
ପଟ୍ଟାମୁଣ୍ଡାଇ ୧୧/୩-ଓଡିଶାର ବିଶିଷ୍ଟ ସମାଜସେବୀକା ମୟୀୟସୀ ମହିଳା ଡା ସୁଚାରୁହାସିନୀ ପାତ୍ରଙ୍କ ଆଜି ସକାଳ ୯ଟା ସମୟରେ ୮୬ବର୍ଷ ବୟସରେ ପଟ୍ଟାମୁଣ୍ଡାଇ ବାସଭବନରେ ପରଲୋକ ହୋଇଯାଇଛି । ଡାକ୍ତରୀ ଶିକ୍ଷା ପରେ ସରକାରୀ ଚାକିରୀ ଛାଡି ସମାଜସେବା ପାଇଁ ସ୍ୱାମୀ ବିଶିଷ୍ଟ ସାମାଜୀକକର୍ମୀ ଡା ବାସୁଦେବ ପାତ୍ରଙ୍କ ପରାମର୍ଶରେ ସମାଜବାଦୀ ଆନ୍ଦୋଳନରେ ଯୋଗ ଦେଇଥିଲେ । ବିଶିଷ୍ଟ ସମାଜବାଦୀ ନେତା ଡ଼ ରାମ ମୋହନ ଲୋହିଆ, ଲୋକସଭା ବାଚସ୍ପତି ରବି ରାୟ, ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଅନୁଗାମୀ ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ବିଶେଷ କରି ପଟ୍ଟାମୁଣ୍ଡାଇ ଅଂଚଳର ବିକାଶ ଓ ସାଧାରଣଲୋକର ଅଧିକାର ପାଇଁ ଜୀବନବ୍ୟାପି ସଂଗ୍ରାମ କରିଆସିଥିଲେ । ବିଶିଷ୍ଟ ସମାଜସେବିକା ଡା ଶ୍ରୀମତୀ ପାତ୍ରଙ୍କ ପଟ୍ଟାମୁଣ୍ଡାଇ ବାସଭବନ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ପୂର୍ବତନ ଲୋକସଭା ବାଚସ୍ପତି ରବି ରାୟଙ୍କ ରାଜନୈତିକ କର୍ମସ୍ଥଳୀ ଥିଲା । ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ଯଥେଷ୍ଟ ପ୍ରତିଷ୍ଠା ଲାଭ କରିଥିବା ଡା ଶ୍ରୀମତୀ ପାତ୍ର କ୍ଷମତା ମୋହ ନଥିବାରୁ କୌଣସି କ୍ଷମତାସମ୍ପନ୍ନ ପଦବୀ ଗ୍ରହଣ କରିନଥିଲେ । ଅତ୍ୟନ୍ତ ନିରାଡ଼ମ୍ବର ଭାବେ ଜୀବନଯାପନ କରୁଥିବା ଡା ପାତ୍ର ସ୍ନେହଶୀଳା ପରୋପକାରୀ ମହିଳା ଭାବେ ଖ୍ୟାତି ଅର୍ଜନ କରିଥିଲେ । ଗରିବ ରୋଗୀମାନଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଆସୁଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ସ୍ୱାମୀ ବରିଷ୍ଠ ରାଜନେତା ସମାଜସେବୀ ଡା ବାସୁଦେବ ପାତ୍ର, ଜ୍ୟେଷ୍ଠପୁତ୍ର ନୂଆଦିଲ୍ଲୀ ଜେ ଏନ ୟୁ ମେଡିକାଲ ଅଫିସର ଡା ଗୌତମ ପାତ୍ର, ପୁତ୍ରବଧୂ ଜେ ଏନ ୟୁ ସହକାରୀ ପ୍ରଫେସର ତନୁଜା ପାତ୍ର କନିଷ୍ଠ ପୁତ୍ର ଗୌରବ ପାତ୍ର ନାତି ନାତୁଣୀ ବନ୍ଧୁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କ ବିୟୋଗରେରେ କେନ୍ଦ୍ରାପଡ଼ା ଜିଲ୍ଲା ବିଶେଷ କରି ପଟ୍ଟାମୁଣ୍ଡାଇ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
