
କେନ୍ଦ୍ରାପଡ଼ା,୨୭ା୫: ପାଣିପାଗ ବିଭାଗ ଦ୍ୱାରା ସୂଚନା ମୁତାବକ ଆଗାମୀ ଦୁଇ ତିନ ଦିନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ବିଭାଗର ପ୍ରସ୍ତୁତିକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଆଜି ସନ୍ଧ୍ୟାରେ ସମସ୍ତ ବିଭାଗ ସହିତ ସମୀକ୍ଷା କରିଛନ୍ତି। କଣ୍ଟ୍ରୋଲ୍ ରୁମ୍, ପାନୀୟ ଜଳ ବ୍ୟବସ୍ଥା ଶୁଖିଲା ଖାଦ୍ୟ ମହଜୁଦ, ଜେନେରେଟର, ଔଷଧ, ବାତ୍ୟା ଆଶ୍ରୟ ସ୍ଥଳ ସ୍ଥିତି, ଡ଼ଙ୍ଗାର ସ୍ଥିତି ସହିତ ଅନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାକୁ ପ୍ରସ୍ତୁତି ରଖିବାକୁ ଜିଲ୍ଲାପାଳ ଶ୍ରୀ ପ୍ରଧାନ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସମସ୍ତ ଯନ୍ତ୍ରପାତି ଉପକରଣ ସଠିକ କରି ସଜାଗ ରହିବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା କୌଣସି ବି ଅଧିକାରୀ ଜିଲ୍ଲା ମୁଖ୍ୟାଳୟ ନଛାଡିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନୀୟ ଓସ୍ୱାନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ସମେତ ସମସ୍ତ ବିଭାଗର ଅଧିକାରୀ ବୈଠକରେ ଯୋଗ ଦେଇଥିଲେ। ଏହାଛଡା ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରୁ ବିଡ଼ିଓ, ତହସିଲଦାରମାନେ ଭିଡିଓ କନଫୋରନସିଂ ମାଧ୍ୟମରେ ଯୋଡି ହୋଇ ବର୍ତ୍ତମାନ ପରିସ୍ଥିତି ଏବଂ ପ୍ରସ୍ତୁତିକୁ ନେଇ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ।
