
ପଟ୍ଟାମୁଣ୍ଡାଇ ୯/୧୦ – ଓଡିଶାରେ ଜନ୍ମ ନେଇଥିବା ମହାପୁରୁଷଙ୍କ ମଧ୍ୟରୁ ପୂଣ୍ୟଶ୍ଲୋକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ଗୁରୁବାର ପଟ୍ଟାମୁଣ୍ଡାଇର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କ ପ୍ରତିମୂର୍ତିିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ କରାଯାଇଛି । ଏହି ପରିପେକ୍ଷୀରେ ପଟ୍ଟାମୁଣ୍ଡାଇ ବ୍ଲକ ବରିଷ୍ଠ ନାଗରିକ ମଂଚ ତରଫରୁ ଚିତବିନୋଦନ ଗୃହ ପରିସରରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତି ପାଳିତ ହୋଇଛି । ବରିଷ୍ଠ ନାଗରିକ ମଂଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳ ସଭାପତିତ୍ୱ କରି କହିଥିଲେ “ମିଶୁ ମୋର ଦେହ ଏ’ ଦେଶ ମାଟିରେ ଦେଶବାସୀ ଚାଲି ଯାଆନ୍ତୁ ପିଠିରେ, ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଢ଼ ପୁରୁ ତହିଁ ପଡି ମୋର ମାଂସ ହାଡ଼” ଏହି ଦୁଇ ଧାଡ଼ି କବିତାରୁ ବାରି ହୁଏ ତାଙ୍କ ତ୍ୟାଗ ଓ ବଳିଦାନର ଗାଥା ସେ ନିଃସ୍ୱାର୍ଥ ସେବାର ମୂର୍ତିମନ୍ତ ବିଗ୍ରହ ଥିଲେ । ଆଜୀବନ ତ୍ୟାଗମନ୍ତ୍ରରେ ଦୀକ୍ଷିତ ଗୋପବନ୍ଧୁ ଦୀନ ଦରିଦ୍ରଙ୍କର ବନ୍ଧୁ ଭାବରେ ବେଶ୍ ଜଣାଶୁଣା ଥିଲେ। ସେ ଥିଲେ ଏକାଧାରରେ ସମାଜସେବୀ, ସଂସ୍କାରକ, ବିଶିଷ୍ଟ ଶିକ୍ଷାବିତ୍, ଆଇନଜ୍ଞ, ସ୍ୱାଧୀନତା ସଂଗ୍ରାମୀ, ବ୍ୟବସ୍ଥାପକ ସଭ୍ୟ, କବି ତଥା ଖବରଦାତା ଜଗତର ମଉଡମଣି ଭାବେ ଉତ୍କଳ ପ୍ରଦେଶରେ ମଣି (ଉତ୍କଳମଣି) ଉପାଧି ଦିଆଯାଇଛି । ଆଧୁନିକ ଯୁଗର ପଂଚସଖାମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ । ଏହି ସଭାରେ ବରିଷ୍ଠ ନାଗରିକ ମଂଚ ସମ୍ପାଦକ ପ୍ରଫେସର ଭରତ ଚନ୍ଦ୍ର ପାତ୍ର, କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ୱାଇଁ, ଯୁଗ୍ମ ସମ୍ପାଦକ ବିଜୟ କୁମାର ସାହୁ, କୋଷାଧ୍ୟକ୍ଷ ଚର୍ତୁଭୂଜ ରାଉଳ, ସଭ୍ୟ ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ପ୍ରଦୀପ୍ତ କୁମାର ରଥ, ବିଜୟ ରାଉତ, ପ୍ରଫେସର ଗୋଲକ ଚନ୍ଦ୍ର ମହାରଣା, ପ୍ରଫେସର ନରହରି ଲେଙ୍କା, ପ୍ରାବନ୍ଧିକ ପ୍ରଦୀପ ନାୟକ, ଗୋକୁଲ ଚନ୍ଦ୍ର ରାଉତ, ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ପ୍ରମୋଦ ସାହୁ, ଖଗେଶ୍ୱର ଖଣ୍ଡାଇ ପ୍ରମୁଖ ଯୋଗଦାନ କରି ପୂଣ୍ୟଶ୍ଲୋକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନିସ୍ୱାର୍ଥପର ସମାଜସେବା , ଓଡିଶାର ଦୀନ ଦରିଦ୍ର,ବନ୍ୟା, ମରୁଡି ପ୍ରପିଡୀତ ଲୋକଙ୍କ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ଏକ ମହାନ ଆତ୍ମା ବୋଲି ମତପ୍ରକାଶ କରିବା ସହିତ ଗଭୀର ଶ୍ରଦ୍ଧାଞଳି ଅର୍ପଣ କରିଥିଲେ। ଶେଷରେ ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହାସହିତ ପଟ୍ଟାମୁଣ୍ଡାଇ ବିଭିନ୍ନ ସ୍ଥାନରେ ମହାପୁରୁଷ ପୂଣ୍ୟଶ୍ଲୋକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଛି ।
