
ପଟ୍ଟାମୁଣ୍ଡାଇ ୧/୯ -ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଥାନା ପକ୍ଷରୁ ନିୟମିତ ପାଟ୍ରୋଲିଙ୍ଗ ଚାଲିଥିବା ସମୟରେ ସୋମବାର ରାତ୍ରିରେ ବିପୁଳ ପରିମାଣର ବେଆଇନ ଚୋରା ମଦ ଜବତ ହେବା ସହ ଜଣେ ମଦ ବେପାରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ସ୍ଥାନୀୟ ନିଗିନିପୁର ଭେଡିସାହି ଗ୍ରାମର କାଶୀନାଥ ସେଠୀ (୩୬) ବୋଲି ପୋଲିସ ସୂଚନା ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମାଂଚଳ ଥାନା ଅଧିକାରୀ ପ୍ରଦିପ କୁମାର କନୁନଗୋଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଟିମ୍ ଅଂଚଳରେ ନିଶା କାରବାର ରୋକିବା ପାଇଁ ପାଟ୍ରୋଲିଙ୍ଗ କରୁଥିଲେ। ଏହି ସମୟରେ ନିଗିନିପୁର ଗ୍ରାମ ଭେଡିସାହି ଅଂଚଳରେ ବେଆଇନ ମଦ କାରବାର ଚାଲିଥିବା ନେଇ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା। ସୂଚନାକୁ ଆଧାର କରି ପୋଲିସ ଚଢ଼ାଉ କରିବା ସହ ଘଟଣାସ୍ଥଳରୁ ୩୬୫ ଲିଟର ୨୦୦ଗ୍ରାମ ଚୋରା ମଦ ଜବତ କରିଥିଲା। ଏହି ବେଆଇନ କାରବାରରେ ସଂପୃକ୍ତ ଥିବା ଅଭିଯୁକ୍ତ କାଶୀନାଥ ସେଠୀଙ୍କୁ ପୋଲିସ ଘଟଣାସ୍ଥଳରୁ କାବୁ କରି ଗିରଫ କରିଛି। ଜବତ ମଦକୁ ପୋଲିସ ତାଲିକାଭୁକ୍ତ କରାଇବା ପରେ ଥାନାକୁ ଅଣାଯାଇଛି। ଏହି ସଂକ୍ରାନ୍ତରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଏକ ମାମଲା ୪୩୧/୨୦୨୬ ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଅଭିଯୁକ୍ତଙ୍କ ଓକିଲ ତାଙ୍କୁ ଜାମିନରେ ମୁକୁଲାଇବା ପାଇଁ କୋର୍ଟରେ ଆପ୍ରାଣ ଉଦ୍ୟମ ଓ ଯୁକ୍ତି ପ୍ରଦର୍ଶନ କରିଥିଲେ। ମାତ୍ର ସରକାରୀ ଓକିଲ ଧୀରେନ୍ଦ୍ର ନାଥ ସାହୁ ଏହାର ଦୃଢ଼ ବିରୋଧ କରିଥିଲେ। ବିଚାରପତି ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରିଥିଲେ। ଫଳରେ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆଗାମୀ ଦିନରେ ଅଂଚଳରେ ଚୋରା ମଦ ଓ ନିଶା କାରବାର ବିରୋଧରେ ଏପରି କଠୋର ପଦକ୍ଷେପ ଏବଂ ଚଢ଼ାଉ ଜାରି ରହିବ ବୋଲି ଥାନା ଆଇଆଇସି କାନୁନଗୋ ସୂଚନା ଦେଇଛନ୍ତି । ପୋଲିସର ଏହି ସଫଳତାକୁ ନେଇ ସ୍ଥାନୀୟ ଅଂଚଳରେ ସନ୍ତୋଷ ପ୍ରକାଶ ପାଇଛି।
