- ସିଆଇଏସ୍ଏଫ୍ର ଉପକୂଳ ସୁରକ୍ଷା ଯାତ୍ରା
- ସୁରକ୍ଷା ଅବଦାନ ପାଇଁ କନିକା ରାଜାଙ୍କୁ ସମ୍ମାନ

କେନ୍ଦ୍ରାପଡ଼ା,୧୨ା୩: ଉପକୂଳ ସୁରକ୍ଷା ସଚେତନତା ପାଇଁ ରାଇଜି ଡ଼େ ମାର୍ଚ୍ଚ ୧୦ରୁ ସିଆଇଏସ୍ଏଫ୍ ପକ୍ଷରୁ ପଶ୍ଚିମବଙ୍ଗରୁ କନ୍ୟା କୁମାରୀ ସାଇକେଲ ଯାତ୍ରା ଆରମ୍ଭ ହୋଇଛି। ମଙ୍ଗବାର ଏହି ସାଇକେଲ ଯାତ୍ରା କେନ୍ଦ୍ରାପଡ଼ା ଜିଲ୍ଲା ଅତିକ୍ରମ କରିଛି। ଏହି ଯାତ୍ରାରେ ୫୦ ଜଣ ସିଆଇଏସ୍ଏଫ୍ର ମହିଳା ଏବଂ ପୁରୁଷ ଜବାନ୍ ସାଇକେଲ ଚଲାଇ ଉପକୂଳ ସୁରକ୍ଷା ବାର୍ତ୍ତା ପ୍ରଦାନ କରିଛନ୍ତି। ରାଜକନିକାର ନେତାଜୀ ଛକ୍ ଠାରେ ଏହି ସାଇକେଳ ଯାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ପରେ ପ୍ରସିଦ୍ଧ ରାଜପ୍ରାସାଦ ଠାରେ ଏହି ସାଇକେଳ ଯାତ୍ରୀ ସଚେତନତା ସଭା କରିଥିଲେ। ଉପକୂଳ ସୁରକ୍ଷା କ୍ଷେତ୍ରରେ କନିକା ରାଜାଙ୍କ ଅବଦାନ ଅତୁଳନୀୟ। କନିକାର ରାଜାମାନେ ପୂର୍ବରୁ ଉପକୂଳ ସୁରକ୍ଷା ପାଇଁ ଦେଶୀୟ ଡ଼ଙ୍ଗା ସାହାଯ୍ୟରେ ସମୁଦ୍ର ଏବଂ ନଦୀ ମୁହାଁଣରେ ପଇଁତରା ମାରୁଥିଲେ। ଘଞ୍ଚ ଜଙ୍ଗଳ ସହିତ ସରୀଶୃପ ଏବଂ କୁମ୍ଭୀରଙ୍କ ବଂଶ ବୃଦ୍ଧି କରୁଥିଲେ। ଝାଉଁବଣ ସହିତ ଲୁଣା ଜଙ୍ଗଲ ମାଧ୍ୟମରେ ଉପକୂଳକୁ ଜଗି ରହୁଥିଲେ। ଏହି ସୁରକ୍ଷା ଅବଦାନ ବହୁତ ରହିଥିଲା। ଏହି କାରଣରୁ ସିଆଇଏସ୍ଏଫ୍ ଦଳ ପକ୍ଷରୁ କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେବଙ୍କୁ ସମ୍ମାନ ଫଳକ ଏବଂ ଉପଢ଼ୈାକନ ପ୍ରଦାନ କରି ସମ୍ମାନିତ କରିଥିଲେ। ସିଆଇଏସ୍ଏଫ୍ର ଅଧିକାରୀମାନେ କନିକାର ଶୋଭାରାଜି ସହିତ ପୃଥିବୀର ସବୁଠୁ ବଡ଼ କୁମ୍ଭୀର ଖପୁରୀ ଦେଖି ଆତ୍ମବିଭୋର ହୋଇପଡ଼ିଥିଲେ। ଏହା ସହିତ ପୂର୍ବରୁ ନୌଯାତ୍ରା ଏବଂ ଜାଭା ସୁମାତ୍ରା, ବାଲି ଅଞ୍ଚଳକୁ ଦେଶୀୟ ଡ଼ଙ୍ଗାରେ ଯାତ୍ରା କରିବା ଘଟଣାକୁ ପ୍ରଶଂସା କରିବା ସହିତ ସେମାନଙ୍କ ସାହସକୁ ତାରିଫ କରିଥିଲେ। କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେବ, କନିକା ତହସିଲଦାର ଅଶୋକ କୁମାର ଦେହୁରୀ, ରାଜକନିକା ଥାନା ଅଧିକାରୀ ସଞ୍ଜୟ କୁମାର ମଲ୍ଲିକ, ତରାସ ପଞ୍ଚାୟତ ସରପଞ୍ଚ ମନୋରମା ନାୟକ ଓ ସି. ଆଇ. ଏସ. ଏଫ. ର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ କନିକା ରାଜାଙ୍କୁ ସି ଆଇ ଏସ ଏଫ ପକ୍ଷରୁ ଏକ ମୋମେଂଟମ ଦେବା ସହ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ କନିକା ରାଜା ଶ୍ରୀ ଭଞ୍ଜଦେବ ସି ଆଇ ଏସ ଏଫ ର ଏହି ପ୍ରୟାସକୁ ଭୁରି ଭୁରି ପ୍ରଶଂସା କରିବା ସହ ଦେଶ ମାତୃକାର ସେବାର ନିୟୋଜିତ ସି ଆଇ ଏସ ଏଫ ର ବଳିଦାନ ଓ ସୁରକ୍ଷା ସମ୍ପର୍କରେ କହିଥିଲେ। ଏପ୍ରିଲ ୧ ପର୍ଯ୍ୟନ୍ତ ଏହି ସାଇକେଲ ଯାତ୍ରାରେ କନ୍ୟାକୁମାରୀ ପର୍ଯ୍ୟନ୍ତ କରାଯିବ। ସାଢ଼େ ଛଅ ହଜାର କିଲୋମିଟର ଦୂର ସାଇକେଲରେ ଯାତ୍ରା କରିବେ ସିଆଇଏସ୍ଏଫ୍ର ଜବାନ। ନେତାଜୀ କ୍ଲବର ସଦସ୍ୟ ରାଜନାରାୟଣ ଜେନା, ଶିବପ୍ରସାଦ ମଲ୍ଲିକ, ଦେବଜ୍ୟୋତି ଜେନା, ଶୁଭ୍ରଜିତ ବିଶ୍ୱାଳ, ଅଂଶୁମାନ ଖଟୁଆ, ଶୀତଲ ନାୟକ, ପ୍ରଶାନ୍ତ ଦାସ, ଅନିରୁଦ୍ଧ ନାୟକ, ଅଶୋକ ନାଥ, ସନ୍ଦୀପ ରାଉତ, ଅନିଲ ମଲ୍ଲିକ, ସୁମନ୍ତ ନାୟକ, ସତ୍ୟଜିତ ନାୟକ, ସାରଦା ପ୍ରସନ୍ନ ପତି, କୃଷ୍ଣଚନ୍ଦ୍ର ସାହୁଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ଯୁବକ ସାମିଲ ହୋଇ ସାଇକେଲ ଯାତ୍ରୀଙ୍କୁ ସ୍ୱାଗତ କରିଥିଲେ।
