବା ପାଇଁ ଷଡଯନ୍ତ୍ର ଚାଲିଛି। ଏହି ଷଡଯନ୍ତ୍ରର ପ୍ରଥମ ସୋପାନରେ ଦୁଇଜଣ କର୍ମଚାରୀଙ୍କୁ ଭୁବନେଶ୍ୱରକୁ ଡେପୁଟେସନରେ ପଠାଇ ଦିଆଯାଇଛି। ପରେ ପରେ ଅନ୍ୟ ତିନି ଜଣ କର୍ମଚାରୀଙ୍କୁ ଏଠାରୁ ଡେପୁଟେସନ ଆଳରେ ଅନ୍ୟତ୍ର ପଠାଇଦେବାକୁ ଷଡଯନ୍ତ୍ର ଚାଲିଛି। ଏହାକୁ ବିରୋଧକରି ଓ କେନ୍ଦ୍ରାପଡାରେ ଆର.ଏମ.ଏସ. କାର୍ଯ୍ୟାଳୟ ରଖିବାକୁ କେନ୍ଦ୍ରାପଡାର ବୁଦ୍ଧିଜିବୀମାନେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ରବିବାର ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲା ସଂସ୍କୃତି ଭବନ ପରିସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ସାଂସଦ ଶ୍ରୀ ପଣ୍ଡା ଆସିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ନାଗରିକ ମଞ୍ଚ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ କେନ୍ଦ୍ରାପଡା ଜିଲ୍ଲାର ମହିପାଳ ଠାରେ ୧୯୭୭ମସିହାରୁ ଅଦ୍ୟାବଧି ଏକ ରେଳବାଇ ଡାକସେବା କାର୍ଯ୍ୟାଳୟ ଚାଲୁଅଛି। ଏହି କାର୍ଯ୍ୟାଳୟ ଅଧିନରେ ଜିଲ୍ଲାର ୯ଗୋଟି ବ୍ଲକ ଓ ଦୁଇ ଗୋଟି ପୈାରାଞ୍ଚଳରେ ଥିବା ୩୧ଟି ଡାକଘରର ଡାକସେବା କାର୍ଯ୍ୟ ଚାଲୁଅଛି। ସମଗ୍ର ଜିଲ୍ଲାର ଡାକଘର ଗୁଡିକରୁ ଯେଉଁ ସବୁ ଚିଠିପତ୍ର ଆସେ ସେଗୁଡିକ ଏହି କାର୍ଯ୍ୟାଳୟ ମାଧ୍ୟମରେ ଦୂର ଦୂରାନ୍ତର ଲୋକଙ୍କ ନିକଟରେ ପହଞ୍ଚି ଥାଏ। ଏଥିସହିତ ଜିଲ୍ଲା ବାହାରୁ ଆସୁଥିବା ଚିଠିପତ୍ର ଗୁଡିକ ମଧ୍ୟ ଏହି କାର୍ଯ୍ୟାଳୟରେ ପ୍ରଥମେ ସର୍ଟିଂ କରାଯାଇ ଜିଲ୍ଲାର ବିଭିନ୍ନ ଡାକଘର ଗୁଡିକୁ ପଠାଯାଇଥାଏ। କିନ୍ତୁ ଏବେ ଓଡିଶା ସର୍କଲର ମୁଖ୍ୟ ଡାକପାଳଙ୍କ ନିଷ୍ପତ୍ତି ଅନୁଯାୟୀ ଏହି କାର୍ଯ୍ୟାଳୟକୁ ଏଠାରୁ ଉଛେଦ କରି କଟକ ସର୍କଲ ସହିତ ଯୋଡି ଦେବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ରେଜେଷ୍ଟ୍ରୀ ଚିଠି ଓ ସ୍ପିଡପୋଷ୍ଟ ଚିଠି ଗୁଡିକର ସର୍ଟିଂ କାର୍ଯ୍ୟ କଟକ ଆର.ଏମ.ଏସ. କାର୍ଯ୍ୟାଳୟକୁ ଉଠାଇ ନିଆଯାଇଛି। ଏହାସହ କେନ୍ଦ୍ରାପଡା ଆର.ଏମ.ଏସ. କାର୍ଯ୍ୟାଳୟର ମୋଟ ୫ଜଣ କର୍ମଚାରୀଙ୍କ ମଧ୍ୟରୁ ୨ଜଣଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟକୁ ଡେପୁଟେସନରେ ପଠାଇ ଦିଆଯାଇଛି। ଏହାଫଳରେ ଏଠାରେ କାର୍ଯ୍ୟରତ ମାତ୍ର ୩ଜଣ କର୍ମଚାରୀ ଲୋକମାନଙ୍କୁ ସେବା ଯୋଗାଇଦେବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଭୈାଗଳିକ ଦୃଷ୍ଟିକୋଣରୁ କେନ୍ଦ୍ରାପଡା ଜିଲ୍ଲା ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ଜିଲ୍ଲା ସହ ପାରାଦୀପ ପୋର୍ଟ, ଧାମରା ପୋର୍ଟ ପ୍ରଭୃତି ଯୋଡି ହୋଇଛି। ଏହାସହ ଏହି ଜିଲ୍ଲାର ମହାକାଳପଡା ଠାରେ ଏକ ନଦୀ ଭିତ୍ତିକ ବନ୍ଦର ନିର୍ମାଣ ପାଇଁ ପ୍ରାରମ୍ଭିକ କାର୍ଯ୍ୟ ଚାଲିଛି। ସେହିପରି ନିପନ ଷ୍ଟିଲ କାରଖାନା ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହୋଇଗଲାଣି। ଏହି କାରଖାନା ନିର୍ମାଣ ହୋଇଯିବା ପରେ ଦେଶ ବିଦେଶର ହଜାର ହଜାର କର୍ମଚାରୀ ଏଠାରେ ବସବାସ କରିବେ। ସେମାନଙ୍କ ପାଇଁ ଡାକସେବାର ବହୁ ଆବଶ୍ୟକତା ରହିବ। ସେହିଭଳି ଭିତରକନିକା ଜାତୀୟ ଉଦ୍ୟାନ ଏହି ଜିଲ୍ଲାରେ ଅବସ୍ଥିତ। ପ୍ରତିଦିନ ଏଠାକୁ ଦେଶ ବିଦେଶର ପର୍ଯ୍ୟଟକ ମାନେ ଆସିଥାନ୍ତି। ଏହାବ୍ୟତିତ କଟକକୁ ରେଜେଷ୍ଟ୍ରୀ ଚିଠି ଓ ସ୍ପିଡପୋଷ୍ଟ ଚିଠି ଗୁଡିକର ସର୍ଟିଂ କାର୍ଯ୍ୟ ସ୍ଥାନାନ୍ତରଣ କରାଯାଇଥିବାରୁ ଯଦି କୈାଣସି କାରଣ ବସତଃ ଭୁଲରେ କେନ୍ଦ୍ରାପଡାର ଚିଠିଟି ଆଳିକୁ ଚାଲି ଯାଏ ତେବେ ସେହି ଚିଠିଟି ପୁନର୍ବାର ସେଠାରୁ କଟକ ଯିବା ପରେ ସେଠାରେ ସର୍ଟିଂ ହୋଇ କେନ୍ଦ୍ରାପଡାର ସଠିକ ଠିକଣାରେ ପହଞ୍ଚିବା ପାଇଁ ୩ଦିନ ଲାଗିିବ। ଫଳରେ ଚାକିରୀ ଆଶାୟୀ, ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର ଆଶାୟୀ ପ୍ରାର୍ଥୀ ଓ ବିଭିନ୍ନ କଲେଜ କିମ୍ବା ବିଶ୍ୱବିଦ୍ୟାଳୟରେ ଆଡମିସନ କରିବା ପାଇଁ ଅପେକ୍ଷାରତ ଛାତ୍ରଛାତ୍ରୀମାନେ ବିଳମ୍ବରେ ସେହି ଚିଠି ପାଇବେ। ସେମାନଙ୍କ ଭବିଷ୍ୟତକୁ ନେଇ ବିଭିନ୍ନ ସମସ୍ୟା ଉପୁଜିବାର ସମ୍ଭାବନା ମଧ୍ୟ ଦେଖାଦେଇଛି। ଏହିସବୁ ଦୃଷ୍ଟିକୋଣରୁ କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟ କରୁଥିବା ରେଳ ଡାକସେବା(ଆର.ଏମ.ଏସ.) କାର୍ଯ୍ୟାଳୟର ଗୁରୁତ୍ୱ ରହିଛି। ତେଣୁ ଏହି କାର୍ଯ୍ୟାଳୟରୁ କଟକ ସର୍କଳ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ ହୋଇଥିବା ରେଜେଷ୍ଟ୍ରୀ ଚିଠି ଓ ସ୍ପିଡପୋଷ୍ଟି ଚିଠି ଗୁଡିକର ସର୍ଟିଂ କାର୍ଯ୍ୟକୁ କେନ୍ଦ୍ରାପଡାକୁ ଫେରାଇ ଆଣିବା ସହ ଏଠାରୁ ଭୁବନେଶ୍ୱରକୁ ଡେପୁଟେସନରେ ଯାଇଥିବା ଦୁଇଜଣ କର୍ମଚାରୀଙ୍କୁ ତୁରନ୍ତ ଏଠାକୁ ଫେରାଇ ଅଣାଯିବାକୁ ଜିଲ୍ଲାର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ୱରେ ପୂର୍ବତନ ଜିଲ୍ଲା ବିଜେପି ଉପସଭାପତି ଗଗନବିହାରୀ ସାହୁ, ପୂର୍ବତନ ବିଧାୟକ ଡ. ଅଲେଖ କୁମାର ଜେନା, ପ୍ରତାପ ମହାନ୍ତି, ଡ. କଳ୍ପନା ମଲ୍ଲିକ, ରଞ୍ଜିତ କୁମାର ଆଚାର୍ଯ୍ୟ, ଅମରରଞ୍ଜନ ପରିଜା, ନବାବ କୁମାର ପଣ୍ଡା, ସୁମନ୍ତ ଦାସ, ରାଜୀବ ସ୍ୱାଇଁ ପ୍ରମୁଖ ସାଂସଦ ଶ୍ରୀ ପଣ୍ଡାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Next Post

ପ୍ରଧାନମନ୍ତ୍ରୀ ପୂର୍ବଦୋୟ ସ୍ୱପ୍ନକୁ ଶାକାର କରିଛନ୍ତି-ବୈଜୟନ୍ତ , ସାମ୍ବାଦିକଙ୍କ ପ୍ରଶ୍ନବାଣରେ ଘାଇଲାହୋଇ ପଳାଇଲେ ମନ୍ତ୍ରୀ ଓ ସାଂସଦ

Sun Mar 2 , 2025
କେନ୍ଦ୍ରାପଡ଼ା,୨ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବଦୋୟ ସ୍ୱପ୍ନକୁ ଶାକାର କରିବେ ବୋଲି ଯେଉଁ ପ୍ରତିଶୃତି ଦେଇଥିଲେ ତାହା ଆଜି ଫଳପ୍ରଦ ହୋଇଛି। କାର କେନ୍ଦ୍ର ବଜେଟରେ ଓଡିଶାକୁ ପ୍ରାଧାନ୍ୟ ଦିଆଯାଇଛି। ତେଣୁ ଓଡିଶା ଖୁବଶୀଘ୍ର ବିକସିତ ରାଜ୍ୟରେ ପରିଣତ ହେବ ବୋଲି କହିଛନ୍ତି କେନ୍ଦ୍ରାପଡା ସାଂସଦ ବୈଜୁନ୍ତ ପଣ୍ଡା। ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀ ପଣ୍ଡା କହିଲେ ଆସନ୍ତା ୫ବର୍ଷ ମଧ୍ୟରେ ଓଡିଶାର ସରକାରୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading