
କେନ୍ଦ୍ରାପଡ଼ା,୭ା୩: ଜିଲ୍ଲା ପ୍ରଶାସନର ସମାଜ କଲ୍ୟାଣ ବିଭାଗ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡା ପୈାରସଂସ୍ଥା ଟାଉନହଲ ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ମନୋରମା ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ। ସେ କହିଥିଲେ ଯେ ନାରୀ ଏବଂ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ଆମେ ସମସ୍ତେ ଏକାଠି ହୋଇ ହାତକୁ ହାତ ମିଳାଇ ପ୍ରୟାସ ଜାରି ରଖିଲେ ସମାଜର ଉନ୍ନତି ସମ୍ଭବ ହୋଇପାରିବ । ପୁରାଣ କାଳରେ ମଧ୍ୟ ନାରୀମାନଙ୍କୁ ଶ୍ରେଷ୍ଠ ସମ୍ମାନ ଦିଆଯାଉଥିଲା। ତେଣୁ ପ୍ରତ୍ୟେକ ନାରୀଙ୍କୁ ସମସ୍ତେ ଉପଯୁକ୍ତ ସମ୍ମାନ ଦେବା ଉଚିତ । ମୁଖ୍ୟବକ୍ତା ଭାବେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁ ଯୋଗଦେଇ ନିଜ ଅନୁଭୂତିରୁ କହିଥିଲେ ଯେ ୨୫ବର୍ଷ ବୟସରେ ସେ ଆଜି ବିଚାର ବିଭାଗୀୟ ସେବା ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ଯାହା ପଛରେ ତାଙ୍କ ମାଆଙ୍କ ସହିତ ପିତାଙ୍କର ମଧ୍ୟ ଯଥେଷ୍ଟ ଭୂମିକା ରହିଛି । ଆଜି ଦେଶର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ବହୁ ଉଚ୍ଚ ପଦପଦବୀରେ ମହିଳାମାନେ ଆସୀନ ହୋଇ ଦେଶ ସେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ମହିଳାମାନଙ୍କର ଅଳଙ୍କାର ପ୍ରତି ଯେତିକି ଆଗ୍ରହ ରହିଛି ଜ୍ଞାନ ବୃଦ୍ଧି ନିମନ୍ତେ ସେତିକି ଆଗ୍ରହ ରହିଲେ ସେମାନେ ସମାଜର ପ୍ରମୁଖ ସ୍ଥାନରେ ପହଞ୍ଚି ପାରିବେ। ଅନ୍ୟତମ ଅତିଥି ଭାବେ ନଗରପାଳ ସରିତା ସାହୁ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ କାର୍ଯ୍ୟକ୍ରମ ଅଧିକାରୀ ଭାରତୀ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରମୋଦ କୁମାର ପ୍ରହରାଜ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ସଚିଦାନନ୍ଦ ମିଶ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ନୃପେନ ଶତପଥୀ, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଆରତୀ ସାହୁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ବାଲ୍ୟବିବାହ ଜିଲ୍ଲା ସଂଯୋଜକ ଅମିତା ସିଂ, ମମତା ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ମନୋରଞ୍ଜନ ଦାସ, ପୋଷଣ ଜିଲ୍ଲା ସଂଯୋଜକ ସଞ୍ଜୟ ପାତ୍ର, ମମତା କାର୍ଯ୍ୟକ୍ରମ ସହକାରୀ ଶୁଭେନ୍ଦୁ ଦାସ ପ୍ରମୁଖ ଉତ୍ସବ ପରିଚାଳନାରେ ସହ ଯୋଗ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସେବା ପ୍ରଦାନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଶିଶୁ ବିକାଶ ଯୋଜନା ଅଧିକାରୀ, କ୍ଷେତ୍ର ପରିଦର୍ଶକ, ଅଙ୍ଗନୱାଡି କର୍ମୀ ଓ ସହକାରୀମାନଙ୍କୁ ପ୍ରମାଣ ପତ୍ର, ମୋମେଣ୍ଟୋ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ମଞ୍ଚ ସଂଯୋଜନା କରିଥିବା ବେଳେ ଡିପିସି ମମତା ମନୋରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଶିଶୁବିକାଶ ଯୋଜନା ଅଧିକାରୀ, କ୍ଷେତ୍ରପରିଦର୍ଶିକା, ଅଙ୍ଗନୱାଡିକର୍ମୀ, ସହାୟିକାମାନେ ଉପସ୍ଥିତ ଥିଲେ।
