
କେନ୍ଦ୍ରାପଡ଼ା,୨୫ା୫: ପ୍ରଥମ କରି ୩୦ ବର୍ଷରୁ କମ୍ ତରୁଣ ସୃଜନ ଶିଳ୍ପୀଙ୍କୁ ନେଇ ଏକ ନିଆରା କବିତା ଆସର “ତାରୁଣ୍ୟ ତରଙ୍ଗ” ଅନୁଷ୍ଠିତ ହୋଇଯାଇଛି। କଳା, ସଂସ୍କୃତି ଓ ବୌଦ୍ଧିକତା ବିକାଶ ଦିଗରେ କାର୍ଯ୍ୟରତ ଦୁଇ ପ୍ରତିବଦ୍ଧ ଅନୁଷ୍ଠାନ ସିମ୍ଫୋନି ଓ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜସ୍(କେମ୍)ର ମିଳିତ ପ୍ରୟାସରେ ସ୍ଥାନୀୟ ମାଧପୁର “ପୁନର୍ବାସ”ଠାରେ ଏହି ଭିନ୍ନ ସୃଜନ ଆସର ଆୟୋଜିତ ହୋଇଯାଇଛି। ଯୁବକବି ଗୋଲାପ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର କବିତା ଆସରରେ କବି ସଂଗ୍ରାମ ମହାରଣା, ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ, ପୂଜାଶ୍ରୀ ସେଠୀ, ଦେବଦତ୍ତ ମିଶ୍ର, ଗାୟତ୍ରୀ ପୃଷ୍ଟି, ସଂଜୀବ ଜେନା ଓ ମନୋଜ ବିଶ୍ୱାଳ ପ୍ରମୁଖ ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ। ଏହି ଅବସରରେ ଯୁବକବି ଦେବଦତ୍ତ ମିଶ୍ରଙ୍କ ଦ୍ୱିତୀୟ କବିତା ସଂକଳନ “ଆକାଶ ସମୁଦ୍ର” ପଠାକାର୍ପିତ ହୋଇଥିଲା। ନୂତନ ପୁସ୍ତକ ସମ୍ପର୍କରେ ଅଧ୍ୟାପକ ଡ. ଗିରିଜାକାନ୍ତ ଦାସ ନିଜର ସମୀକ୍ଷାତ୍ମକ ଦୃଷ୍ଟିକୋଣ ଉପସ୍ଥାପନା କରିଥିଲେ। ସଂକଳନର ବିଭିନ୍ନ କବିତାକୁ ଉପସ୍ଥିତ କବି ଆବୃତ୍ତି କବିତା ପରେ ପରିଶେଷରେ ସିମ୍ଫୋନି ଓ କେମ୍ର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ ଦେବଦତ୍ତଙ୍କ ଏହି ନୂତନ ସଂକଳନର କାବ୍ୟିକ ଆବେଦନ ଓ କଳାତ୍ମକ ଅଭିନବତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ପରିଶେଷରେ ସିମ୍ଫୋନିର କୋଷାଧକ୍ଷ ବଂଶୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ରଂଜନ ସ୍ୱାଇଁ, ମିହିର ରଂଜନ ବାରିକ ଓ ଦୀପକ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।
