ଉତ୍କଳୀୟ ନୈାବାଣିଜ୍ୟର ସ୍ମାରକୀ ବାଲିଦ୍ୱୀପ

 

blank
ଭାରତୀୟ ନୈାବାଣିଜ୍ୟ ଇତିହାସ ପୃଷ୍ଠାରେ ପ୍ରାଚୀନ ଉତ୍କଳ ବା କଳିଙ୍ଗ ଅଥବା ଆଧୁନିକ ଓଡିଶାର ନୈାବାଣିଜ୍ୟ ଅଧ୍ୟାୟ ଏକ ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରିଅଛି। ଏହି ସ୍ମରଣୀୟ ବିଦ୍‌ଗଧ ନୈାଯାତ୍ରା ପରମ୍ପରା ଯେତିକି ଆବେଗୟମୟ, ଆମୋଦଜନକ, ସେତିକି ମନମୁଗ୍ଧକର ଓ ରୋମାଂଚକର। ଅତୀତର ସେହି ଦିନଗୁଡିକ ଥିଲା, ଯେତେବେଳେ କଳିଙ୍ଗ ସାଧବ ପୁଅର ଦୁଃସାହସିକତା ସମୁଦ୍ର ଯାତ୍ରା ସହିତ ବାଣିଜ୍ୟ ମାଧ୍ୟମରେ ଏସୀୟ ରାଷ୍ଟ୍ରଗୁଡିକ ସହିତ ନିଜମାଟିର ସାଂସ୍କୃତିକ ସମ୍ପର୍କକୁ ସ୍ଥାପନ କରିଥିଲା। ସେଦିନ ଅଗାଧ ସମୁଦ୍ର ମଧ୍ୟରେ ଅବସ୍ଥିତ ସୁଦୂର ଜାଭା, ବୋର୍ଣ୍ଣିଓ, ସିଂହଳ, ସୁମାତ୍ରା ଦ୍ୱୀପ ସହିତ ଅବାଧ ବାଣିଜ୍ୟ କରୁଥିଲା ସମୟରେ ବାଲିଦ୍ୱୀପ ସହିତ ଯେଉଁ ଐକ୍ୟ ଓ ସାଂସ୍କୃତିକର ନିବିଡତା ସୃଷ୍ଟି କରିଥିଲା, ତାହା ଆଜି ସମଗ୍ର ବିଶ୍ୱ ଦରବାରରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଅଛି। ଅଧିକନ୍ତୁ ଆଜି ଏକବିଂଶ ଶତାବ୍ଦୀରେ ମଧ୍ୟ ସେହି ସଂସ୍କୃତିର ପୃଷ୍ଠପୋଷକ ଭାବେ ବାଲିଦ୍ୱୀପ ସର୍ବତ୍ର ଏକ ହିନ୍ଦୁ ସଂସ୍କୃତି ସମ୍ପନ୍ନ ଭୂ-ଖଣ୍ଡ ଭାବେ ବହୁ ଚର୍ଚ୍ଚିତ।
ସମ୍ପ୍ରତି ସେହି ଐତିହାସିକ ବାଲିଦ୍ୱୀପ ୧୯୫୮ ମସିହା ଠାରୁ ଇଣ୍ଡୋନେସିଆ ଦେଶର ଏକ ରାଜ୍ୟ ଭାବରେ ପରିଚୟ ହାସଲ କରିଛି। ଭୈାଗୋଳିକ ଦୃଷ୍ଟିରୁ ୮୦ଂ ୨୦, ୦୬ ଦକ୍ଷିଣ ଅକ୍ଷାଂଶ ଠାରୁ ୧୧୫ଂ ୫,୧୭ ପୂର୍ବ ଦ୍ରାଘିମା ମଧ୍ୟରେ ପ୍ରାୟ ୫, ୫୯୦ ବର୍ଗ କି.ମି ଅଂଚଳ ହେଉଛି ବାଲିଦ୍ୱୀପ, ଯାହା ମୁଖ୍ୟତଃ ଜାଭା ଦ୍ୱୀପର ପୂର୍ବରେ ଅବସ୍ଥିତ। ୨୦୨୫ ମସିହା ସୁଦ୍ଧା ବାଲିଦ୍ୱୀପର ଲୋକସଂଖ୍ୟା ହେଉଛି ୪, ୪୬,୧୨୬୦ ଜଣ। ଜନବହୁଳ ବାଲିଦ୍ୱୀପର ମୋଟ ଜନସଂଖ୍ୟା ମଧ୍ୟରୁ ୮୬.୪୦% ହେଉଛନ୍ତି ହିନ୍ଦୁ। ଇତିହାସ ଅନୁଯାୟୀ ୯୧୪ ଖ୍ରୀ.ଅରେ କଳିଙ୍ଗରେ ତତ୍‌କାଳେ ଶାସନ କରୁଥିବା କେଶରୀବଂଶର ଜଣେ କେଶରୀ ବର୍ମା ଦେଓ ନାମଧ୍ୟେୟ ରାଜା ବାଲିରେ ସର୍ବପ୍ରଥମେ ରାଜ୍ୟ ସ୍ଥାପନ କରିଥିଲେ।

The first king of Bali known to history in Kesarivermandeva. He leaves an inscription on a round pillar “It relates to king’s victory beyond Bali in the first half of the tenth century. The letters employed are both of the Pre-Nagari Style and of the Kawi alphabet, The language is Sanskrit as well as old/ Balanese. (Indian Influence in old Balanese Art By Dr. D F. Statterhein) These verma Devas ruled Bali for two centuries.

ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରେ ବାଲିଦ୍ୱୀପ ଥିଲା କଳିଙ୍ଗବାସୀଙ୍କର ମୁଖ୍ୟ କେନ୍ଦ୍ର। ସେହି ସମୟରେ ବାଲିଦ୍ୱୀପକୁ ଓଡିଆ ସାଧବମାନେ ‘ନାରିକେଳ ଦୀପ’ ଭାବରେ ସମ୍ବୋଧିତ କରୁଥିଲେ। ସଂପ୍ରତି ଭୂଖନନରୁ ବାଲିଦ୍ୱୀପରୁ ଆବିଷ୍କୃତ ନାଲି ପ୍ରସ୍ତର, କାଚ ବ୍ରୋଞ୍ଜ ନିର୍ମିତ ସାମଗ୍ରୀ ଓ ଲୈାହ ଉପକରଣ ମାନଙ୍କରୁ ତତ୍‌କାଳେ ବାଲିଦ୍ୱୀପ ଏକ ସମୃଦ୍ଧଶାଳୀ ଭୂଖଣ୍ଡ ଖ୍ୟାତି ଅର୍ଜନ କରିଥିଲା। ତେଣୁ କଳିଙ୍ଗର ସାଧବମାନେ ବାଲିଦ୍ୱୀପକୁ ବାଣିଜ୍ୟ କରିବାକୁ ବିଶେଷ ଆଗ୍ରହୀ ଥିଲେ। ସୁଚତୁର କଳିଙ୍ଗବାସୀ ପ୍ରଥମେ ବାଲିରେ ବାଣିଜ୍ୟ କରି ନିଜର ସୁଖ୍ୟାତି ସେଠାରେ ପ୍ରତିଷ୍ଠା କରିବା ପରେ ବାଲି ଅଧିବାସୀଙ୍କ ସହିତ ନିବିଡ ସାଂସ୍କୃତିକ ସମ୍ପର୍କ ରଖିବାକୁ ଭୁଲି ଯାଇନଥିଲେ। ଫଳତଃ କଳିଙ୍ଗ ଓ ବାଲିଦ୍ୱୀପ ମଧ୍ୟରେ ସାମାଜିକ ଧର୍ମଗତ ଓ ସାଂସ୍କୃତିକ ସମ୍ବନ୍ଧ ମିଶିବା ପରେ ସେଠାରେ ଏକ ନୂତନ ମିଶ୍ରିତ ସଂସ୍କୃତିର ଅଭ୍ୟୁଦୟ ଘଟିଥିଲା। ଯାହା ପରବର୍ତ୍ତୀ ସମୟରେ ବାଲିଦ୍ୱୀପର ଖ୍ୟାତିକୁ ଚତୁର୍ଦ୍ଦଗକୁ ବିଚ୍ଛୁରିତ ହୋଇଥିଲା। ଆଜି ବାଲିଦ୍ୱୀପର ଜନଜୀବନ, ଧର୍ମାଚାର, କଳା, ସଂସ୍କୃତି ଇତ୍ୟାଦିରେ ଉତ୍କଳୀୟ ପ୍ରଭାବ ସୁସ୍ପଷ୍ଟ ହୋଇଉଠେ।
ବାଲିଦ୍ୱୀପର ଧର୍ମାଚାର ବିଷୟରେ ତର୍ଜ୍ଜମା କଲେ ଜଣାଯାଏ ଯେ ମୋଟ ଜନସଂଖ୍ୟାର ହାରାହାରି ୮୭% ଲୋକ ହେଉଛନ୍ତି ହିନ୍ଦୁ ଧର୍ମାବଲମ୍ବୀ। ତେଣୁ ସେଠାରେ ୨୦, ୦୦୦ ରୁ ଉର୍ଦ୍ଧ୍ୱ ମନ୍ଦିର ରହିଅଛି। ସେଥିମଧ୍ୟରୁ କେତେକ ମନ୍ଦିରର କାରୁକାର୍ଯ୍ୟରେ କଳିଙ୍ଗ କଳା ଭାସ୍କର୍ଯ୍ୟ ସ୍ପଷ୍ଟ ଓ କେତେକ ମନ୍ଦିର ୧୦୦୦ ବର୍ଷ ତଳେ ବାଲିରେ କଳିଙ୍ଗ ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ହୋଇଥିବା ବୋଲି ଐତିହାସିକ ମାନଙ୍କର ମତ। ବାଲିଦ୍ୱୀପରେ ଯେଉଁ ହିନ୍ଦୁ ଧର୍ମ ରହିଛି ତାହାକୁ ‘ଆଗମ ହିନ୍ଦୁ ଧର୍ମ’ ବୋଲି କୁହାଯାଏ। ବାଲିରେ ପାଶୁପତ୍ୟ, ଶୈବ, ଶାକ୍ତ, ଗାଣପତ୍ୟ, ବ୍ରାହ୍ମଣ୍ୟ ଓ ବୈଷ୍ଣବ ସହିତ ବୈାଦ୍ଧଧର୍ମୀୟ ଲୋକମାନେ ମଧ୍ୟ ବସବାସ କରନ୍ତି। ଉପାସନା କ୍ଷେତ୍ରରେ ଓଡିଶା ଓ ବାଲିଦ୍ୱୀପରେ ଦେବୀ ମହାଲକ୍ଷ୍ମୀଙ୍କୁ ‘ଶ୍ରୀ ଦେବୀ’ ବୋଲି କୁହାଯାଇଥାଏ। ମାର୍ଗଶୀର ମାସ ଗୁରୁବାର ଦିନ ଶ୍ରୀଦେବୀଙ୍କୁ ଧାନକେଣ୍ଡା ଦ୍ୱାରା ପୂଜା ଓ ପୂଜାର୍ଚ୍ଚନା କରନ୍ତି ବାଲିଦ୍ୱୀପର ହିନ୍ଦୁମାନେ। ବାଲିଲୋକମାନେ ମନ୍ଦିରକୁ ‘ପୁର’ ବୋଲି କହନ୍ତି। ବାଲିରେ ବ୍ରାହ୍ମଣ୍ୟ ଧର୍ମର ପ୍ରାଧାନ୍ୟ ପରିଲକ୍ଷିତ ହୁଏ। ଶିବ ବାଲିର ମୁଖ୍ୟଦେବତା। ବାଲିବାସୀଙ୍କର ମତ ହେଉଛି ଯିଏ ଶିବ, ସେହି ହିଁ ବୁଦ୍ଧ ଅଟନ୍ତି। ତେଣୁ ସେଠାରେ ପୂଜାକର୍ମ ବା ପୂଜାପାଠ ଇତ୍ୟାଦି ସମାପନ କରିବା ପାଇଁ ଚାରିଜଣ ଶିବପୂଜକ ଓ ଜଣେ ବୈାଦ୍ଧପୂଜକ ଆସିଥାଆନ୍ତି। ବୈାଦ୍ଧ ପୂଜାଶାସ୍ତ୍ରକୁ ‘ଯୋଗ’ ଓ ଶୈବ ପୂଜକଙ୍କ କର୍ମକାଣ୍ଡକୁ ‘ଭକ୍ତି’ ବୋଲି କହନ୍ତି। ବାଲିଦ୍ୱୀପରେ ଶିବଙ୍କୁ ଜଗନ୍ନାଥ ଭାବେ ଆରାଧିତ କରାଯାଇଥାଏ। ତେଣୁ ପୂଜକ ମନ୍ତ୍ର ଉଚ୍ଚାରଣ ବେଳେ କହିଥାନ୍ତି “ଓଁ କ୍ଷମସ୍ୱମାନ ଶିବଦେବ, ଜଗନ୍ନାଥ ହିତଂ କର”। ଓଡିଶାରେ ମଧ୍ୟ ଶିବପୂଜକ ବୁଦ୍ଧଙ୍କୁ ପୂଜା କରିଥାଆନ୍ତି ଓ ବୈାଦ୍ଧ କର୍ମକାଣ୍ଡକୁ ‘ଭକ୍ତି’ ବୋଲି କହନ୍ତି। ବାଲିଦ୍ୱୀପରେ ଶିବଙ୍କୁ ବୁଦ୍ଧଙ୍କର ଅଗ୍ରଜ ଭାବେ ଗ୍ରହଣ କରାଯାଇଥାଏ। ବେଦବୁଦ୍ଧ ଅନୁଯାୟୀ ବୈାଦ୍ଧଧର୍ମୀମାନେ ବୁଦ୍ଧଙ୍କ ଉପାସନା କଲାବେଳେ ମନ୍ତ୍ର ଉଚ୍ଚାରଣ କରନ୍ତି, “କ୍ଷମାସ୍ୟ ମଂ ଜଗନ୍ନାଥ ସର୍ବପାପ ବିନାଶନମ୍ ସର୍ବକାର୍ଯ୍ୟପ୍ରାଣଦେବମ୍ ପ୍ରାଣାମାମି ସୁରେସୁରମ୍‌” ଆମ ଓଡିଶାରେ ମଧ୍ୟ ଶ୍ରୀଜଗନ୍ନାଥ ସହିତ ବୁଦ୍ଧଙ୍କୁ ଓ ଶ୍ରୀ ଜଗନ୍ନାଥ ଧର୍ମ ସହିତ ବିଭିନ୍ନ କ୍ଷେତ୍ରର ବୈାଦ୍ଧଧର୍ମର ନିବିଡ ସଂପର୍କ ରହିଥିବାର ପ୍ରସଙ୍ଗ ଉଲ୍ଲେଖ ରହିଅଛି। ଏପରିକି ଜଗନ୍ନାଥଙ୍କୁ ମଧ୍ୟ ଆଦିବୁଦ୍ଧ ଭାବେ ଗ୍ରହଣ କରାଯାଇଥାଏ। ବାଲିଦ୍ୱୀପରେ ମଧ୍ୟ କାଷ୍ଠ ନିର୍ମିତ ତିନିବିଗ୍ରହଙ୍କୁ ନେଇ ସର୍ବସାଧାରଣଙ୍କ ମଧ୍ୟରେ ରଥଯାତ୍ରା ପରି ଯାତ୍ରା ଅନୁଷ୍ଠିତ ହୋଇଥାଏ। ତେଣୁ ଓଡିଶାର ଧର୍ମଧାରଣା ସହିତ କେଉଁ ଏକ ଅଜଣା କାଳରୁ ବାଲିଦ୍ୱୀପର ଜନମାନସଙ୍କର ଏପରି ସାମଞ୍ଜସ୍ୟ ରହିଆସିଛି, ଯାହା ନିର୍ଦ୍ଦିଷ୍ଟ ଭାବରେ କହି ନହେଲେବି ଓଡିଶାର ବୈାଦ୍ଧଧର୍ମର ପ୍ରାବଲ୍ୟତା ଏବଂ ଶ୍ରୀଜଗନ୍ନାଥ ଧର୍ମଚେତନାର ଲୋକପ୍ରିୟତା ଯେ କଳିଙ୍ଗବାସୀଙ୍କ ଦ୍ୱାରା ବାଲିଦ୍ୱୀପବାସୀ ଅତୀତର ପ୍ରଭାବିତ ହୋଇଛନ୍ତି, ତାହା ବେଶ୍ ଉପଲବ୍ଧ ହୋଇଥାଏ। \

ସେହିପରି ଓଡିଶାରେ ପାଳିତ ପ୍ରାଚୀନ ପର୍ବପର୍ବାଣୀଗୁଡିକ ଦୁର୍ଗାପୂଜା, ସରସ୍ୱତୀ ପୂଜା ଆଦି ଅନୁଷ୍ଠିତ ହୋଇଥାଏ। ବାଲିରେ ସରସ୍ୱତୀଙ୍କୁ ଓଡାଲନ୍ ବା ତାଙ୍କ ପୂଜାକୁ ‘ଓଡାଲନ୍ ସରସ୍ୱତୀ’ ପୂଜା ବୋଲି କହନ୍ତି। ସେହିପରି ଦୁର୍ଗାପୂଜାକୁ ‘ପାଗେରୱେସି’ ନାମରେ ପାଳନ କରିଥାଆନ୍ତି। ଓଡିଶାର ଦେବଦେବୀଙ୍କୁ ପୂଜକମାନଙ୍କୁ ‘ପଣ୍ଡା’ କୁହାଯାଉଥିବାବେଳେ ବାଲିଦ୍ୱୀପରେ ପୂଜକଙ୍କୁ ‘ପାଦାଣ୍ଡା’ ବୋଲି କହନ୍ତି। ବାଲିଦ୍ୱୀପର ଲୋକପ୍ରିୟ ଦେବତା ହେଉଛନ୍ତି ‘ଗରୁଡ’। ପରବ୍ରହ୍ମ ବିଷ୍ଣୁଙ୍କର ସେ ଜଣେ ନିଷ୍ଠାପର ସେବକ। ତେଣୁ ବାଲିରେ ଗରୁଡଙ୍କ ପୂଜାର୍ଚ୍ଚନା ଅତି ନିଷ୍ଠାର ସହିତ ଅନୁଷ୍ଠିତ ହୋଇଥାଏ। ଓଡିଶାରେ ଯେପରି କାଳୀ, ଦୁର୍ଗା, ଚାମୁଣ୍ଡା ଓ ଭୈରବୀ ଆଦିଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାଶ ପଶୁମାନଙ୍କୁ ବଳି ଦିଆଯ୍ଧବଥାଏ, ଠିକ୍ ସେହି ପ୍ରକ୍ରିୟା ବାଲିଦ୍ୱୀପରେ ଅଧୁନା ଦେଖାଯାଇଥାଏ। ବାଲି ଅଧିବାସୀମାନେ ଓଡିଶା ଲୋକମାନଙ୍କ ପରି ବଟବୃକ୍ଷକୁ ଭକ୍ତି କରି ପୂଜାର୍ଚ୍ଚନା କରନ୍ତି ଓ ଦେବଦେବୀମାନଙ୍କୁ ପୂଜାର୍ଚ୍ଚନା କରିବା ନିମନ୍ତେ ଗୋ-ଘୃତ, ମହୁ, କୁଶ, ତିଳ, କାଂଚନ, ପୁଷ୍ପ ଇତ୍ୟାଦି ପୂଜା ସାମଗ୍ରୀ ବ୍ୟବହାର ହୋଇଥାଏ।
କେବଳ ଏତିକି ନୁହେଁ ବାଲିରେ ବାସ କରୁଥିବା ହିନ୍ଦୁମାନେ ଓଡିଶାର ଅନେକ ନଦ, ନଦୀର ନାମକରଣ ମଧ୍ୟ ସେଠାରେ କରିଅଛନ୍ତି। ମହେନ୍ଦ୍ର ପର୍ବତ, ମହେନ୍ଦ୍ର ତନୟା ନଦୀ, ବୈତରଣୀ ନଦୀ ଆଦି ତାଙ୍କ ଦେବଦେବୀ ପୂଜା ପାଠ ମଧ୍ୟରେ ଉଜ୍ଜୀବିତ ରହିଅଛି। ସେଠାକାର ପୁରୋହିତମାନେ ପୂଜାପାଠ କଲା ସମୟରେ ମନ୍ତ୍ର ମାଧ୍ୟମରେ ନୁହଁନ୍ତି। “ଓଁ ଗଙ୍ଗା, ସିନ୍ଧୁ, ସରସ୍ୱତୀ, ବିପାଶା, କୈାଶିଳ, ଯମୁନା, ମହାନଦୀ, ଶ୍ରେଷ୍ଠ ସର‌୍ୟୁମହତ।”
ଖାଦ୍ୟପେୟରେ ଓଡିଶା ଲୋକଙ୍କ ସହିତ ବାଲି ଅଧିବାସୀଙ୍କର ଅନେକ ସାମଞ୍ଜସ୍ୟ ଅନୁଭୂତି ହୁଏ। ଓଡିଶା ଲୋକମାନଙ୍କ ପରି ବାଲି ଲୋକଙ୍କର ମୁଖ୍ୟ ଆହାର ହେଲା ଭାତ। ବାଲିରେ ଭାତ ସହିତ ବିଭିନ୍ନ ସବୁଜ ପରିବା ସହିତ ଓଡିଆଙ୍କ ପରି ସଜନା, କଖାରୁ, ମଞ୍ଜା ତରକାରୀ ଆଦି ଲୋକମାନେ ଖାଇଥାଆନ୍ତି। ଓଡିଆ ଘରର ପିଠାପଣା ଆଦର ପରି ବାଲିରେ ଏଣ୍ଡୁରୀ ପିଠାର ଚାହିଦା ସର୍ବାଗ୍ରେ ରହିଅଛି। ଓଡିଶା ଲୋକଙ୍କ ପରି ବାଲି ଲୋକମାନେ ଆତିଥ୍ୟ ପ୍ରଦାନ କରିଥାଆନ୍ତି। କଦଳୀ ବାଲିବାସୀଙ୍କର ଏକ ପ୍ରିୟଭୋଜନ ସାମଗ୍ରୀ। ରନ୍ଧା, କଂଚା ଓ ପାଚିଲା କଦଳୀ ସହିତ କଦଳୀ ଭଣ୍ଡା ତରକାରୀରେ ସେମାନଙ୍କର ଭାରୀ ଆଦର ଆଜିବି ରହିଅଛି। ଆଚାର ଓ ମଣ୍ଡାପିଠା ଓଡିଆ ମାନଙ୍କ ପରି ବାଲିଲୋକଙ୍କର ବି ପ୍ରିୟ ଖାଦ୍ୟ ସାମଗ୍ରୀ ଅଟେ। ବାଲିଲୋକମାନେ ‘ଶ୍ରୀଦେବୀ’ଙ୍କ ପୂଜା କଲା ସମୟରେ ନଡିଆପୁର ଥିବା ମଣ୍ଡାପିଠାକୁ ଭୋଗ ଲଗାଇଥାନ୍ତି। ସେହିପରି ବାଲିଲୋକଙ୍କ ଆଚାର ବ୍ୟବହାରକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ଆଜି ମଧ୍ୟ ବାଲିଲୋକେ ଓଡିଆଙ୍କ ପରି କୈାଣସି ସଭାରେ କରିଥିବା ଲୋକମାନଙ୍କ ମଧ୍ୟରେ କିମ୍ବା ଗୁରୁଜନଙ୍କ ପାଶ୍ୱର୍ ଦେଇ ଗଲାବେଳେ ଡାହାଣ ହାତକୁ ତଳକୁ ରଖି ନଇଁନଇଁ ଯାଆନ୍ତି। କୈାଣସି ଲୋକଙ୍କ ଦେହରେ ଗୋଡ ବାଜିଗଲେ ମଧ୍ୟ ନମସ୍କାର କରିଥାଆନ୍ତି।
ବସ୍ତ୍ର ଓ ଅଳଙ୍କାର ବ୍ୟବହାର କ୍ଷେତ୍ରରେ ବାଲିଦ୍ୱୀପ ଲୋକମାନଙ୍କ ସହିତ ଉତ୍କଳୀୟ ବେଶ ପୋଷାକର ଅନେକ ସାମଞ୍ଜସ୍ୟ ପରିଲକ୍ଷିତ ହୋଇଥାଏ। ଓଡିଶାର ନାରୀମାନେ ଯେପରି ଚିତ୍ରିତ ଶାଢୀ ପିନ୍ଧିବାକୁ ପସନ୍ଦ କରନ୍ତି, ଠିକ୍ ସେହିପରି ବାଲିଦ୍ୱୀପର ମହିଳାମାନେ ଏକରକମର ଶାଢୀକୁ ବିଶେଷ ଭାବରେ ପିନ୍ଧିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ବାଲିରେ ଆମ ଓଡିଶାରେ ପ୍ରସ୍ତୁତି ସମ୍ବଲପୁରୀ ଶାଢୀ ପରି “ପଟୋଳା ଇକତ” ନାମକ ଏକ ଶାଢୀ ସେଠାକାର ଗୃହିଣୀମାନଙ୍କର ଭାରି ପସନ୍ଦ ହୋଇଥାଏ। ବିବାହ ସମୟରେ ଉଭୟେ ବର ଓ କନ୍ୟା ବ୍ୟବହାର କରୁଥିବା ପୋଷାକ ଓ ପଗଡି ଇତ୍ୟାଦିର ଅନେକ ସମାନତା ଦେଖାଯାଏ ଓଡିଶାମାନଙ୍କର ବିବାହ ପୋଷାକ ସହିତ। ଓଡିଆ ଝିଅ ଓ ନବବଧୂମାନେ ଯେପରି ନିଜର କେଶକୁ ବେଣୀ କରି ଗୋସା କରନ୍ତି, ଠିକ୍ ସେହି ପ୍ରକାର କେଶବିନ୍ୟାସ ଶୈଳୀ ବାଲିଦ୍ୱୀପରେ ଅନୁଭୂତି ହୋଇଥାଏ। ଏହା ବ୍ୟତୀତ ଓଡିଶା ଲୋକମାନେ ଯେପରି ବିଭିନ୍ନ ଶିଳ୍ପକଳାରେ ନିର୍ମିତ ଅଳଙ୍କାରମାନ ବ୍ୟବହାର କରନ୍ତି, ସେହି ରକମର ଶିଳ୍ପକଳା ଖୋଦିତ ପୋଷାକ ଓ ଅଳଙ୍କାର ବାଲିବାସୀ ନାରୀମାନେ ମୁଖ୍ୟତଃ ଆଦର କରନ୍ତି।
ଭାଷା ଓ ସାହିତ୍ୟ କ୍ଷେତ୍ରରେ ଓଡିଶା ଓ ବାଲିଦ୍ୱୀପ ମଧ୍ୟରେ ବହୁଳ ପ୍ରଭାବଜନିତ ପାରସ୍ପାରିକ ସଂପର୍କ ଦେଖାଯାଇଥାଏ। ବାଲିରେ ବ୍ୟବହୃତ ଅନେକ ଶବ୍ଦ ଓଡିଆ ଭାଷାରୁ ଉତ୍ପତି ବା ଅନୁକରଣ ଅନୁଯାୟୀ ଉଚ୍ଚାରଣ କରାଯାଇଥାଏ। ବାଲିରେ ‘ବୋଉ’କୁ ‘ବୁ’ ବା ‘ବାଇ’ ଓ ‘ଗୁଆ’ କୁ ‘ବୁଆ’, ଚିନାବାଦମକ କହନ୍ତି ‘ଚୀନା’, ଅରୁଆଚାଉଳକୁ ‘ଅରୁଆ’, ବରକୋଳିକୁ କହନ୍ତି ‘ବୋକୁଳ’ ପେଜକୁ କହନ୍ତି ‘ପେଜ’ ସଜନାଛୁଇଁକୁ କହନ୍ତି ତୁଇ, ମୁହଁକୁ କହନ୍ତି ମୁହଁ, ଗେଣ୍ଡାକୁ କହନ୍ତି ‘ଗେଣ୍ଡାନ୍‌’ ରୋଟିକୁ କହନ୍ତି ରୁଟି, ‘ପାରା’କୁ କହନ୍ତି ‘ପରା’ ଇତ୍ୟାଦି। ବାଲିରେ ‘ବେଦ’ ର ଅର୍ଥ ଉପାସନା ବୋଲି ବିଚାର କରାଯାଇଥାଏ। ଓଡିଶାରେ ଉଚ୍ଚାରିତ ଅନେକ ଭାରତୀୟ ମହିୟସୀ ପୈାରାଣିକ ନାରୀଙ୍କ ନାମ ସବୁ ବାଲିରେ ଉଚ୍ଚାରିତ ଶ୍ଲୋକରେ ଦେଖାଯାଇଥାଏ ଯଥା- ଓଁ ଅହଲ୍ୟା ଦ୍ରୈାପଦୀ, ସୀତା, ତାରା (ତାରା) ମନ୍ଦୋଦରୀ ତଥା ପଂଚକନ୍ୟା ସ୍ମରେ ନିତ୍ୟମ୍‌”। ଆମ ଓଡିଶାରେ ପ୍ରଚଳିତ ଅନେକ ଗ୍ରାମୀୟ କାହାଣୀ ମଧ୍ୟ ବାଲିରେ ପ୍ରଚଳିତ। ବାଲିଦ୍ୱୀପରେ ଆମ ଲୋକକଥା ‘ଟୁଆଁଟୁଇଁ’ ଗଳ୍ପ ବିଶେଷ ଭାବରେ ଜନପ୍ରିୟ ହୋଇଅଛି। ବାଲିରେ ବାସ କରୁଥିବା ବ୍ରାହ୍ମଣ ଲୋକମାନଙ୍କ ଗୃହରେ ‘ତାଳପତ୍ରପୋଥି’ ଓଡିଶା ବ୍ରାହ୍ମଣ୍ୟ ପରିବାର ପରି ରହିଅଛି।
ନୃତ୍ୟ ଓ ନାଟକାଦି ଅଭିନୟ କ୍ଷେତ୍ରରେ ବାଲିବାସୀମାନେ ଭାରତୀୟ ପୁରାଣରେ ଚର୍ଚ୍ଚିତ ବିଷୟବସ୍ତୁ ଗୁଡିକୁ ପ୍ରାଧାନ୍ୟ ଦେଇଥାଆନ୍ତି। ଉତ୍କଳରେ ପ୍ରଚଳିତ ‘ଗୋଟିପୁଅନୃତ୍ୟ’ ବାଲିରେ ମଧ୍ୟ ଅନୁଷ୍ଠିତ ହୁଏ। ସେଠାରେ ଅଭିନୀତ ‘ଚୁମବୁଙ୍ଗ’ ନୃତ୍ୟ ଶୈଳୀ ସହିତ ଓଡିଶାର ଓଡିଶୀ ନୃତ୍ୟ ସହିତ ଓ ପୂର୍ବ ଭାରତୀୟ ଲୋକନୃତ୍ୟ ସହିତ ଗଭୀର ସାମଞ୍ଜସ୍ୟ ଥିବାର ସ୍ପଷ୍ଟ ଜଣାଯାଇଥାଏ। ସେଠାରେ ପ୍ରଯୋଜିତ କେକକ ନୃତ୍ୟ ବା ବାନର ନୃତ୍ୟ, ବାରୋଙ୍ଗ ବା ବାଘନୃତ୍ୟ ଓଡିଶାରେ ଅନୁଷ୍ଠିତ ପାଇକ ନୃତ୍ୟ ଓ ବାଘନୃତ୍ୟ ସହିତ ସଂପୃକ୍ତି ଥିବାର ଅନୁଭବ ହୋଇଥାଏ। ବାଲିରେ ଅନୁଷ୍ଠିତ ଆହୁରି ଅନେକ ଅଭିନୟ ଓ ନୃତ୍ୟର ଶୈଳୀ ଭାରତୀୟ ଏବଂ ଉତ୍କଳୀୟ ଧାରାର ବୋଲି ଜଣାଯାଇଥାଏ।
ଏସବୁ ବ୍ୟତୀତ ବାଲିଦ୍ୱୀପରେ ଗଢି ଉଠିଥିବା ହଜାର ହଜାର ମନ୍ଦିର ଗାତ୍ରରେ ଉତ୍କଳୀୟ କଳା ସ୍ଥାପତ୍ୟର ନିଦର୍ଶନ ଦେଖିବାକୁ ମିଳିଥାଏ। ସେଠାରେ ଥିବା ଶୈବମନ୍ଦିର ଗୁଡିକ ଗାତ୍ରରେ ଖୋଦିତ କଳାଶୈଳୀ ଭୁବନେଶ୍ୱରସ୍ଥିତ ରାଜାରାଣୀ ମନ୍ଦିର, ବୈତାଳ ମନ୍ଦିର ଓ ମୁକ୍ତେଶ୍ୱର ମନ୍ଦିରରେ ଥିବା ପ୍ରସ୍ତର କଳା ଭାସ୍କର୍ଯ୍ୟ ସହିତ ବହୁଳ ସାମଞ୍ଜସ୍ୟ ରହିଛି ବୋଲି ଅନୁଭବ ହୁଏ। ଉଦୟଗିରି ଗୁମ୍ଫାର ସୂକ୍ଷ୍ମ ଚିତ୍ରକଳା, ବୈାଦ୍ଧ ମଣ୍ଡିତ ରତ୍ନଗିରିର ସୂକ୍ଷ୍ମକଳା ସ୍ଥାପତ୍ୟ ଏବଂ ଧଉଳିଗିରି ଏବଂ ଲାଙ୍ଗୁଡା ପାହାଡରୁ ଆବିଷ୍କୃତ ଅଶୋକସ୍ତମ୍ଭ ଆଦିର କଳାସ୍ଥାପତ୍ୟ ଯେ ବାଲି ମନ୍ଦିରକୁ ଅନେକ ପ୍ରଭାବିତ କରିଛି, ଯାହା ଯଥାର୍ଥରେ ହୃଦବୋଧ ହୋଇଥାଏ। ଯାଜପୁର ଓ ଭୁବନେଶ୍ୱରରେ ଗଢି ଉଠିଥିବା ଅସଂଖ୍ୟ ମନ୍ଦିର, ବିଷ୍ଣୁ ମନ୍ଦିର ଗୁଡିକ ପରି ବାଲିଦ୍ୱୀପରେ ରହିଛି ଆଶାତୀତ ମନ୍ଦିର ସମୂହ।
ଓଡିଶା ପରି ବାଲିବାସୀମାନେ ମଧ୍ୟ ପ୍ରାଚୀନ ନୈାବାଣିଜ୍ୟକୁ ସ୍ମରଣ କରିବା ପାଇଁ ‘କେପେସିହ’ ଉତ୍ସବ ପାଳନ କରିଥାଆନ୍ତି। ଏହି ଉତ୍ସବ ପାଳନ କରିବା ଅବସରରେ ସେମାନେ ଛୋଟ ଛୋଟ ଡଙ୍ଗାମାନ ହାତରେ ତିଆରି କରି, ତା ଉପରେ ମହମବତୀ ଜଳାଇ ପାଣିରେ ଭସାଇ ଥାଆନ୍ତି। ବାଲିବାସୀ କଳିଙ୍ଗ ସହ ନୈାବାଣିଜ୍ୟର ସଂପର୍କକୁ ଏଥିରେ ସ୍ମରଣ କରି ନିଜ ପିଲାମାନଙ୍କୁ ପୂର୍ବ ପୁରୁଷଙ୍କ ଦେଶ (କଳିଙ୍ଗ) କୁ ପଠାଇବାର ଅଭିନୟ କରିଥାଆନ୍ତି। ଆମ ଓଡିଶାରେ ମଧ୍ୟ ସେହିପରି କଦଳୀ ବା ସଙ୍ଗାରେ ଡଙ୍ଗା ତିଆରି କରି ତହିଁରେ ଘିଅ ଦୀପ ଜଲାଇ ପାଣିରେ କାର୍ତିକ ମାସ ପୂର୍ଣ୍ଣିମା ଦିନ ନଦୀ, ପୋଖରୀରେ ଭସାଇ ଦେଇଥାଉ। ଏହା ହେଉଛି ବାଲିଦ୍ୱୀପ ସହିତ ନୈାବାଣିଜ୍ୟ ସଂପର୍କକୁ ଉଜ୍ଜୀବିତ କରିବାର ଏକ ପ୍ରାଚୀନ ପରମ୍ପରା। ଏଥିପାଇଁ କେଉଁ ଏକ ଅଜ୍ଞାତ ସମୟରୁ ହଜାର ବର୍ଷର ସହର କଟକ ମହାନଗରୀସ୍ଥ ଗଡଗଡିଆ ଘାଟରେ ପାଳିତ ହୋଇ ଆସୁଛି ବାଲିଦ୍ୱୀପ ସହିତ ଉତ୍କଳୀୟ ନୈାବାଣିଜ୍ୟର ସ୍ମରଣୀୟ ଅଧ୍ୟାୟ “ଐତିହାସିକ ବାଲିଯାତ୍ରା”। ଯାହା ନିର୍ବିବାଦରେ ଏକ ନିଚ୍ଛକ ସତ୍ୟର ପ୍ରକୃଷ୍ଟ ଉଦାହରଣ ବୋଲି କୁହାଯାଇଥାଏ।
                                                                                                                 ନିରଞ୍ଜନ ମେକାପ   ଇଚ୍ଛାପୁର, ଶ୍ରୀବଳଦେବଜୀଉ
                                                                                                                         କେନ୍ଦ୍ରାପଡା, ମୋ.-୭୮୭୩୯୮୩୯୧୧

 

Next Post

बालीदीप, उत्कल समुद्री व्यापार का एक स्मारक

Mon Nov 3 , 2025
प्राचीन उत्कल या कलिंग का ब्यापारी इतिहास भारतीय नौबणिज्य इतिहास के पन्नों में एक विशिष्ट स्थान रखता है। यह स्मरणीय और प्रसिद्ध नौबणिज्य परंपरा जितनी मनोरम है, उतनी ही भावपूर्ण, मनोरंजक, मनोरम और रोमांचक भी है। वे बीते ज़माने के थे, जब साहसी कलिंग साधव युबाकने समुद्री यात्राओं और व्यापार […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading