
କେନ୍ଦ୍ରାପଡ଼ା,୩ା୯:୧.୦୭.୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଚାଲୁଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬ ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଗୁଡ଼ିକର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ସମସ୍ତ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ଯଥା ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର ଓ ମହାକାଳପଡ଼ାରେ ଏସଆଇଆର ପ୍ରକ୍ରିୟାର ଅଗ୍ରଗତି ନେଇ ସମୀକ୍ଷା ଓ ଆଲୋଚନା କରାଯାଇଥିଲା। ବୈଠକରେ ଭୋଟର ତାଲିକାରେ ନାମ ଯୋଗ, ବାଦ ଓ ସଂଶୋଧନ ସମେତ ଏସଆଇଆର-୨୦୨୬ ଅଧିନରେ ଚାଲୁଥିବା ବିଭିନ୍ନ କାର୍ଯ୍ୟକଳାପ ଓ ଏପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତି ସମ୍ପର୍କରେ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା। ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସ୍ୱଚ୍ଛ, ନିର୍ଭୁଲ, ସମାବେଶୀ ଓ ସୁଚାରୁ ଭାବେ ସମ୍ପାଦନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ପ୍ରକ୍ରିୟାରେ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କ ସକ୍ରିୟ ସହଯୋଗ ଓ ସହଭାଗିତା ପାଇଁ ଆଶା ପ୍ରକାଶ କରାଯାଇଥିଲା। ବୈଠକରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଭାତ କୁମାର ପାଣି, ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଡିସିସି ଉପସଭାପତି ପ୍ରଫୁଲ୍ଲ କୁମାର ଦାସ, ବିଜୁ ଜନତା ଦଳ ପକ୍ଷରୁ ଉପସଭାପତି ମୁକ୍ତାର ଖାନ, ବହୁଜନ ସମାଜ ପାର୍ଟି ପକ୍ଷରୁ ଜିଲ୍ଲା ପ୍ରଭାରୀ ସୁଧାକର ମଲ୍ଲିକ, ଆମ୍ ଆଦମୀ ପାର୍ଟି ପକ୍ଷରୁ ସାଧାରଣ ସମ୍ପାଦକ ସୂର୍ଯ୍ୟକାନ୍ତ ପରିଡ଼ା ଏବଂ ସିପିଆଇ(ଏମ୍) ପକ୍ଷରୁ ଗୟାଧର ଧଳ ଯୋଗଦେଇଥିଲେ। ଏହାସହ ୯୬-ପାଟକୁରା ନିର୍ବାଚନମଣ୍ଡଳୀର ଇଆରଓ ଅଜାମ୍ବର ମହାନ୍ତି, ୯୭-କେନ୍ଦ୍ରାପଡ଼ାର ଇଆରଓ ଅରୁଣ କୁମାର ନାୟକ, ୯୮-ଆଳିର ଇଆରଓ ନବକ୍ରିଷ୍ଣ ଜେନା, ୯୯-ରାଜନଗରର ଇଆରଓ ରବୀନ୍ଦ୍ର କୁମାର ମଲ୍ଲିକ, ୧୦୦-ମହାକାଳପଡ଼ାର ଇଆରଓ ସନ୍ଧ୍ୟାଞ୍ଜଳି ମାଝୀ ଏବଂ ଡେପୁଟି କଲେକ୍ଟର (ନିର୍ବାଚନ) ଅମୀୟ କେତନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।
