
କେନ୍ଦ୍ରାପଡ଼ା,୧୦ା୬:କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶଘାଇ ବ୍ଲକ ଅନ୍ତର୍ଗତ କୁଆଁରପାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେଶ ଚନ୍ଦ୍ର ଲେଙ୍କା ମୁଖ୍ୟମନ୍ତ୍ରୀଙ୍କ ଗୋଡ଼ତଳେ ପଡି ଗୁହାରି କରିଥିଲେ। ବଳଦେବଜୀଉଙ୍କ ମନ୍ଦିରରେ ମୁଖ୍ୟମନ୍ତ୍ରୀ ପ୍ରବେଶ କରିବା ପରେ ପ୍ରଧାନ ଶିକ୍ଷକ ଶ୍ରୀ ଲେଙ୍କା ତାଙ୍କ ଗୋଡ଼ତଳେ ପଡିଯାଇଥିଲେ। ଏ ନେଇ ସୁରକ୍ଷାକର୍ମୀମାନେ ଶ୍ରୀ ଲେଙ୍କାଙ୍କୁ ତଳୁ ଉଠାଇଥିଲେ। କ’ଣ ସମସ୍ୟା ଅଛି ବୋଲି ମୁଖ୍ରମନ୍ତ୍ରୀ ପଚାରିଥିଲେ। ସେ କାନ୍ଦି କାନ୍ଦି କହିଥିଲେ ଯେ ତାଙ୍କ ସେବା ପୁସ୍ତିକାକୁ ଉଦ୍ଦେଶ୍ୟମୂଳକ ଭାବେ ମାର୍ଶାଘାଇ ମଣ୍ଡଳ ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ ନିୟମିତ କରୁ ନଥିବାରୁ ସେ ପେନସନ ପାଇବାରୁ ବଞ୍ଚିତ ହେବେ। ଚଳିତ ମାସ ୩୦ ତାରିଖରେ ସେ ଚାକିରିରୁ ଅବସର ଗ୍ରହଣ କରିବେ। କିନ୍ତୁ ସେବା ପୁସ୍ତିକା ନିୟମିତ ନହେବାରୁ ସେ ଅବସର ପରେ ମଧ୍ୟ ପେନସନ ପାଇପାରିବେ ନାହିଁ। ତେଣୁ ବିନା ପେନସନରେ କିପରି ପରିବାର ପ୍ରତିପୋଷଣ କରିବେ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ଲେଙ୍କା କହିଥିଲେ। ଏହା ଶୁଣିବା ପରେ ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ। ସୂଚନା ଯୋଗ୍ୟ ଯେ ଗତ ୧୦ ବର୍ଷ ହେବ ଶ୍ରୀ ଲେଙ୍କାଙ୍କ ସେବା ପୁସ୍ତିକାକୁ ମାର୍ଶାଘାଇ ବ୍ଲକ ଶିକ୍ଷାଧିକାରୀ ନିୟମିତ କରୁନାହାଁନ୍ତି। ଫଳରେ ସେ ବର୍ଦ୍ଧିତ ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହାସହ ଅବସର ପରେ ପେନସନ ପାଇବାରୁ ମଧ୍ୟ ସେ ବଞ୍ଚିତ ହେବେ। ଏ ନେଇ ସେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଶ୍ରୀ ଲେଙ୍କାଙ୍କ ସେବା ପୁସ୍ତିକାକୁ ନିୟମିତ କରାଯିବା ପାଇଁ। ଜିଲ୍ଲା ଶିକ୍ଷାଧିକାରୀ ମାର୍ଶଘାଇ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ସ୍ୱାଇଁଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେ ଏହା କରୁ ନଥିବାରୁ ଶ୍ରୀ ଲେଙ୍କା ମୁଖ୍ୟମନ୍ତ୍ରୀଙ୍କ ଗୋଡ଼ତଳେ ପଡି ଗୁହାରି କରିଥିବା ପ୍ରକାଶ କରିଛନ୍ତି।
