
ପଟ୍ଟାମୁଣ୍ଡାଇ ୪ା୯ (ନରେନ୍ଦ୍ର ଧଳା )-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ ନଦୀର ବନ୍ୟା ଜଳରେ ପ୍ରଭାବିତ ଧୋୟାଂଚଳ ପେଣ୍ଠପାଳ ପଂଚାୟତର ବିଭିନ୍ନ ଗ୍ରାମରେ ଜାତୀୟ ସେବା ଯୋଜନା ପକ୍ଷରୁ ବନ୍ୟା ରିଲିଫ ସାମଗ୍ରୀ ବଂଟନ କରାଯାଇଛି।ସମ୍ପ୍ରତି ବ୍ରାହ୍ମଣୀ ନଦୀରେ ଆସିଥିବା ବନ୍ୟା ଯୋଗୁଁ ପେଣ୍ଠପାଳ, କୋଳଥୀଆ ଓ ଆଖପାଖ ଅଂଚଳର ଜନଜୀବନ ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡ଼ିଛି। ଲୋକମାନେ ଜଳବନ୍ଦୀ ଅବସ୍ଥାରେ ରହି ରନ୍ଧା ଖାଦ୍ୟ ଓ ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ବିପଦ ସମୟରେ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀମାନେ ବନ୍ୟାପ୍ରପୀଡ଼ିତ ଅଂଚଳରେ ପହଁଚି ଲୋକଙ୍କୁ ଶୁଖିଲା ଖାଦ୍ୟ ଛୁଡ଼ା, ଗୁଡ଼, ବିସ୍କୁଟ ସହ ପାନୀୟ ଜଳ, ବିଶୋଧନ ବଟିକା, ଓଆରଏସ ଓ ମଶାଧୂପ ଆଦି ଆବଶ୍ୟକୀୟ ସାମଗ୍ରୀ ବଂଟନ କରିଛନ୍ତି। ପେଣ୍ଠପାଳ ସମିତିସଭ୍ୟ ଶଶାଙ୍କ ଶେଖର ବିଶ୍ୱାଳଙ୍କ ତତ୍ୱାବଧାନରେ ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀ ସଚଗଠନ ଅଧିକାରିଣୀ ଡଃ ପଦ୍ମଜା କବି ଶତପଥୀ ସମେତ ବିଭିନ୍ନ କଲେଜରୁ ଆସିଥିବା ଜାତୀୟ ସେବା ଅଧିକାରୀ ଅଧ୍ୟାପିକା ଡ଼ ସସ୍ମିତା ବିଶ୍ୱାଳ, ଦୀପ୍ତିମୟୀ ସ୍ୱାଇଁ, ବନସ୍ମିତା ପରିଡା, ଅଧ୍ୟାପକ ନଟବର ସୁତାର, ପ୍ରଦୀପ ରାଉତ, ମୃତ୍ୟୁଞ୍ଜୟ ମହାନ୍ତି, ଡ଼ ଆଲୋକ ବେହେରା ସମେତ ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଜାତୀୟ ସେବା ଯୋଜନାରେ ଛାତ୍ରୀଛାତ୍ର ଯୋଗ ଦେଇଥିଲେ । ବିପଦ ସମୟରେ ଏଭଳି ସାହାଯ୍ୟର ହାତ ବଢ଼ାଇଥିବାରୁ ସ୍ଥାନୀୟ ବାସୀଙ୍କ ପକ୍ଷରୁ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀମାନଙ୍କୁ ସାଧୁବାଦ ଜଣାଯାଇଛି।
