
ପଟ୍ଟାମୁଣ୍ଡାଇ, ୫ା୯-ପଟ୍ଟାମୁଣ୍ଡାଇ ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଥିବା ଓକିଲ ସଂଘ କାର୍ଯ୍ୟାଳୟ ମଧ୍ୟରେ ଭାରତର ପ୍ରଥମ ଉପ-ରାଷ୍ଟ୍ରପତି, ଦ୍ୱିତୀୟ ରାଷ୍ଟ୍ରପତି, ମହାନ ଦାର୍ଶନିକ ତଥା ଆଦର୍ଶ ଶିକ୍ଷକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ପବିତ୍ର ଜନ୍ମ ଜୟନ୍ତୀ ତଥା ଗୁରୁ ଦିବସ ଶ୍ରଦ୍ଧା ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ସଂଘର ଉପ ସଭାପତି ଆଇନଜୀବୀ ଗୋପୀନାଥ ତ୍ରୀପାଠୀ, ସମ୍ପାଦକ ରବିନ୍ଦ୍ର ଦାଶ, ଯୁଗ୍ମ ସଂପାଦକ କୁମାର ସତ୍ୟନାରାୟଣ ନାୟକ, ପାଠାଗାର ସମ୍ପାଦିକା ସିନା ରାଣୀ ଓଝା, ବାରିଷ୍ଠ ଆଇନଜୀବୀ ଭୀମସେନ ପ୍ରଧାନ, ବିଜୟ କୁମାର ରାଉତ, ପ୍ରକାଶ ପାତ୍ର, ସରକାରୀ ଓକିଲ ସୁଶାନ୍ତ ସାମଲ, ସୁରେଶ ନରେନ୍ଦ୍ର, ଶିଶିର ମଲ୍ଲିକ, ବିଜ୍ଞାନ ମିହିର ଜେନା, ନନ୍ଦ ଦୁଳାଲ ଜେନା, ପବିତ୍ର ବେରା, ଚପଲାଂସୁ ବେରା ପ୍ରମୁଖ ଯୋଗ ଦେଇ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଉପସ୍ଥିତ ବରିଷ୍ଠ ଓ କନିଷ୍ଠ ଆଇନଜୀବୀମାନେ ଡକ୍ଟର ରାଧାକ୍ରିଷ୍ଣନ୍ଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଡକ୍ଟର ରାଧାକ୍ରିଷ୍ଣନ୍ଙ୍କ ଜୀବନାଦର୍ଶ, ଶିକ୍ଷା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଯୋଗଦାନ ଏବଂ ସମାଜ ଗଠନରେ ଗୁରୁଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଆଇନଜୀବୀମାନେ ମତବ୍ୟକ୍ତ କରିଥିଲେ ଯେ, ଆଇନ ପେଷା ମଧ୍ୟ ଏକ ଶିକ୍ଷଣୀୟ ପ୍ରକ୍ରିୟା ଏବଂ ପ୍ରତ୍ୟେକ ବରିଷ୍ଠ ଆଇନଜୀବୀ କନିଷ୍ଠମାନଙ୍କ ପାଇଁ ଗୁରୁତୁଲ୍ୟ। ତେଣୁ ସମାଜରେ ନ୍ୟାୟ ପ୍ରଦାନ ଓ ନୈତିକତା ବଜାୟ ରଖିବାରେ ଜଣେ ଶିକ୍ଷକଙ୍କ ପରି ଆଇନଜୀବୀଙ୍କର ମଧ୍ୟ ପ୍ରମୁଖ ଦାୟିତ୍ୱ ରହିଛି। ଭାରତୀୟ ସଂସ୍କୃତିରେ ଗୁରୁଙ୍କୁ ଇଶ୍ୱରଙ୍କ ସହ ତୁଳନା କରାଯାଏ । ଗୁରୁ ମାନେ ଅଜ୍ଞାନତାର ଅନ୍ଧକାର ରୁ କାଢି ଜ୍ଞାନର ଆଲୋକ ଦେଖାଇ ଥାନ୍ତି ବୋଲି ପରିପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋର୍ଟର କର୍ମଚାରୀବୃନ୍ଦ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
