ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରସଙ୍ଗ
ପଟ୍ଟାମୁଣ୍ଡାଇରେ ଭିତିିଭୂମି ଅଛି, ଡାକ୍ତର ନାହାନ୍ତି

ପଟ୍ଟାମୁଣ୍ଡାଇ, ୫ା୯-ପଟ୍ଟାମୁଣ୍ଡାଇ ସହରାଂଚଳରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଭିତିିଭୂମିର ବିକାଶ ପାଇଁ ସରକାରୀ କୋଷାଗାରରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଆଧୁନିକ କୋଠା ଓ ରୋଗ ନିରୂପଣ ଯନ୍ତ୍ରପାତି ଠିଆ କରିଛନ୍ତି। କିନ୍ତୁ ଏହି କୋଠାଗୁଡ଼ିକ ଭିତରେ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ବିଶେଷଜ୍ଞ ନଥିବାରୁ ସ୍ତାନାନ୍ତର ଓ ୧୦୮ ଆମ୍ବୁଲାନ୍ସର ବ୍ୟବସ୍ଥାରେ ସମୟସୀମା ଅତିବାହିତ ହେଉଛି । ଜରୁରୀକାଳୀନ ପ୍ରାରମ୍ଭିକ ସମୟ ମଧ୍ୟରେ ଚିକିତ୍ସା ନପାଇ ଗୁରୁତର ରୋଗୀ ଆମ୍ବୁଲାନ୍ସ ଭିତରେ କିମ୍ବା ବାଟରେ ହିଁ ଆଖି ବୁଜୁଛନ୍ତି। ଅନେକ ସ୍ଥାନରେ ଫାର୍ମାସିଷ୍ଟ କିମ୍ବା ଆୟୁଷ ଡାକ୍ତରଙ୍କ ଭରସାରେ ଜରୁରୀକାଳୀନ ସେବା ଚାଲିଛି। କେବଳ ଭୌତିକ ଭିତିଭୂମି ଓ କୋଠାବାଡ଼ି ତିଆରି କଲେ ସ୍ୱାସ୍ଥ୍ୟସେବାରେ ସୁଧାର ଆସିବ ନାହିଁ। ଯେପର୍ଯ୍ୟନ୍ତ ଶୂନ୍ୟ ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରାନଯାଇଛି, ସେପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଜୀବନ ଏହିପରି ବିପଦରେ ପଡ଼ୁଥିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଥିବାବେଳେ ସରକାର ଏହି “ରେଫର ଚକ୍ରବ୍ୟୁହ’ ଭାଙ୍ଗିବା ପାଇଁ ତୁରନ୍ତ ସ୍ଥାୟୀ ଡାକ୍ତର ନିଯୁକ୍ତି ଦେବାକୁ ଜନସାଧାରଣ ଦାବୀ ଉଠିଛି ।
ଯୁବନେତା ସତ୍ୟପ୍ରୟ ସାମଲ, ମଳୟ ଦାସ, ମଳୟ ଓଝା, ପ୍ରମୁଖ କୁହନ୍ତି କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟ କି ପଟ୍ଟାମୁଣ୍ଡାଇ ସବ୍-ଡିଭିଜନାଲ୍ ହସ୍ପିଟାଲ ବା ଗ୍ରାମଂଚଳର ପ୍ରାଥମିକ ହେଉ କି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସବୁଠି ସ୍ୱୀକୃତ ପଦବୀ ତୁଳନାରେ ବହୁ ଡାକ୍ତର ପଦବୀ ଖାଲି ପଡ଼ିଛି। କୋଟି କୋଟି ଟଙ୍କାର ଆଧୁନିକ ଯନ୍ତ୍ରପାତିକୁ ଚଳାଇବା ପାଇଁ ବିଶେଷଜ୍ଞ ଡାକ୍ତର କିମ୍ବା ବୈଷୟିକ କର୍ମଚାରୀ ନଥିବାରୁ ସେଗୁଡ଼ିକୁ ଧୂଳି ଜମି ପଡ଼ିରହିଛି । ଦୁର୍ଘଟଣାଗ୍ରସ୍ତ କିମ୍ବା ଗୁରୁତର ରୋଗୀ ହସ୍ପିଟାଲରେ ପହଁଚିବା ମାତ୍ରେ, କେବଳ ପ୍ରାଥମିକ ଚିକିତ୍ସା ଦେଇ ସେମାନଙ୍କୁ କଟକ କିମ୍ବା ଭୁବନେଶ୍ୱର ବଡ଼ ମେଡିକାଲକୁ ରେଫର କରିଦିଆଯାଉଛି। ଗ୍ରାମାଂଚଳରୁ ଜଣେ ଗୁରୁତର ରୋଗୀ ପ୍ରଥମେ ପଟ୍ଟାମୁଣ୍ଡାଇର ଗ୍ରାମୀଣ ଡାକ୍ତରଖାନାକୁ ଆସିଲେ, ସେଠାରେ ସ୍ୱେଶାଲିଷ୍ଟ ଡାକ୍ତରଙ୍କ ଅଭାବରୁ ତାଙ୍କୁ ପଟ୍ଟାମୁଣ୍ଡାଇ ସବ-ଡିଭିଜନାଲ୍ ହସପିଟାଲକୁ ରେଫର କରାଯାଉଛି। ଏହି ପ୍ରକ୍ରିୟାରେ ୩ ରୁ ୪ ଘଂଟାର ଅମୂଲ୍ୟ ସମୟ ନଷ୍ଟ ହେଉଥିବା ବେଳେ, ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା ଆହୁରି ଦୁଃଖ ଦେଉଛି ।
ସାମାଜିକକର୍ମୀ ନରେନ୍ଦ୍ର ଧଳ, କୈଳାସ ସେଠୀ କୁହନ୍ତି ଅଳପୁଆ ହେଉକି ଅଣ୍ଢରା କି ତୁଳସିଡିଆ ଭଳି ଗ୍ରମାଂଚଳ ଡାକ୍ତରଖାନାରୁ ରେଫର ରୋଗୀଙ୍କୁ ୧୦୮ ଆମ୍ବୁଲାନ୍ସ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଛାଡ଼ିଦିଏ। ସେଠାରୁ ଗୁରୁତର ରୋଗୀକୁ ଦେଖିଲା ମାତ୍ରେ କେନ୍ଦ୍ରାପଡାକୁ ସ୍ତାନାନ୍ତର କରିଦିଆଯାଏ । ଫଳରେ ଅନ୍ୟ ଏକ ଆମ୍ବୁଲାନ୍ସ ପାଇଁ ଦୀର୍ଘ ସମୟ ଅପେକ୍ଷା କରିବା ପରେ ଜିଲା ମୁଖ୍ୟ ଡାକ୍ତରଖାନା ପଠାଯାଏ। ତେବେ ଜିଲା ସ୍ତରରେ ଆବଶ୍ୟକ ବିଶେଷଜ୍ଞ ଡାକ୍ତର ନଥିବାରୁ ଶେଷରେ ରୋଗୀଙ୍କୁ କଟକ ବଡ଼ ଡାକ୍ତରଖାନା ରେଫର କରାଯାଏ। ଏହି ଆମ୍ବୁଲାନ୍ସ ବଦଳାଇବା ଓ ଗୋଟିଏ ଡାକ୍ତରଖାନାରୁ ଅନ୍ୟ ଡାକ୍ତରଖାନା ଦୌଡ଼ିବାରେ ପ୍ରାୟ ୮ ରୁ ୧୦ ଘଂଟା ଅତିବାହିତ ହୋଇଯାଏ। ଫଳରେ ସଠିକ୍ ସମୟରେ ଚିକିତ୍ସା ନପାଇ ଅନେକ ଗୁରୁତର ରୋଗୀ ରାସ୍ତାରେ ହିଁ ଆଖି ବୁଜୁଛନ୍ତି। ଯଦି ଗୁରୁତର ରୋଗୀଙ୍କୁ ସମୟସୀମା ଭିତରେ ଜରୁରୀ ସେବା ମିଳିପାରୁନାହିଁ, ତେବେ ଏହି କୋଟି କୋଟି ଟଙ୍କାର ଭିତିଭୂମି ପ୍ରକୃତରେ କାହା ପାଇଁ ବୋଲି ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି । କେବଳ କୋଠାବାଡ଼ି ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଟ୍ୟାକ୍ସଦାତାଙ୍କ ଅର୍ଥ ନଷ୍ଟ ନକରି, ଶୀଘ୍ର ଆବଶ୍ୟକୀୟ ଡାକ୍ତର ଓ ବିଶେଷଜ୍ଞ ନିଯୁକ୍ତି ଦେବାକୁ ପଟ୍ଟାମୁଣ୍ଡାଇବାସୀ ଦାବି କରିଛନ୍ତି। ନଚେତ, ଆଗାମୀ ଦିନରେ ଏହା ଏକ ବଡ଼ ଆନ୍ଦୋଳନର ରୂପ ନେବ ବୋଲି ସ୍ଥାନୀୟ ବୁଦ୍ଧିଜୀବି ମାନେ ମତ ରଖିଛନ୍ତି ।
