କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ସପ୍ତଦଶ ସଂସ୍କୃତ ଦିବସ

କେନ୍ଦ୍ରାପଡା ୬/୯ : ସଂସ୍କୃତ କେବଳ ଏକ ପ୍ରାଚୀନ ଭାଷା ନୁହେଁ, ବରଂ ଏହା ଭାରତୀୟ ସଂସ୍କୃତି, ଦର୍ଶନ ଓ ଜ୍ଞାନ-ବିଜ୍ଞାନର ଆଧାର । ଆଜିର କମ୍ପ୍ୟୁଟର ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଯୁଗରେ ସଂସ୍କୃତ ସବୁଠାରୁ ଗଣନାତ୍ମକ ଓ ସଠିକ୍ ଭାଷା ଭାବେ ପରିଗଣିତ ହେଉଛି। କମ୍ପ୍ୟୁଟର ପ୍ରୋଗ୍ରାମିଂ ପାଇଁ ଏହାର ବ୍ୟାକରଣଗତ ସଂରଚନା ସମ୍ପୂର୍ଣ୍ଣ ଉପଯୁକ୍ତ। ଏହା ବ୍ୟତୀତ ଆମର ପ୍ରାଚୀନ ଆୟୁର୍ବେଦ, ଜ୍ୟୋତିଷ, ଗଣିତ ଓ ଯୋଗ ଶାସ୍ତ୍ରର ମୂଳ ରହସ୍ୟ ସଂସ୍କୃତ ଭାଷାରେ ହିଁ ନିହିତ ରହିଛି। ଆଧୁନିକତା ନାମରେ ନିଜର ପ୍ରାଚୀନ ସଂସ୍କୃତି ଓ ସଂସ୍କୃତକୁ ଭୁଲିଯିବା ଆଦୌ ଗ୍ରହଣୀୟ ନୁହେଁ। ଯୁବପିଢ଼ିଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧ ଏବଂ ସଂସ୍କାର ଭରିବା ପାଇଁ ସଂସ୍କୃତ ସାହିତ୍ୟର ଅଧ୍ୟୟନ ନିତାନ୍ତ ଆବଶ୍ୟକ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାଉପକଣ୍ଠ ବଳଦେବ ଉଚ୍ଚ ବିଦ୍ୟାଳୟଠାରେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ପକ୍ଷରୁ ଆୟୋଜିତ ସପ୍ତଦଶ ବାର୍ଷିକ ସଂସ୍କୃତ ଦିବସ ସମାରୋହ ଅବସରରେ ବରିଷ୍ଠ ସଂସ୍କୃତ ବିଶେଷଜ୍ଞମାନେ ଯୋଗ ଦେଇ ମତ ପ୍ରକାଶ କରିଛନ୍ତି।

ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ କେନ୍ଦ୍ରାପଡ଼ା ଶାଖାର ସଭାପତି ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂସ୍କୃତ ଦିବସ ସମାରୋହ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ସଂସ୍କୃତ ଭାଷାର ପ୍ରଚାର ପ୍ରସାର ପାଇଁ ଯତ୍ପର ନାସ୍ତି ଚେଷ୍ଟାକରିବାକୁ ପ୍ରତିଶ୍ରୁତି ଦେଇଥିଲେ। ବିଶିଷ୍ଟ ଅତିଥି ଭାବେ ମାନସ ଭୂଷଣ ହୃଷୀକେଶ ରଥ, ମୁଖ୍ୟବକ୍ତା ସଂସ୍କୃତ ଭାରତୀ ପୂର୍ବ ସମ୍ଭାଗ ଅଧ୍ୟକ୍ଷ ପଣ୍ଡିତ ନୃସିଂହ ଚରଣ ପଣ୍ଡା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡା ଶାଖା ସଂସ୍କୃତ ଶିକ୍ଷକ ସଂଘ ପ୍ରାକ୍ତନ ସଭାପତି ଶରତ କୁମାର ପାଣି, କେନ୍ଦ୍ରାପଡା ଓଷ୍ଟା ସଂଘ ସଭାପତି ଅଶୋକ କୁମାର ପରିଡ଼ା, ବଳଦେବ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଟିଟିକାନ୍ତ ନାୟକ ଯୋଗଦେଇ ସଂସ୍କୃତ ଭାଷାର ମହତ୍ୱ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ନଅଟି ବ୍ଲକରୁ ଆସିଥିବା ପିଲାମାନଙ୍କର ଜିଲ୍ଲାସ୍ତରୀୟ ଗୀତାପାଠ ପ୍ରତିଯୋଗିତା କରାଯାଇ ପ୍ରଥମ ,ଦ୍ୱିତୀୟ,ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀଛାତ୍ରମାନଙ୍କୁ ସାର୍ଟିଫିକେଟ ସହ ଅର୍ଥରାଶି ପ୍ରଦାନ କରିବା ସହତି ଅବସର ନେଇଥିବା ଶିକ୍ଷକମାନଙ୍କୁ ଉପଢୈ।କନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ସଂସ୍କୃତ ବିଷୟରେ ଶତପ୍ରତିଶତ ନମ୍ବର ରଖିଥିବା ପିଲାମାନଙ୍କୁ ସମ୍ମାନିତ କରାଯାଇଥିଲା।ପଣ୍ଡିତ ଉମାକାନ୍ତ ମହାପାତ୍ର ବେଦପାଠ, ମାନସ ମୁଦ୍ରା ଅତିଥି ପରିଚୟ, ସଂଘ ସମ୍ପାଦକ ଭଗବାନ ସାହୁ ବିବରଣୀ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର ଉପସ୍ଥିତ ଥିବା ବେଳେ ସର୍ବଶ୍ରୀ କଳ୍ପତରୁ ଦାଶ, ପ୍ୟାରୀ ମୋହନ ସ୍ୱାଇଁ, ଅଭିରାମ ସାହୁ, ବିପିନ ତ୍ରିପାଠୀ, ନକୁଳ ଦାଶ, ବିଷ୍ଣୁ ଚରଣ ପାଣି, ଶ୍ରୀନାଥ ମିଶ୍ର, ଜୟନ୍ତ ପଣ୍ଡା, ଜୟନ୍ତ ଶତପଥୀ, ସୁରେଶ ପାଣି, ହାଡିବନ୍ଧୁ ଭୂୟାଁ, ବିଜୟ ସାହୁ, ସୂଜୟକୁମାର ବେଉରା, ପ୍ରସନ୍ନ ଦାଶ, ରବିନ୍ଦ୍ର ବିଶ୍ୱାଳ, ପ୍ରଶାନ୍ତ ଦାସ, ମାଗୁଣି ବେହେରା ସତ୍ୟବ୍ରତ ନନ୍ଦ, ଶ୍ରୀବତ୍ସ ତ୍ରିପାଠୀ, ଅକ୍ଷୟ ପତ୍ରୀ, ସରୋଜ ଦାଶ, ନର୍ମଦା ବେହେରା ସମେତ ଶତାଧିକ ସଂସ୍କୃତ ଶିକ୍ଷକ ଯୋଗଦେଇଥିଲେ। ବଳଦେବ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ/ ଶିକ୍ଷକଙ୍କ ସହିତ କର୍ମଚାରୀଙ୍କ ମିଳିତ ସହଯୋଗରେ ସଂସ୍କୃତ ଦିବସ ବେଶ୍ ଶୃଙ୍ଖଳିତ ପରିବେଶରେ ପାଳିତ ହୋଇଥିଲା । ପରିଶେଷରେ ପଣ୍ଡିତ ଅମର ସିଂହ ଧନ୍ୟବାଦ ପ୍ରଦାନ କରିଥିଲେ। ଦ୍ୱିତୀୟ ଅଧିବେଶନରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।
