ଅଳଭାଠାରେ ବିପଦସଙ୍କେତ ଉପରେ ଜଳସ୍ତର
ଚବାହ୍ୟଜଗତରୁ ବିଚ୍ଛିନ ଅନେକ ଗାଁ
ଚହନ୍ତସନ୍ତ ଗୃହପାଳିତ ପ୍ରାଣୀ,
ଚମଜୁରିଆ ଲୋକଙ୍କ ଜୀବିକା ପ୍ରଭାବିତ
ରିଲିଫ୍ ଅଭାବରୁ ଅସନ୍ତୋଷ

ପଟ୍ଟାମୁଣ୍ଡାଇ ୩୧/୭ -ବାରମ୍ବାର ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ଉପରମୁଣ୍ଡ ରେଙ୍ଗାଲି ଡ୍ୟାମ୍ରୁ ଜଳ ନିଷ୍କାସନ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ର ଧୋୟାଂଚଳରେ ସଙ୍ଗୀନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଅଂଚଳ ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟାଜଳ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଅଳଭାଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ବିପଦସଙ୍କେତ ଡେଇଁ ପ୍ରବାହିତ ହେଉଛି। ସୂଚନା ଅନୁଯାୟୀ, ଅଳଭାଠାରେ ପୂର୍ବ ମାପ ଅନୁସାରେ ବିପଦସଙ୍କେତ ୧୬ ଫୁଟ୍ ଥିବା ବେଳେ ବର୍ତମାନ ଏହା ୧୮.୭ ଫୁଟ୍ରେ ପହଁଚିଛି। ଫଳରେ ନଦୀକୂଳିଆ ତଥା ତଳିଆ ଅଂଚଳର ଗ୍ରାମଗୁଡ଼ିକରେ ବନ୍ୟାଜଳ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ମଜୁରିଆ ଓ ଗରିବ ଶ୍ରେଣୀର ଲୋକଙ୍କ ଜୀବିକା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଗୃହପାଳିତ ପ୍ରାଣୀମାନେ ଖାଦ୍ୟ ଓ ଆଶ୍ରୟ ଅଭାବରୁ ହନ୍ତସନ୍ତ ହେଉଛନ୍ତି । ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ରିଲିଫ୍ କିମ୍ବା ଗୋଖାଦ୍ୟ ଯୋଗାଇ ଦିଆଯାଇ ନଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଉପଜିଲାପାଳ. ବିଡିଓ ଓ ପୌରପ୍ରଶାସନ ବନ୍ୟାଂଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବ୍ଲିଚିଂ ପାଉଡର, ପାନୀୟ ଜଳ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସହାୟତା ପାଇଁ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଦାବି କରିଛନ୍ତି।

ଗତ ୩ ଦିନ ହେବ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ଅପରିବର୍ତିତ ରହିଥିବାରୁ ଧୋୟାଂଚଳବାସୀଙ୍କ ଦୁର୍ଦ୍ଦଶା ଚରମ ସୀମାରେ ପହଁଚିିଛି। ଅନେକ ଗାଁର ମୁଖ୍ୟ ରାସ୍ତା ଉପରେ ୩ ରୁ ୪ ଫୁଟ୍ର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ବାହ୍ୟ ଜଗତ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ସିଂହଗାଁ ପଂଚାୟତର କୃଷ୍ଣଦାସପୁର, ସାନରାଉଳିଆ, ବଡରାଉଳିଆ ଓ ସିଂହଗାଁ, ପାଣିସାଉଁଳିଆ ଗ୍ରାମ ପାଣିଘେରରେ ରହି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ସେହିପରି ଅଳପୁଆ, ତରଡ଼ିପାଳ, ପେଣ୍ଠପାଳ. ଅଣ୍ଢରା, ଅମୃତମଣୋହି, ବଲୁରିଆ, ଶ୍ରୀରାମପୁର, ଡାମରପୁର, ନୀଳକଣ୍ଠପୁର, ବାଲିପାଟଣା, ବାଛରା, ବଳଭଦ୍ରପୁର ଶାସନ ଆଦି ପଂଚାୟତର ବିଭିନ୍ନ ଗ୍ରାମରେ ବନ୍ୟା ଜଳ ବଢିବାରେ ଲାଗିଛି । ବିଭିନ୍ନ ସ୍କୁଲ ଓ କଲେଜରେ ପାଣି ପଶିଥିବା ସୂଚନା ମିଳିଛି। ମାଳିପୁର-ଡାମରପୁର ମୁଖ୍ୟ ରାସ୍ତା ବନ୍ୟା ପାଣିରେ ବୁଡି ଯାଇଥିବାରୁ ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର ପଂଚାୟତର ଅନେକ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଛି । ବାଛରା ପଂଚାୟତ ମଣ୍ଡପଡା ବାଛରା ରାସ୍ତା ବୁଡି ଯାଇଥିବାରୁ ବାଛରା ମଣ୍ଡପଡା ବାହ୍ୟଜଗତ୍ରରୁ ବିଛିନ୍ନ ହୋଇପଡିଛି । ପୌରାଂଚଳର ବାଲିପଡ଼ା, କଷଣଅଂଟା, ତଳବାଲିପଡ଼ା, ସିଦ୍ଧପାଟଣା, ବଳଦେବନଗର, ତନୁପୁର, ନନ୍ଦିନୀନଗର, କାକୁଡିପଲ୍ଲୀ, ନୂଆଗାଁ ଅଳଭା, ଷଣ୍ଢପଲ୍ଲୀ ଆଦି ଗ୍ରାମରେ ବନ୍ୟା ଜଳଘେରି ରହିଡଛି । ପଟ୍ଟାମୁଣ୍ଡାଇ-ତନୁପୁର ରାସ୍ତା ବଙ୍ଗାଳିଡିଆ ଗଡା ନିକଟରେ ଛାତିଏ ଉପରେ ପାଣି ଚାଲିଛି । ସେଥିନେଇ ବାଲିପାଟଣା ପଂଚାୟତ ବିଭିନ୍ନ ଗ୍ରାମ ସମେତ ତନୁପୁର ଗ୍ରମର ଶତାଧିକ ପରିବାର ଘର ଭିତରେ ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଛନ୍ତି। ବନ୍ୟାଜଳ ଯୋଗୁଁ ସ୍ଥାନୀୟ ନଳକୂପଗୁଡ଼ିକ ବୁଡ଼ି ଯାଇଥିବା ବେଳେ ପାଇପ୍ ଯୋଗେ ହେଉଥିବା ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ବନ୍ୟାଂଚଳରେ ବିଶୁଦ୍ଧ ପାନୀୟ ଜଳ ପାଇଁ ତୀବ୍ର ଆହାକାର ସୃଷ୍ଟି ହୋଇଛି। ଲୋକେ ବାଧ୍ୟ ହୋଇ ଦୂଷିତ ଜଳ ବ୍ୟବହାର କରୁଥିବାରୁ ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ଦେଖାଦେଇଛି। ଏହି ଅଂଚଳର ଚାଷ ଜମିରେ ବନ୍ୟା ଜଳ ମାଡି ଯିବା ଫଳରେ ବିଭିନ୍ନ ଫସଲ ପାଣିରେ ବୁଡି ଯାଇଛି । ବହୁ ପରିଶ୍ରମ କରି ଫସଲ କରୁଥିବା ଚାଷୀମାନେ ବ୍ୟାପକ ଫସଲ ହାନୀ ଆଶଙ୍କାରେ ଚିନ୍ତିତ ହୋଇପଡିଛନ୍ତି ।

ଅପରପକ୍ଷରେ, ଦିନମଜୁରିଆ, ନାଉରୀ ଓ ଗରିବ ଶ୍ରେଣୀର ଲୋକଙ୍କ କାମଧନ୍ଦା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ସେମାନଙ୍କ ଜୀବିକା ହୀନସ୍ତା ହୋଇପଡ଼ିଛି। ପରିବାର ପ୍ରତିପୋଷଣ କରିବା ସେମାନଙ୍କ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ଓ ପାନୀୟ ଜଳ ପାଉଚ୍ ଭଳି ଜରୁରୀ ସାମଗ୍ରୀର ଅଭାବ ହେତୁ ବନ୍ୟାବିପନ୍ନମାନେ ଦୁର୍ଦ୍ଦିନରେ ସମୟ ବିତାଉଛନ୍ତି। ଅନ୍ୟପକ୍ଷରେ ଗୃହପାଳିତ ପଶୁମାନେ ଚରିବାକୁ ଯାଇ ନପାରି ଅସୁବିଧାରେ ଅଛନ୍ତି । ଗୋରୁ, ଛେଳି ଆଦି ପଶୁଙ୍କୁ ବାନ୍ଧିବା ପାଇଁ ଶୁଖିଲା ସ୍ଥାନ ମିଳୁନାହିଁ। ଚାରିଆଡ଼େ ଜଳମଗ୍ନ ହୋଇଥିବାରୁ ସାଧାରଣ ଘାସ କିମ୍ବା ଗୋଖାଦ୍ୟର ଘୋର ଅଭାବ ଦେଖାଦେଇଛି। ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଗୋଖାଦ୍ୟ ଯୋଗାଇ ଦିଆଯାଇ ନଥିବାରୁ ଗୋପାଳକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ତୁରନ୍ତ ସରକାରୀ ସାହାଯ୍ୟ ପ୍ରଦାନ କରିବାକୁ ଅଂଚଳବାସୀ ଦାବି କରିଛନ୍ତି।ପରିସ୍ଥିତିର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲାପାଳଙ୍କ ନିର୍ଦେଶରେ ବ୍ଲକ ଓ ପୌର ପ୍ରଶାସନ ବନ୍ୟାପ୍ଲାବିତ ଅଂଚଳ ପରିଦର୍ଶନ କରିଛନ୍ତି।
