ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ଶିକ୍ଷାର ଅବନତି,

 

  • ଗଢି ଉଠୁଛି ଘରୋଇ ବିଦ୍ୟାଳୟ
  • ବ୍ୟବସାୟୀଙ୍କ ନିୟନ୍ତ୍ରଣ ଶିକ୍ଷା ବ୍ୟବସ୍ଥା
  • ବାଦ ପଡିବେ ଗରିବ ଛାତ୍ରୀଛାତ୍ର

blank

ଖାଦ୍ୟ ବସ୍ତ୍ର ବାସଗୃହ ଭଳି ଶିକ୍ଷା ମନୁଷ୍ୟର ଚତୁର୍ଥ ମୌଳିକ ଆବଶ୍ୟକତା ହୋଇଥିବା ବେଳେ ଯୁଗେ ଯୁଗେ ଶିକ୍ଷାର ମାନ ହିଁ ବ୍ୟକ୍ତି, ସମାଜ, ଦେଶ ଓ ସଭ୍ୟତାର ଦ୍ୟୋତକ ଭାବେ ପରିଗଣିତ ହୋଇଆସୁଛି। ଯେକୌଣସି ସଭ୍ୟତାର ସଫଳତା, ବିକାଶଶୀଳତା, ସମୃଦ୍ଧତା, ପରିପକ୍ୱତା, ଦୂରଦର୍ଶିତା, ନୈତିକତା ତଥା ପ୍ରାସଙ୍ଗିକତା କେବଳ ସେହି ସଭ୍ୟତାର ଶିକ୍ଷିତ ସମାଜ ଉପରେ ନିର୍ଭରଶୀଳ। ସେଥିପାଇଁ ଶିକ୍ଷା ଓ ଶିକ୍ଷିତ ସମାଜର ପ୍ରାଧାନ୍ୟ ସର୍ବାଗ୍ରେ ରହିଛି। ଶିକ୍ଷାର ସର୍ବମାନ୍ୟ ପ୍ରାଧାନ୍ୟ କାରଣରୁ ପ୍ରାଚୀନ ସଭ୍ୟତାର ଶିକ୍ଷା ସୌଧମାନ ଅମ୍ଳାନ କୀର୍ତ୍ତି ସହ ତକ୍ଷଶୀଳା, ନାଳନ୍ଦା, ପୁଷ୍ପଗିରି, ବିକ୍ରମଶୀଳା ପ୍ରଭୃତି ବିଶ୍ୱବିଦ୍ୟାଳୟଗୁଡ଼ିକ ଭାରତୀୟ ସଭ୍ୟତାର କ୍ରମବିକାଶ ତଥା ଉତ୍କର୍ଷର ଶ୍ରେଷ୍ଠ ପରିଚାୟକ ହୋଇ ରହିଆସିଛି । ସେହି ଚିନ୍ତନ ଓ ଆଦର୍ଶ ଆଧାରରେ ଭାରତର ବହୁ ମନୀଷୀ ଗୁଣାତ୍ମକ ସାର୍ବଜନୀନ ଶିକ୍ଷାକୁ ଭାରତ ଭୂଖଣ୍ଡର ପ୍ରଗତିର ମୂଳପିଣ୍ଡ ଭାବରେ ସର୍ବାଧିକ ଗୁରୁତ୍ୱରୋପ କରିଥିଲେ। କିନ୍ତୁ ବର୍ତ୍ତମାନ ଭାରତରେ ଶିକ୍ଷାର ଗୁଣାତ୍ମକ ମାନ ଲଗାତର ହ୍ରାସ ପାଇଚାଲିଥିବା ବେଳେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଅମଲାତନ୍ତ୍ର ଓ ବ୍ୟବସାୟତନ୍ତ୍ର ଦ୍ୱାରା ଯନ୍ତ୍ରଣାରେ ଜର୍ଜରିତ ହୋଇ ପ୍ରାୟ ମୃତ ଅବସ୍ଥ।।କୁ ଆସିଯାଇଛି । ଶିକ୍ଷାର ଅବସ୍ଥା ଏତେ ଦୁଃଖଦାୟକ ହୋଇଗଲାଣି ପିଲାମାନଙ୍କୁ ଅର୍ଥପୂର୍ଣ୍ଣ ଶିକ୍ଷା ପ୍ରଦାନ କରିବାକୁ ବିକଳ୍ପ ଉପାୟ ଖୋଜିବାକୁ ପଡୁଛି। ଶିକ୍ଷାକ୍ଷେତ୍ର ପ୍ରତି ସରକାରଙ୍କ ଉଦାସୀନତା, ଶିକ୍ଷାସଂସ୍ଥାଗୁଡିକ ମାତ୍ରାଧିକ ବ୍ୟବସାୟୀକରଣ, ଅଣକୁଶଳୀ ଅର୍ଦ୍ଧକୁଶଳୀ ଶିକ୍ଷକ ତଥା ଅବିଭାବକମାନଙ୍କର ଅଜ୍ଞାନତା ଏଥିପାଇଁ ବହୁମାତ୍ରାରେ ଦାୟୀ ବୋଲି ଆଜି ଲୋକମତର ଆଲୋଚନାରେ ବହୁ ଶିକ୍ଷାବିତ ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି ।

ଶିକ୍ଷକ ପି ଦାଶ କୁହନ୍ତି ବର୍ତ୍ତମାନ ଓଡ଼ିଶାରେ ଓଡ଼ିଆ-ଭାଷା ମାଧ୍ୟମ ସରକାରୀ ବିଦ୍ୟାଳୟଗୁଡ଼ିକ ଶିକ୍ଷକ ଶୂନ୍ୟତା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସମସ୍ୟାରେ ଦେଇ ଗତିକରୁଛି । ସରକାରୀ ସ୍କୁଲର ଶିକ୍ଷକ ଗୁଣାତ୍ମକ ଶିକ୍ଷାଦାନକୁ ଅଧିକ ଗୁରୁତ୍ୱ ନ ଦେଇ ଅର୍ଥ ଉପାର୍ଜନ ପାଇଁ ସର୍ବଦା ଚେଷ୍ଟା କରିବାରେ ଲାଗିଛନ୍ତି । ଗୁଣାତ୍ମକ ଶିକ୍ଷା ନମିଳିବାରୁ ଅଭିଭାବକ ମାନେ ଘରୋଇ ସ୍କୁଲକୁ ଆପଣେଇଛନ୍ତି । ମଧ୍ୟବିତ ମାନେ ଘରୋଇ ସ୍କୁଲରେ ଚଢା ଫିସ ଦେଇ ନପାରି ଅଧାରୁ ଅଟକି ଯାଉଥିବା ବେଳେ ଗରିବ ଶ୍ରେଣୀର ଲୋକେ ସରକାରୀ ବିଦ୍ୟାଳରେ ରହୁଛନ୍ତି । ମାତ୍ର ସ୍ୱଚ୍ଛଳ ବର୍ଗର ପିଲାମାନେ ଚଢ଼ା ଫିସ୍ ଦେଇ ଇଂରେଜୀ ମାଧ୍ୟମ ସ୍କୁଲରେ ଅଧ୍ୟୟନ କରୁଛନ୍ତି । ଯାହାକୁ ନେଇ ଶିକ୍ଷାର ଏକ ବଡ଼ ବଜାର ବେପାରୀମାନେ ଦେଖୁଛନ୍ତି।

ଶିକ୍ଷକ ପି ପଣ୍ଡା କୁହନ୍ତି ସ୍ୱଚ୍ଛଳ ବର୍ଗର ଛାତ୍ରୀଛାତ୍ରମାନଙ୍କ ଚାହିଦା ପୂରଣ କରିବା ପାଇଁ ଶିକ୍ଷାର ମାତ୍ରାଧିକ ବ୍ୟବସାୟୀକରଣ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିଛି। ଯେଉଁ ଛାତ୍ର ବି.ଏ. କିମ୍ବା ବି.ଏସସି. ପାଠ୍ୟକ୍ରମରେ ନାମ ଲେଖାଇବାକୁ ଅଯୋଗ୍ୟ ସେମାନେ ଇଞ୍ଜିନିୟରିଙ୍ଗ ପାଠ୍ୟକ୍ରମରେ ନାମଲେଖାଇବାକୁ ଯୋଗ୍ୟ ହୋଇପାରୁଛନ୍ତି। ମାତ୍ର ଉକ୍ତ ପାଠ୍ୟକ୍ରମର ମହତ୍ତ୍ୱ ବୁଝିବାକୁ ସମର୍ଥ ହୋଇପାରୁନାହାଁନ୍ତି ଯେଉଁମାନେ ଭବିଷ୍ୟତ୍‌ରେ ଶାସନ ଓ ପ୍ରଶାସନର ଉଚ୍ଚ ପଦରେ ଅଧିଷ୍ଠିତ ହୋଇ ରାଜ୍ୟ ଶାସନର ମଙ୍ଗ ମୋଡ଼ିବେ । ଏଥିରୁ ନିଶ୍ଚିତ ଅନୁମାନ କରି ପାରୁଥିବେ ଆମ ଶିକ୍ଷା ବ୍ୟବସ୍ଥାର ଗତି କୁଆଡେ ଯାଉଛି । ସରକାରୀ ସ୍କୁଲର ପିଲାମାନେ ଛୋଟ ଚାକିରି କରିବେ ଏବଂ ସାରା ଜୀବନ ଅଧସ୍ତନ ହୋଇ ଚଳିବେ।

ଜଣେ ମେଧାବୀ ଛାତ୍ର କୁହନ୍ତି ଅନ୍ୟପକ୍ଷରେ ଯୁକ୍ତଦୁଇ ପରୀକ୍ଷା ପରେ, ପ୍ରତ୍ୟେକ ଛାତ୍ରୀଛାତ୍ର ଡାକ୍ତରୀ ଏବଂ ଇଞ୍ଜିନିୟରିଂରେ ପ୍ରବେଶ ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବାକୁ ଇଚ୍ଛା କରନ୍ତି। କିନ୍ତୁ, କୋଚିଂର ଅଧିକ ମୂଲ୍ୟ ଯୋଗୁଁ, ଶହ ଶହ ଛାତ୍ରୀଛାତ୍ରଙ୍କ ସ୍ୱପ୍ନ ଅଧୁରା ରହଯାଉିଛି। ଯାହାଦ୍ୱାରା ଯୁକ୍ତ ୨ରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉଚ୍ଚଶିକ୍ଷିତ ହୋଇଥିବା ଛାତ୍ରୀଛାତ୍ର ବେକାରି ସମସ୍ୟା ମଧ୍ୟକୁ ଠେଲି ହୋଇଯାଆନ୍ତିି । ନିଜ ଅର୍ଥରୁ ଅଧିକ ବ୍ୟୟବହୁଳ ଶିକ୍ଷା ଶେଷକରି କର୍ମନିଯୁକ୍ତି ନ ପାଇ ବିଭିନ୍ନ ଆପରାଧିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି । ନଚେତ ନିରାଶ ହୋଇ ଆତ୍ମହତ୍ୟା କରିବାକୁ ବି ପଛାଉ ନାହାନ୍ତି ।

ବୁୁଦ୍ଧିଜୀବୀ ପ୍ରବୀର ନାୟକ କୁହନ୍ତି ସେଣ୍ଟ୍ରାଲ୍ ସ୍କୋର‌୍ୟା ଫାଉଣ୍ଡେଶନ୍‌ର ଅଧ୍ୟୟନ ଅନୁସାରେ ଭାରତରେ ଶିକ୍ଷା ବଜାରର ଆକାର ଆର୍ôଥକ ବର୍ଷ ୨୦୨୨-୨୩ ରେ ୨୭ ବିଲିୟନ ଡଲାର। ଯେତେବେଳେ କି ଆମ ଦେଶରେ ଇ-କମର୍ସର ବଜାର ହେଉଛି ୨୪ ବିଲିଅନ୍ ଡଲାର। କେ.ଜି.ରୁ ଆରମ୍ଭ କରି ଉଚ୍ଚଶିକ୍ଷା ଓ କୋଚିଂ ଆଦିକୁ ମିଶେଇଲେ ଏହାର ଆକାର ୬୮ ବିଲିଅନ୍ ଡଲାର ହେବ। ୨୦୩୨ରୁ ୨୦୩୩ ବେଳକୁ ଏହା ୯୯ ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି ପାଇବାର ଆକଳନ କରାଯାଇଛି। ତେଣୁ ଏତେବଡ଼ ଶିକ୍ଷା ବଜାରକୁ ବେପାରୀମାନେ ବି ଛାଡ଼ିବାକୁ ଚାହୁଁନାହାନ୍ତି। ସେମାନେ ପ୍ରାଣପଣେ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରି ଶିକ୍ଷାର ଘରୋଇକରଣ ପ୍ରକ୍ରିୟାକୁ ତୀବ୍ର କରିବା ପାଇଁ ଜାଲ ବିଛେଇଛନ୍ତି। ସରକାର ବି ସେମାନଙ୍କ ଉଦ୍ଦେଶ୍ୟକୁ ମନ ପ୍ରାଣ ଦେଇ ସଫଳ କରିବାରେ ଲାଗିଛନ୍ତି। ବହୁ ସ୍ୱଛଳ ବର୍ଗ ଛାତ୍ରୀଛାତ୍ର ଅର୍ଥ ବଳରେ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖାଇ ଡାକ୍ତର ଇଞ୍ଜିନିୟର ହୋଇଯାଉଛନ୍ତି ।

ବି ଦାସ କୁହନ୍ତି ସରକାରଙ୍କ ଶିକ୍ଷା ପ୍ରତି ଉଦାସୀନ ମନୋଭାବ ଯୋଗୁ ଶିକ୍ଷା କ୍ଷେତ୍ରକୁ ବ୍ୟବସାୟୀମାନେ ପ୍ରବେଶ କରି ଶିକ୍ଷାକୁ ଏକ ବେପାରରେ ପରିଣତ କଲେଣି। ଆଗାମୀ ସମୟରେ ଦେଖିବାକୁ ମିଳିବ ଯେ, କେବଳ ବେପାରୀମାନେ ଆମ ଦେଶର ଶିକ୍ଷା କ୍ଷେତ୍ରକୁ ନିୟନ୍ତ୍ରଣ କରୁଥିବେ। ସେତେବେଳେ ସାଧାରଣ ଗରିବ ଲୋକମାନେ ସେମାନଙ୍କ ପିଲାମାନଙ୍କୁ ପାଠ ପଢ଼େଇବାକୁ ସୁଯୋଗ ପାଇବେ ନାହିଁ। କାରଣ ସରକାର ଶିକ୍ଷା କ୍ଷେତ୍ରରୁ ଓହରିଗଲେ ଘରୋଇ ଶିକ୍ଷା ବ୍ୟବସାୟୀମାନେ ଶିକ୍ଷାର ମୂଲ୍ୟ ବହୁତ ବଢ଼େଇଦେବେ। ଏହି ପ୍ରକ୍ରିୟା ଏବେ ଆରମ୍ଭ ହୋଇଗଲାଣି। ସାଧାରଣ ଲୋକମାନେ ଘରୋଇ ବିଦ୍ୟାଳୟରେ ଅଧିକ ମୂଲ୍ୟ ଦେଇ ସେମାନଙ୍କ ପିଲାଙ୍କୁ ପାଠ ପଢ଼େଇବାକୁ ସକ୍ଷମ ହୋଇପାରିବେ ନାହିଁ। ଶେଷରେ ଶିକ୍ଷା କେବଳ ଧନିକମାନଙ୍କର ବିଷୟ ହୋଇ ରହିଯିବ। ଏ ସମୟ ଆଉ ବେଶୀ ଡେରି ନାହିିଁ। ତେଣୁ ସରକାରୀ ବିଦ୍ୟାଳୟର ବିକାଶ ଉପରେ ଗୁରୁତ୍ୱ ଦେବାକୁ ହେବ।

ଅଭିଭାବକ ଏନ ଧଳ କୁହନ୍ତି ଆଜିକାଲିର ଶିକ୍ଷକମାନେ ଜ୍ଞାନ ପ୍ରଦାନକରିବା ଅପେକ୍ଷା ରୋଜଗାରକୁ ଅଗ୍ରାଧିକାର ଦେଉଥିବାରୁ ଶିକ୍ଷାର ମାନ ହ୍ରାସପାଇଚାଲିଛି। ସରକାରଙ୍କର ଶିକ୍ଷକମାରଣ ନୀତି ମଧ୍ୟ ଏଥିପାଇଁ ବହୁମାତ୍ରାରେ ଦାୟୀ। ଅନ୍ୟ କୌଣସି ବିଭାଗର କର୍ମଚାରୀଙ୍କ ତୁଳନାରେ ଜଣେ ଶିକ୍ଷକର ବେତନ, ବେତନବୃଦ୍ଧି, ପଦୋନ୍ନତି ତଥା ଅନ୍ୟାନ୍ୟ ସରକାରୀ ପ୍ରୋତ୍ସାହନ ସର୍ବନିମ୍ନ । ଜଣେ ସହକାରୀ ଶିକ୍ଷକ ତା’ର ୩୦ବର୍ଷର ଚାକିରିକାଳ ମଧ୍ୟରେ ଅଧିକାଂଶ କ୍ଷେତ୍ରରେ ବରିଷ୍ଠ ଶିକ୍ଷକ ହୋଇ ନ ପାରି ସେବାନିବୃତ ହୋଇଯାଏ । କିନ୍ତୁ ଅନ୍ୟ ବିଭାଗରେ ସାଧାରଣ କିରାଣିଟିଏ ମଧ୍ୟ ସମୟାନୁକ୍ରମିକ ପଦୋନ୍ନତି ପାଇ ପାଇ ସେବାନିବୃତ ବେଳକୁ ପ୍ରଥମ ଶ୍ରେଣୀ ଅଧିକାରୀ ହୋଇସାରିଥାଏ ।

ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନର ସ୍ତର ଆଶାନୁରୂପ ହେଉନାହିଁ। ସରକାରଙ୍କ ତରଫରୁ ଯେଉଁପରି ବ୍ୟବସ୍ଥା କରାଯିବା କଥା, ତାହା ଆଦୌ କରାଯାଉ ନାହିଁ। ସରକାରୀ ବିଦ୍ୟାଳୟରେ ଅତିବେଶୀରେ ସରକାର କେବଳ ବିଦ୍ୟାଳୟ ଗୃହ ନିର୍ମାଣ କାମ ହିଁ କରୁଛନ୍ତି। ଯଥେଷ୍ଟ ପରିମାଣର ଶିକ୍ଷକ ନିଯୁକ୍ତି ଦେବା, ଶିକ୍ଷକମାନଙ୍କୁ ଉପଯୁକ୍ତ ତାଲିମ୍ ଦେବା, ଶିକ୍ଷାଦାନ ବ୍ୟବସ୍ଥାକୁ କଡ଼ାକଡ଼ି ନିରୀକ୍ଷଣ କରିବା ଆଦି କାମକୁ ସରକାର ଆଦୌ ବି ଦାୟିତ୍ୱର ସହ ଅନୁପାଳନ କରୁନାହାନ୍ତି। ଏତଦ୍‌ବ୍ୟତୀତ ସରକାର ଧୀରେ ଧୀରେ ଶିକ୍ଷା କ୍ଷେତ୍ରରୁ ନିଜ ଭୂମିକା କମ୍ କରିବାକୁ ଚାହୁଁଛନ୍ତି।

ଶିକ୍ଷା ସବୁବେଳେ ସରକାରଙ୍କ ବିଷୟ ହେବା ଉଚିତ୍‌। ଏକ ଜନକଲ୍ୟାଣକାରୀ ସରକାର ସମସ୍ତଙ୍କ ପାଇଁ ମାଗଣା ଓ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା କରିବା ଉଚିତ୍‌। ଆମ ଦେଶରେ ଶିକ୍ଷା ଅଧିକାର ଆଇନ ଲାଗୁହେବା ପରେ ମଧ୍ୟ ପରିସ୍ଥିତିରେ ବେଶୀ କିଛି ପରିବର୍ତ୍ତନ ହୋଇନାହିଁ। ସମ୍ପ୍ରତି ଆମ ଦେଶରେ ଧନୀ-ଗରିବଙ୍କ ମଧ୍ୟରେ ଯେଉଁ ବିରାଟ ପ୍ରଭେଦ ଠିଆ ହୋଇଛି, ତାର ଏକ ମୁଖ୍ୟ କାରଣ ହେଉଛି ଶିକ୍ଷା କ୍ଷେତ୍ରରେ ଅସମାନତା। କିଛି ପିଲା ଛୋଟବେଳୁ ବଡ଼ବଡ଼ ଘରୋଇ ବିଦ୍ୟାଳୟରେ ପଢ଼ିବାକୁ ସୁଯୋଗ ପାଉଥିବା ବେଳେ କିଛି ପିଲା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିବା ସରକାରୀ ବିଦ୍ୟାଳୟରେ ପଢ଼ୁଛନ୍ତି। ଯାହା ଭବିଷ୍ୟତରେ ସେମାନଙ୍କ ମନରେ ଏକ ପ୍ରଭେଦ ଠିଆ କରୁଛି। ଏହା ସାମାଜିକ ଅସ୍ଥିରତା ଓ ଅସନ୍ତୁଳନକୁ ବଢ଼ାଉଛି। ତେଣୁ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବେଠାରୁ ସମସ୍ତଙ୍କ ପାଇଁ ସମାନ ଶିକ୍ଷାର ବ୍ୟବସ୍ଥା କରିବାକୁ ହେବ।

ସରକାରୀ କର୍ମଚାରୀ ଓ ଜନପ୍ରତିନିଧିମାନେ ସେମାନଙ୍କ ପିଲାମାନଙ୍କୁ ସରକାରୀ ବିଦ୍ୟାଳୟରେ ପଢ଼େଇବା ଉଚିତ। ଫଳରେ ସରକାରୀ ବିଦ୍ୟାଳୟର ମାନ ବୃଦ୍ଧି ଉପରେ ସରକାର ନିଶ୍ଚୟ ଧ୍ୟାନ ଦେବେ। ଏହା ନିଶ୍ଚିତ ଯେ, ଯେତେଦିନ ଯାଏ ଆମ ଦେଶରେ ଶିକ୍ଷା ପ୍ରଦାନ କ୍ଷେତ୍ରରେ ସମାନତା ଆସିବ ନାହିଁ, ଅର୍ଥାତ୍ ସମସ୍ତଙ୍କ ପାଇଁ ସମାନ ଶିକ୍ଷା ବ୍ୟବସ୍ଥା ହେବ ନାହିଁ, ସେତେଦିନ ଯାଏ ସରକାରୀ ବିଦ୍ୟାଳୟ ଘରୋଇ ବିଦ୍ୟାଳୟ ସାମ୍ନାରେ ତିଷ୍ଠି ରହିବା କଷ୍ଟ ହେବ। ଏବେ ସମୟ ଆସିଛି, ସମସ୍ତଙ୍କ ପାଇଁ ସମାନ ଶିକ୍ଷା ବ୍ୟବସ୍ଥା କରିବାର। ଯଦ୍ଦ୍ୱାରା କି କୋମଳମତି ପିଲାମାନଙ୍କ ମନରେ ଆରମ୍ଭରୁ ଶିକ୍ଷାକୁ ନେଇ ପ୍ରଭେଦ ରହିବ ନାହିଁ। ଏଥିପାଇଁ ଅଭିଭାବକମାନେ ଆଗେଇ ଆସିବା ଉଚିତ ଓ ସରକାରଙ୍କ ଉପରେ ଚାପ ପକେଇବାକୁ ପଡ଼ିବ।

Next Post

ଆଧୁନିକ ପ୍ରାଣାଳୀରେ ଜୈବିକଖତ ପ୍ରୟୋଗ କରି ଉନ୍ନତ ଚାଷ ପାଇଁ ତାଲିମ

Tue Oct 7 , 2025
ପଟ୍ଟାମୁଣ୍ଡାଇ ୭ା୧୦:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୋଗୁଆ ଛକସ୍ଥିତ ସାହୁ ମଣ୍ଡପରେ ଯୁବ ଭାରତ କୃଷକ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ କୃଷକ ସେବାକେନ୍ଦ୍ର ଓ ଆଧୁନିକ ପ୍ରଣାଳୀରେ ଜୈବିକଖତ ପ୍ରୟୋଗ କରି ଉନ୍ନତ ଚାଷ କରିବା ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ପଣ୍ଡିତ କିଶୋର ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ରାଜ୍ୟ ସଭାପତି ପ୍ରଭାକର ନାୟକ ମୁଖ୍ୟ ଅଥିତି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading