
ପଟ୍ଟାମୁଣ୍ଡାଇ ୧୦/୭ – ପଟ୍ଟାମୁଣ୍ଡାଇ ବ୍ଲକ ଗଙ୍ଗାରାମପୁର ଦାରୁବ୍ରହ୍ମ ରଥଯାତ୍ରା “ନୀଳାଦ୍ରି ବିଜେ” ମହୋତ୍ସବର ସୋମବାର ସନ୍ଧ୍ୟାରେ ଓଡ଼ିଶାର ସର୍ବବୃହତ ପଂଚକଳା ପ୍ରତିଷ୍ଠାନ ଗୋପାଳ ଦାଶ ସ୍ମାରକୀ ସାଂସ୍କୃତିକ ସଙ୍ଗଠନ (ଗଡମେକ)ର୍ ଶିଳ୍ପୀବୃନ୍ଦଙ୍କ ଦ୍ୱାରା ଗୀତିନାଟ୍ୟ କାଂଚି କାବେରୀ ଶ୍ରଦ୍ଧାଳୁମାନଙ୍କ ସ୍ମରଣୀୟ ସନ୍ଧ୍ୟା ହୋଇଥିଲା । ଶ୍ରୀଜଗନ୍ନାଥଙ୍କ ଲୀଳା ଆଧାରିତ ଗୀତିନାଟ୍ୟ ‘କାଚି କାବେରୀ’ରେ ଗଜପତି ପୁରୁଷୋତମ ଦେବଙ୍କ ଚିର ସ୍ମରଣୀୟ କାଂଚି ବିଜୟ ଘଟଣା ପ୍ରତିଫଳିତ ହୋଇଥଲା। ମାଣିକ ଗଉଡୁଣୀ ଠାରୁ ପାଇକ ବେଶରେ ଜଗାକାଳିଆଙ୍କ ଦହିଖୁଆ, ଗଜପତିଙ୍କ ହୀରାବସା ସୁବର୍ଣ୍ଣ ମୁଦ୍ରିକା ସଂଦର୍ଶନ, କାଂଚିରାଜ ଶାଲୁ ନରସିଂହଙ୍କ ସହ ଗଜପତିଙ୍କ ସମର ଏବଂ ପରିଶେଷରେ ମହାପ୍ରଭୁଙ୍କୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଗଜପତିଙ୍କୁ କାଂଚିରାଜଜେମା ସମ୍ପ୍ରଦାନ ଆଦିର ଜୀବନ୍ଧ ସୃଜନିକା ତୋଳି ଧରିଥିଲା ଗଡମେକର୍ ଗୀତିନାଟ୍ୟ କାଂଚି କାବେରୀ। ଗଡମେକର୍ ପ୍ରତିଷ୍ଠାତା-ନିର୍ଦ୍ଦେଶକ ଗୀତିକବି ତଥା ଗୁରୁ ସୁଶାନ୍ତ ପାଣିଙ୍କ ସୁମଧୁର ପରିଚାଳନା ଓ ମାର୍ଗଦର୍ଶନରେ ତଥା ସ୍ୱନାମଧନ୍ୟ କଳାକାର ସଞ୍ଜିବ ତରାଇ ଓ ଅଞ୍ଜଳି ପାଣିଙ୍କ ସଂଯୋଜନାରେ ଗଣକବି ଗୋପାଳ ଦାଶଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ତାଙ୍କ ରଚିତ ଗୀତିନାଟ୍ୟ କାଂଚି କାବେରୀ ଶ୍ରଦ୍ଧାଳୁମାନଙ୍କ ଗହଣରେ ଭାବ-ଭକ୍ତିର ସହ ଲୋକାର୍ପିତ ହୋଇଥିଲା । ଗଡମେକର୍ ଦୂରଦର୍ଶନ ସ୍ୱୀକୃତିପ୍ରାପ୍ତ ସୁପରିଚିତ ଶିଳ୍ପୀ ସମ୍ପୂର୍ଣ୍ଣଇନ୍ଦୁ ପାଣି, ସ୍ମୃତିପ୍ରିୟା ପ୍ରଧାନ, ବୈଶାଖୀ ରାଉତ, ରୀତା ସେଠୀ, ପ୍ରତୀକ୍ଷା ମହାନ୍ତି,ବର୍ଷାରାଣୀ ମଲ୍ଲିକ, ବିଶ୍ୱମୋହିନୀ ଦାସ, ଏମଡି ଆକାଂକ୍ଷା ପଣ୍ଡା, ପୂଜା ମଲିକ, ଅନୁଷ୍କା ସ୍ୱାଇଁ, ଲକ୍ଷ୍ମୀପ୍ରିୟା ଦାସ, ଶିବାନୀ ବେହୁରା ପ୍ରମୁଖ ନିଖୁଣ ଭାବେ ଗୀତିନାଟ୍ୟ କାଞ୍ଚି କାବେରୀ ମଞ୍ଚାୟନ କରିଥିଲେ।
