
ପଟ୍ଟାମୁଣ୍ଡାଇ ୧/୯ -ଗତ କିଛି ଦିନର ବନ୍ୟା ଦାଉରୁ ଆଶ୍ୱସ୍ତି ମିଳିବା ପରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳ ବନ୍ୟା ପ୍ରପିଡିତଙ୍କ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବାକୁ ଲାଗିଥିଲା। ସିଂହଗାଁ ପଂଚାୟତ ବାହ୍ୟଜଗତରୁ ବଛିିନ୍ନ ହୋଇହିଥିବା ବେଳେ ପେଣ୍ଠପାଳ ପଂଚାୟତର କେତେକ ଗ୍ରାମରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିରହିଛି । ହେଲେ ଅନ୍ୟ ଧୋୟାଂଚଳରେ ବନ୍ୟା ଜଳ ହ୍ରାସ ପାଇବା ସହ ଲୋକଙ୍କ ଯାତାୟାତ ଓ ଚଳପ୍ରଚଳ ପୂର୍ବପରି ସ୍ୱାଭାବିକ ହେଉଥିଲା। ମାତ୍ର ମଙ୍ଗଳବାର ସନ୍ଧ୍ୟାରେ ପୁଣି ଥରେ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ପଟ୍ଟାମୁଣ୍ଡାଇ ବ୍ଲକ ପୌରାପରିଷଦର ତଳିଆଂଚଳର ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଭୟ ଓ ଆଶଙ୍କା ପ୍ରକାଶ ପାଇଛି।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ବ୍ରାହ୍ମଣୀ ଓ କାଣି ନଦୀଗୁଡ଼ିକରେ ବନ୍ୟା ଜଳ ପ୍ରବେଶ କରିବା ଦ୍ୱାରା ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତ ସମେତ ପୌରାଂଚଳର ୧୧ ଓାର୍ଡ ଜଳମଗ୍ନ ହୋଇପଡ଼ିଥିଲା। ଗ୍ରାମୀଣ ରାସ୍ତାଘାଟ ବୁଡ଼ିଯିବା ସହ ଶହ ଶହ ଏକର ଚାଷଜମି ପାଣିରେ ଭାସୁଥିଲା। ଗତ ଦୁଇ ଦିନ ଧରି ବର୍ଷା କମିବା ସହ ନଦୀର ଜଳସ୍ତର ଖସିବାରୁ ଲୋକେ ଆଶ୍ୱସ୍ତିର ନିଶ୍ୱାସ ମାରିଥିଲେ। ବାସଗୃହ ଓ ରାସ୍ତାଘାଟରୁ ପାଣି ଛାଡ଼ିବା ପରେ ଗ୍ରାମବାସୀମାନେ ନିଜ ନିଜର ନିତ୍ୟବ୍ୟବହାର୍ଯ୍ୟ କାର୍ଯ୍ୟ ଆରମ୍ଭ କରିଥିଲେ।ତେବେ ମଙ୍ଗଳବାର ଅପରାହ୍ନ ପରଠାରୁ ଉପରମୁଣ୍ଡରେ ପ୍ରବଳ ବର୍ଷା ରେଙ୍ଗାଲି ବନ୍ୟାଜଳ ଛାଡିବା ଯୋଗୁଁ ନଦୀଗୁଡ଼ିକରେ ପୁଣି ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସଂନ୍ଧ୍ୟା ସୁଦ୍ଧା ଅନେକ ତଳିଆଂଚଳ ରାସ୍ତା ଉପରେ ପୁଣି ବନ୍ୟା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଯାହାଫଳରେ ମାତ୍ର ଦୁଇଦିନ ପୂର୍ବରୁ ସ୍ୱାଭାବିକ ହୋଇଥିବା ଜନଜୀବନ ପୁଣି ଥରେ ବ୍ୟାହତ ହେବାକୁ ବସିଛି। ପୁନର୍ବାର ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା କରି ଗ୍ରାମବାସୀମାନେ ନିଜର ଗୃହପାଳିତ ପଶୁ ଓ ଆବଶ୍ୟକୀୟ ଜିନିଷପତ୍ର ସୁରକ୍ଷିତ ସ୍ଥାନକୁ ନେବା ଆରମ୍ଭ କରିଦେଇଛନ୍ତି।ବିଶେଷ କରି ନଦୀକୂଳିଆ ଗ୍ରାମଗୁଡ଼ିକରେ ବନ୍ୟା ପରିସ୍ଥିତିକୁ ନେଇ ଅସନ୍ତୋଷ ଓ ଆଶଙ୍କା ଦେଖାଦେଇଛି। ଘର ଭିତରେ ପୁଣି ପାଣି ପଶିବା ଭୟରେ ଲୋକମାନେ ରାତିସାରା ଜାଗ୍ରତ ରହିବାକୁ ବାଧ୍ୟ ହେଉଛନ୍ତି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି।
