ସ୍ୱାୟତ୍ତ ଶାସନ ଦିବସରେ ବଡ଼ ବଡ଼ ଭାଷଣ

ପଟ୍ଟାମୁଣ୍ଡାଇ 1/9- ଗୋଟିଏ ପଟେ ସ୍ୱାୟତ୍ତ ଶାସନ ଦିବସ ଅବସରରେ ପୌରପରିଷଦ ପକ୍ଷରୁ ସହରର ବିକାଶ, ସ୍ୱଚ୍ଛତା ଓ ଜନସେବାକୁ ନେଇ ବଡ଼ ବଡ଼ ଭାଷଣର ସୁଅ ଛୁଟୁଛି ।ମାତ୍ର ଅନ୍ୟପଟେ ରାତି ହେଉ ହେଉ ସହରବାସୀଙ୍କୁ ଭୋଗିବାକୁ ପଡ଼ୁଛି ନର୍କଯନ୍ତ୍ରଣା। ପ୍ରଶାସନର ଦାୟିତ୍ୱହୀନତା ଓ କିଛି ଅସାଧୁ ଲୋକଙ୍କ ନିର୍ଦ୍ଦୟ କାର୍ଯ୍ୟକଳାପ ଯୋଗୁଁ ଆଜି ପଟ୍ଟାମୁଣ୍ଡାଇ ପୌରାଂଚଳର ସ୍ୱାସ୍ଥ୍ୟସେବା ଓ ସ୍ୱଚ୍ଛତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତକାଲି ରାତିରେ ସହରର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ବକ୍ତାରପୁର ବଜାରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। କେତେକ ଦାୟିତ୍ୱହୀନ ବ୍ୟକ୍ତି ନିଜ ନିଜ ଘର ଓ ପ୍ରତିଷ୍ଠାନର ଜମି ରହିଥିବା ମଇଳା, ଦୂଷିତ ଓ ଅପରିଷ୍କାର ଡ୍ରେନ୍ ପାଣିକୁ ମୋଟର ଲଗାଇ ସରାସରି ମୁଖ୍ୟ ରାସ୍ତାକୁ ଛାଡ଼ୁଛନ୍ତି। ଫଳରେ ସମ୍ପୂର୍ଣ୍ଣ ରାସ୍ତା ଦୂଷିତ ପାଣିରେ ବୁଡ଼ି ରହୁଛି। ସନ୍ଧ୍ୟା ପରେ ବଜାରକୁ ଆସୁଥିବା ଶହ ଶହ ପଦଚାରୀ, ବ୍ୟବସାୟୀ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ଆସୁଥିବା ସାଧାରଣ ଲୋକେ ଏହି ଦୁର୍ଗନ୍ଧମୟ ଜଳରେ ପଶି ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ଏହି ଦୂଷିତ ଜଳ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଚର୍ମରୋଗ, ଝାଡ଼ାବାନ୍ତି ଓ ଅନ୍ୟାନ୍ୟ ସଂକ୍ରାମକ ରୋଗ ବ୍ୟାପିବାର ଚରମ ଆଶଙ୍କା ଦେଖାଦେଇଛି। ଲୋକଙ୍କ ସ୍ୱାସ୍ଥ୍ୟ ସହ ଏଭଳି ଖେଳ ଖେଳାଯାଉଥିଲେ ସୁଦ୍ଧା ପୌର ପ୍ରଶାସନ ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛି। ଦିନବେଳେ ସ୍ୱଚ୍ଛତାର ନାଁରେ କୋଟି କୋଟି ଟଙ୍କାର ଯୋଜନା ଓ ସଭାସମିତିର ଡିଣ୍ଡିମ ପିଟାଯାଉଥିବା ବେଳେ ରାତିର ଏହି ନଗ୍ନଛବି ପୌରପରିଷଦର ଅସଲ ଚେହେରାକୁ ପଦାରେ ପକାଇଦେଇଛି।ସ୍ୱାୟତ୍ତ ଶାସନ ଦିବସର ଡ୍ରାମାବାଜି ଓ ମିଥ୍ୟା ପ୍ରତିଶ୍ରୁତି ବନ୍ଦ କରି ପୌରପରିଷଦ ତୁରନ୍ତ ବାସ୍ତବ ସମସ୍ୟାର ସମାଧାନ କରୁ। ଯେଉଁମାନେ ବେଆଇନ୍ ଭାବେ ମୋଟର ଲଗାଇ ରାସ୍ତାକୁ ଦୂଷିତ ପାଣି ଛାଡ଼ୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ବକ୍ତାରପୁର ବଜାର ସହ ସମ୍ପୂର୍ଣ୍ଣ ପୌରାଂଚଳର ଡ୍ରେନେଜ୍ ବ୍ୟବସ୍ଥାକୁ ସୁଧାରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉ। ନଚେତ୍ ଆଗାମୀ ଦିନରେ ଅଂଚଳବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ପ୍ରଦିପ ସାମନ୍ତରାୟ, ଅଶୋକ ନାୟକ, ଦିଲୁ ବେହେରା, ଉପେନ୍ଦ୍ର ନାୟକ, ନରହରି ଜେନା ସମେତ ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।
