
ପଟ୍ଟାମୁଣ୍ଡାଇ ୫/୯ -ଗୀତ, ବାଦ୍ୟ, ନୃତ୍ୟ, ନାଟ୍ୟ ଓ ଚିତ୍ରର ଏହି ପଂଚକଳାର ଅନୁପମ ସଙ୍ଗମସ୍ଥଳୀ ତଥା ଓଡ଼ିଶାର ସର୍ବବୃହତ ପଂଚକଳା-ତୀର୍ଥ “ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର’ (ଗଡମେକର) ଆନୁକୂଲ୍ୟରେ ଗୁରୁ ଦିବସ ଉତ୍ସବ-୨୦୨୬ ଅତ୍ୟନ୍ତ ଆଡ଼ମ୍ବର ଓ ଶ୍ରଦ୍ଧାପୂର୍ଣ୍ଣ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବଡ଼ମୂଳବସନ୍ତ ନସିପୁର ସ୍ଥିତ ଗୋପାଳ ଦାଶ ସ୍ମାରକୀ ଭବନ ପରିସରରେ ଆୟୋଜିତ ଏହି ମହୋତ୍ସବରେ ଶିକ୍ଷା, ସଂସ୍କୃତି ଓ କଳା କ୍ଷେତ୍ରର ବହୁ ଗୁରୁ, ଶିକ୍ଷାର୍ଥୀ ଏବଂ ଗୁଣଗ୍ରାହୀ ବ୍ୟକ୍ତିବିଶେଷ ଯୋଗଦେଇ ଗୁରୁ ପରମ୍ପରାର ମାହାତ୍ମ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଗୁରୁ ଦିବସ ସମାରୋହରେ “ଗଡମେକରର ପ୍ରତିଷ୍ଠାତା-ନିର୍ଦ୍ଦେଶକ, ବିଶିଷ୍ଟ ଗୀତିକବି ତଥା ଗୁରୁଶ୍ରୀ ସୁଶାନ୍ତ କୁମାର ପାଣି ପୌରୋହିତ୍ୟ କରିଥିଲେ। ସଭାକୁ ସମ୍ବୋଧିତ କରି ସେ କହିଥିଲେ ଯେ, “ଗୁରୁ ହେଉଛନ୍ତି ଜ୍ଞାନର ଆଲୋକବର୍ତିକା। ଶିଷ୍ୟର ଅଜ୍ଞାନତା ରୂପକ ଅନ୍ଧକାରକୁ ଦୂର କରି ସାଧୁତା, ନୈତିକତା ଓ ସଂସ୍କୃତିର ମାର୍ଗ ଦେଖାଇବାରେ ଗୁରୁଙ୍କ ଭୂମିକା ଅତୁଲନୀୟ। କଳା ଓ ସଂସ୍କୃତିର ବିକାଶ ପାଇଁ ନିଷ୍ଠାପର ଗୁରୁ ଶିଷ୍ୟ ପରମ୍ପରାର ନିତାନ୍ତ ଆବଶ୍ୟକତା ରହିଛି। ଉତ୍ସବରରେ ବରେଣ୍ୟ ଅତିଥି ଭାବେ ଗୁରୁଶ୍ରୀ ସମୀରଞ୍ଜନ ଦାସ, ଗୁରୁଶ୍ରୀ ରମେଶ କୁମାର ଦେ ଏବଂ ଅନୁଷ୍ଠାନର ସଙ୍ଗଠନ ସମ୍ପାଦକ ଧ୍ରୁବଚରଣ ସାହୁ ମଂଚାସୀନ ହୋଇ ଆଲୋଚନାରେ ଭାଗ ନେଇଥିଲେ। ମୁଖ୍ୟ ବକ୍ତା ଓ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଗୁରୁ ସତା ଓ ମାହାତ୍ମ୍ୟ ଉପରେ ଆଲୋକପାତ କରି କହିଥିଲେ ଯେ, “ଗୁରୁ ସଦାପୂଜ୍ୟ ଏବଂ ଚିର ବରଣୀୟ।’ ଗୁରୁ ସର୍ବଦା ନିଜର ମହତ୍ୱ ଓ ଗୁରୁତ୍ୱ ବଜାୟ ରଖନ୍ତି । ସେ କଦାପି ଲଘୁ ହୁଅନ୍ତି ନାହିଁ। ନିଜର ଆଦର୍ଶ, ନିଷ୍ଠା ଓ ଗୁରୁତ୍ୱ ପ୍ରତିପାଦନରେ ହିଁ ଜଣେ ଗୁରୁଙ୍କ ସାର୍ଥକତା ନିହିତ ଥାଏ। ଆଜିକାଲିର ଦ୍ରୁତ ପରିବର୍ତର୍ିତ ପରିବେଶ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିକ୍ଷାଦାନ ପ୍ରଣାଳୀରେ ମଧ୍ୟ ସଂସ୍କାର ଆଣିବାର ଆବଶ୍ୟକତା ରହିଛି ବୋଲି ସେମାନେ ମତ ପ୍ରକାଶ କରିଥିଲେ। ସେମାନେ କହିଥିଲେ ଯେ, ବଦଳୁଥିବା ସମୟ ସହ ତାଳ ଦେଇ ଗୁରୁମାନେ ନିଜ ଶିକ୍ଷାଦାନ ପଦ୍ଧତିରେ ଆଧୁନିକତା ଓ ଯୁଗୋପଯୋଗୀ ପରିବର୍ତନ ଆଣିବା ଆବଶ୍ୟକ। ସେହିପରି ଅନ୍ୟପଟେ ଶିକ୍ଷାର୍ଥୀମାନେ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନରହି ନିଜର ମୌଳିକତା, ନୈତିକ ମୂଲ୍ୟବୋଧ ଏବଂ ଆମର ସମୃଦ୍ଧ ସାଂସ୍କୃତିକ ପରମ୍ପରାର ସୁରକ୍ଷାରେ ବ୍ରତୀ ରହିବା ଉଚିତ। ଯେତେବେଳେ ଶିକ୍ଷାର୍ଥୀ ଗୁରୁଙ୍କ ଦର୍ଶାଯାଇଥିବା ମାର୍ଗରେ ଚାଲି ପରମ୍ପରାକୁ ରକ୍ଷା କରିବ, ସେତେବେଳେ ହିଁ ଗୁରୁ ଦିବସ ପାଳନର ପ୍ରକୃତ ସାର୍ଥକତା ବଜାୟ ରହିବ। ଏହି ଅବସରରେ ଅନୁଷ୍ଠାନର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଗୀତ, ନୃତ୍ୟ ଓ ଚିତ୍ରକଳା ପରିବେଷିତ ହୋଇଥିଲା। ଏହି ଉତ୍ସବରେ ଉତ୍ସବ ପ୍ରାରମ୍ଭରେ ଦୂରଦର୍ଶନ ଶିଳ୍ପୀ ସ୍ମୃତିପ୍ରିୟା ପ୍ରଧାନ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ସହକାରୀ ଶିକ୍ଷୟିତ୍ରୀ ବିଶ୍ୱ ମୋହିନୀ ଦାସ କୃତଜ୍ଞତା ଜ୍ଞାପନ କରିଥିଲେ। ଉତ୍ସବ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଦୂରଦର୍ଶନ ନୃତ୍ୟଶିଳ୍ପୀ ବୈଶାଖୀ ରାଉତ, ପ୍ରତ୍ୟାଶା ଦାସ ଓ ଅନ୍ୟାମାନେ। ଆଦ୍ୟପାଦପରେ ନିଖିଳ-ଜଗତ-ଗୁରୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନା ପରେ ଗୁରୁବନ୍ଦନା ଗାନ କରିଥିଲେ । ଅନୁଷ୍ଠାନର ଆକାଶବାଣୀ ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ସୁପ୍ରିୟା ସେନ୍, ସୁଶ୍ରୀ ସମନ୍ୱିତା ଦାଶ, ସ୍ୱୟଂଶ୍ରୀ ରାଉତ, ତନୁଜା ଦାଶ, ଆଦ୍ୟାଶା ଦାସ ପ୍ରମୁଖ ଓ ବାଦ୍ୟଯନ୍ତ୍ରର ସହଯୋଗ କରିଥିଲେ । ବିଶ୍ୱଜିତ ଦାସ, ସମୀର ପଣ୍ଡା ଓ ସରୋଜ ପଣ୍ଡା। ସଭା ଶେଷରେ ଶିକ୍ଷାର୍ଥୀମାନଙ୍କ ଦ୍ୱାରା ବିଭିନ୍ନ ଉପହାରମାନ ଗୁରୁଙ୍କୁ ପ୍ରଦାନ କରାଯାଇଥିଲା।
