ଆଜିର ସମାଜରେ ସାମାଜିକ ଗଣମାଧ୍ୟମ

blank

ଆମ ଦେଶରେ ମୋଟ ଜନସଂଖ୍ୟାର ଶତକଡ଼ା ୭୯ ଭାଗ ଏବେ ମୋବାଇଲ ବ୍ୟବହାର କରୁଛନ୍ତି। ସେଥିରୁ ପ୍ରାୟ ୪୦ ରୁ ୪୫ ପ୍ରତିଶତ ଲୋକ ଇଣ୍ଟରନେଟ ସହ ଯୋଡ଼ି ହୋଇରହୁଛନ୍ତି। ପ୍ରାୟ ୩୨ ଭାଗ ଲୋକ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଛନ୍ତି। ଏଥିରୁ ଅନୁମାନ କରାଯାଇପାରେ ଆମ ସାଂପ୍ରତିକ ସମାଜରେ ସାମାଜିକ ଗଣମାଧ୍ୟମର ଗଭୀରତା କେତେ ହୋଇପାରେ । ପିଲାଠାରୁ ବୁଢ଼ାଯାଏ ସଭିଏଁ ଫେସ୍‌ବୁକ, ହ୍ୱାଟ୍‌ସଆପ୍‌, ୟୁଟ୍ୟୁବ, ଏକ୍ସ ଭଳି ସାମାଜିକ ଗଣମାଧ୍ୟମ ସହ ଅଭ୍ୟସ୍ତ ହୋଇଗଲେଣି। ଆଧୁନିକ ଜୀବନ ପ୍ରଣାଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଲାଣି ସୂଚନା ପ୍ରଯୁକ୍ତି ଓ ସାମାଜିକ ଗଣମାଧ୍ୟମ। ଏବେ ଘଟଣା, ଖବର ଓ ତଥ୍ୟ ସୂଚନା ହାତ ପାଆନ୍ତାରେ । ଯେ କୌଣସି ପ୍ରସଙ୍ଗରେ ନିଜର ମତ ସାବ୍ୟସ୍ତ କରିବାରେ କେହି ଆଉ ପଛରେ ନାହାନ୍ତି। ଘଟଣାଟିଏ ଘଟୁଘଟୁ ତା’ ଉପରେ ଭଲମନ୍ଦ ମତମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ସଙ୍ଗେସଙ୍ଗେ ଛାଇ ଯାଉଛି । ଏହାଦ୍ୱାରା ଆମର ଦୈନନ୍ଦିନ ଜୀବନଶୈଳୀ ଖୁବ ପ୍ରଭାବିତ ହେଉଛି। ନିଜସ୍ୱ ମୌଳିକ ଚିନ୍ତା ଚେତନା ଅପେକ୍ଷା ଆମର ନିଷ୍ପତ୍ତି ସାମାଜିକ ଗଣମାଧ୍ୟମର ବିଚାରଧାରା ଦ୍ୱାରା ଅଧିକ ପ୍ରଭାବିତ ହେବାରେ ଲାଗିଛି। ସୁତରାଂ କିଏ କିଛି କେଇଁଠି ମତ ବିନିମୟ କରୁକରୁ ତାହା ସାମାଜିକ ଗଣମାଧ୍ୟମରେ ବିନା ଦ୍ୟୁଦ୍ଧାରେ ଘୁରିବୁଲୁଛି । ଯାହାକୁ ନେଇ ଏକ୍ତ ବ୍ୟକ୍ତି ଜଣଙ୍କ ମାନସିକ ଭାବେ ଚିନ୍ତିତ ରହିହୁଛି । ଏଣୁ ସାମାଜିକ ଗଣମାଧ୍ୟମ ବେଳେବେଳେ ଅସୁବିଧା ସୃଷ୍ଟି ମଧ୍ୟ କରୁଛି। ଅପରପକ୍ଷେ ଆମର ଅଜାଣତରେ ଆମେ ଏକ ନିର୍ଦ୍ଦିଷ୍ଟ ମତବାଦର ଅନ୍ଧ ସମର୍ଥକ ସାଜୁଛେ।
ସମୟ ଥିଲା କୌଣସି ପ୍ରସଙ୍ଗରେ ବିଦ୍ୱାନଗଣ ସଭାସମିତି ମାଧ୍ୟମରେ ନିଜର ମତାମତ ରଖୁଥିଲେ। ସେ ସଂପର୍କରେ ଖବରକଗଜରେ ରିପୋର୍ଟମାନ ପ୍ରକାଶିତ ହେଉଥିଲା। ଲୋକେ ପଢ଼ୁଥିଲେ ଓ ଜାଣୁଥିଲେ। ଅନେକ ବିଶେଷଜ୍ଞ ବହି ମାଧ୍ୟମରେ ନିଜର ବିଚାରଧାରା ପ୍ରକାଶିତ କରୁଥିଲେ। ସମୟ ବଦଳୁଛି। ଏବେ ୨୪ ଘଂଟିଆ ଶହଶହ ଟିଭି ଚାନେଲ। ଗଦାଗଦା ଖବରକାଗଜ, ପତ୍ରିକା ଓ ପୁସ୍ତକ। ତହିଁରେ ପୁଣି ଗତ କିଛି ବର୍ଷ ହେଲା ଟୁଇଟର, ଫେସବୁକ୍‌, ହ୍ୱାଟ୍‌ସଆପ୍‌, ୟୁଟ୍ୟୁବ୍ ବ୍ଲଗ ଡିଜିଟାଲ ମେଡିଆ ଭଳି ସାମାଜିକ ଗଣମାଧ୍ୟମ ବିଛେଇ ହୋଇ ରହିଛି। ସୁଲଭତା ଓ ସହଜତା ଦୃଷ୍ଟିରୁ ପ୍ରତିଟି ପ୍ରସଙ୍ଗର ଭଲମନ୍ଦ ଉପରେ ହଜାରହଜାର ପ୍ରତିକ୍ରିୟା ତୁରନ୍ତ ଓ ତୀବ୍ର ବେଗରେ ପ୍ରସାରିତ ହେଉଛି। ଲୋକେ ଆଉ ଖବରକାଗଜ ବା ଟିଭିକୁ ଅପେକ୍ଷା କରୁ ନାହାନ୍ତି । ଘଟଣାଟି ଘଟିବା ମାତ୍ରେ ବା ପ୍ରସଙ୍ଗଟିଏ ଉପସ୍ଥାପିତ ହେଉହେଉ ତୀବ୍ର ବେଗରେ ସାମାଜିକ ଗଣମାଧ୍ୟମରେ ଖେଳି ବୁଲୁଛି । ରାଜନୈତିକ ନେତାଙ୍କ ପାଟିରୁ କଥାଟିଏ ବାହାରୁବାହାରୁ ତା ଉପରେ ଲୋକଙ୍କ ମନ୍ତବ୍ୟ ଦେବା ଆରମ୍ଭ ହୋଇ ଯାଉଛି। ସମସ୍ତ ରାଜନୈତିକ ଦଳର ‘ଆଇଟି ସେଲ୍‌’ ଏଥିପାଇଁ କାମ କରୁଛି। ‘ଟ୍ରୋଲ୍‌’ କରିବା ପାଇଁ ପ୍ରଶିକ୍ଷିତ ସମର୍ଥକ ତୟାର ଅଛନ୍ତି। ସୁନିୟୋଜିତ ଓ ସୁସଂଗଠିତ ଭାବେ ଚାଲିଛି ସାମାଜିକ ଗଣମାଧ୍ୟମ ଜରିଆରେ ନିଜସ୍ୱ ବିଚାରଧାରାର ପ୍ରଚାରପ୍ରସାର।
ଆଜିର ସମାଜରେ ସାମାଜିକ ଗଣମାଧ୍ୟମ ବାକ୍ ସ୍ୱାଧୀନତା ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ନେଇଛି। ସହଜତା ଓ ତୀବ୍ରତା ଯୋଗୁଁ ମୁଖ୍ୟଧାରାର ଗଣମାଧ୍ୟମକୁ ପଛରେ ପକାଇ ସାମାଜିକ ଗଣମାଧ୍ୟମ ବେଶ୍ ଆଗକୁ ମାଡିଚାଲିଛି । କିନ୍ତୁ ଏହାର ଛତ୍ରଛାୟା ତଳେ ବେଳେବେଳେ ଭ୍ରାନ୍ତ ସୂଚନା, ଭ୍ରମାତ୍ମକ ପରିସଂଖ୍ୟାନ, ବିଦ୍ୱେଷପୂର୍ଣ୍ଣ ମନ୍ତବ୍ୟମାନ ପ୍ରସାରିତ ହେଉଛି। ଫଳରେ ସାମାଜିକ ସଦ୍‌ଭାବ, ଶାନ୍ତିମୈତ୍ରୀ ଓ ଭାଇଚାରା ନଷ୍ଟ ହେଉଛି। ଏଭଳି ଅପପ୍ରଚାରରେ ପ୍ରଭାବିତ କିଛି ଅବିବେକୀ ହିଂସା, ଦଙ୍ଗା ଭଳି ଅମାନବୀୟ କର୍ମ କରିବସୁଛନ୍ତି।
ଗତ ବିହାର ନିର୍ବାଚନ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସୋସିଆଲ ମେଡିଆ ଚାଲୁଥିବା କଥୋପୟନ ଭିଡିଓ ସବୁ ଏକ ଏକ ଉଦାହରଣ। ଯାହାକୁ ନେଇ କୌଣସି ହିଂସାତ୍ମକ ପରିସ୍ଥିତି ସୃଷ୍ଠି ହେଉ ତାହାକୁ ସମର୍ଥନ କରାଯାଇ ନପାରେ। ସୁସ୍ଥ ସାମାଜିକ ସହାବସ୍ଥାନ ପାଇଁ ଏହା ଏକ ବିପଦ। ନିର୍ଭୀକ ଓ ଚାପଶୂନ୍ୟ ହୋଇ ନିଜର ସ୍ୱାଧୀନ ମତ ପ୍ରକାଶ କରିବା ଅଥବା ଅସହମତିକୁ ବ୍ୟକ୍ତ କରିବାର ଅଧିକାର ଆମ ସମ୍ବିଧାନ ଦେଇଛି । କିନ୍ତୁ ପ୍ରତିବାଦ ନାଁରେ ହିଂସା ସର୍ବାଦୌ ନିନ୍ଦନୀୟ।
ବର୍ତମାନ ସାମାଜିକ ଗଣମାଧ୍ୟମର ଏଭଳି ଅପପ୍ରୟୋଗ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି। ସୂଚନା ପ୍ରଯୁକ୍ତି ଆଇନ ୨୦୦୦ ମସିହାରୁ ପ୍ରଣୀତ ହୋଇଥିଲେ ମଧ୍ୟ ଏହି ଆଇନ ସାମାଜିକ ଗଣମାଧ୍ୟମକୁ ନିୟନ୍ତ୍ରିତ କରିବାରେ ବିଫଳ ହେଉଥିବା ଦେଖାଯାଉଛି। ସେଥିପାଇଁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମକୁ ନିୟନ୍ତ୍ରିତ କରିବା ପାଇଁ ଏକ ନିୟମାବଳୀ ଜାରି କରିଛନ୍ତି। ଆଶା କରାଯାଉଛି ଏଭଳି ପ୍ରୟାସ ଦ୍ୱାରା ତଥ୍ୟ ବିନିମୟ, ମତମନ୍ତବ୍ୟ ପ୍ରସାରଣ ଓ ବାର୍ତ୍ତା ପ୍ରେରଣରେ କିଛିଟା ଶାଳୀନତା ଆସିବ। ବିଦ୍ୱେଷ ସୃଷ୍ଟିକାରୀ ବିଷୟବସ୍ତୁର ଉତ୍ସକୁ ଚିହ୍ନିତ କରିହେବ ଓ ତା’ର ପ୍ରସାରଣକୁ ରୋକା ଯାଇପାରିବ।
ବାକ୍ ସ୍ୱାଧୀନତାକୁ ଭିନ୍ନ ଦୃଷ୍ଟିରେ ତର୍ଜମା କରୁଥିବା କିଛି ଗୋଷ୍ଠୀ ଏ ନିୟମାବଳୀର ଘୋର ବିରୋଧ କରୁଛନ୍ତି। ଏଭଳି ନିୟମକାନୁନ ସ୍ୱାଧୀନ ମତ ସାବ୍ୟସ୍ତ କରିବାର ଅଧିକାରକୁ ସଙ୍କୁଚିତ କରିବ ବୋଲି ସେମାନେ ଆଶଙ୍କା କରୁଛନ୍ତି। ସରକାର ଏହି ନିୟମାବଳୀ ମାଧ୍ୟମରେ ଭିନ୍ନ ମତକୁ ଚପେଇ ଦେବାର ଚକ୍ରାନ୍ତ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରୁଛନ୍ତି। ସେମାନଙ୍କ ଆଶଙ୍କା ମଧ୍ୟ ଅମୂଳକ ନୁହେଁ।
ନିକଟ ଅତୀତରେ ଅନେକ ମାମଲାରେ କେନ୍ଦ୍ର ସରକାରଙ୍କ ତତ୍ପରତା ଓ ଗିରଫଦାରୀ ଏ ଦୃଷ୍ଟିରୁ ଗୁରୁତ୍ୱପୁର୍ଣ୍ଣ। ସରକାର କେବେ ବି ରାଷ୍ଟ୍ର ନୁହେଁ। ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାର ଆସେ ଓ ଯାଏ। ସରକାର ବଦଳିଲେ ସରକାରୀ ନିଷ୍ପତ୍ତି ବଦଳିଯାଏ। ସମସ୍ତ ସରକାରୀ ନିଷ୍ପତ୍ତି ଯେ ରାଷ୍ଟ୍ରହିତ ପାଇଁ ଉଦ୍ଦିଷ୍ଟ ଏହା କୁହାଯାଇ ପାରିବ ନାହିଁ। ଏଣୁ ସୁସ୍ଥ ଗଣତାନ୍ତ୍ରିକ ସମାଜରେ ସରକାରଙ୍କ ବିରୋଧରେ ପ୍ରତିବାଦର ସ୍ୱର ମଧ୍ୟ ନିଷ୍ପ୍ରଭ ହେବା ଉଚିତ ନୁହେଁ। ସାମାଜିକ ଗଣମାଧ୍ୟମ ଏଭଳି କ୍ଷେତ୍ରରେ ଅଧିକ ଉପଯୋଗୀ ମନେହୁଏ। ସମାଜର ନିମ୍ନସ୍ତରର ସ୍ୱରକୁ ମଧ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ସାରା ବିଶ୍ୱରେ ପ୍ରସାରିତ କରାଯାଇ ପାରୁଛି। ପୃଥିବୀରେ ଯେ କୌଣସି ଅଞ୍ଚଳରେ ଘଟୁଥିବା ଘଟଣା ଉପରେ ସମଗ୍ର ପୃଥିବୀରୁ ପ୍ରତିକ୍ରିୟା ଆସୁଛି। ଭୌଗୋଳିକ ସୀମା ସରହଦକୁ ସାମାଜିକ ଗଣମାଧ୍ୟମ ଚୁରମାର କରିଦେଇଛି। ସାଂପ୍ରତିକ ସମାଜ ଉପରେ ସାମାଜିକ ଗଣମାଧ୍ୟମର ପ୍ରଭାବକୁ ରୋକାଯାଇ ପାରିବ ନାହିଁ। ସତର୍କତା, ସଂଯମ ଓ ସହିଷ୍ଣୁତା ଯଦି ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ଧ୍ୟେୟ ହୁଏ, ତେବେ ଏହି ପ୍ରଭାବଶାଳୀ ଗଣମାଧ୍ୟମ ଏକ ଉନ୍ନତ ସମାଜ ଗଠନରେ ନିଶ୍ଚିତରୂପେ ସହାୟକ ହେବ।

ଡାକ୍ତର -ରଶ୍ମିତା ସେଠୀ

Next Post

ଶିବାନନ୍ଦ ଆଶ୍ରମରେ ଗୀତା ଜୟନ୍ତୀ

Wed Dec 3 , 2025
କେନ୍ଦ୍ରାପଡ଼ା,୩ା୧୨:କେନ୍ଦ୍ରାପଡା ବ୍ଲକ ଅଧିନ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ଗୀତା ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଶ୍ରୀମଦ୍ ଭାଗବତଗୀତା ସମ୍ପୂର୍ଣ୍ଣ ପାରାୟଣ ଓ ହବନ ଯଜ୍ଞ ସମ୍ପାଦନ ହୋଇଛି। ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ନାନ ଏବଂ ତର୍ପଣ କରାଯିବା ପରେ ରୀତି ନୀତି ଅନୁଯାୟି ସମସ୍ତ କାର୍ଯ୍ୟ କରାଯାଇଥିଲା। ଶିବାନନ୍ଦ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ, ଗୁରୁଜୀ, ଗୁରୁମା, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading