
ଡେରାବିଶ୧୫/୦୫ – ରୋଗୀଙ୍କୁ ଆରୋଗ୍ୟ କରିବା ପାଇଁ ଆମ୍ବୁଲାନ୍ସର ସହାୟତା ପଡ଼ିଥାଏ । ମାତ୍ର ରାଜ୍ୟରେ ତୈଳ ସଙ୍କଟ ଯୋଗୁ କଟକ ବଡ଼ଡାକ୍ତରଖାନାରୁ ଭୂବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟକୁ ଜଣେ ରୋଗୀକୁ ନେଇ ଯାଉଥିବା ଆମ୍ବୁଲାନ୍ସରୁ କାଠଯୋଡ଼ି ପୋଲ ଉପରେ ଶୁକ୍ରବାର ତେଲ ସରିଯିବା ଯୋଗୁ ଆମ୍ବୁଲାନ୍ସ ଭିତରେ ରୋଗୀଙ୍କ ମୃତ୍ୟୁ ହେବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅଂଚଳରେ । ଆମ୍ବୁଲାନ୍ସରେ ମୃତ୍ୟୁ ହୋଇଥିବା ରୋଗୀ ଜଣକ ହେଲେ ଏହି ଥାନା ଅନ୍ତର୍ଗତ ଚାଟରାଚକଡ଼ା ପଂଚାୟତ ଗୋବିନ୍ଦପୁର ଗ୍ରାମର ପ୍ରକାଶ କାଣ୍ଡି (୩୫) । ଏ ନେଇ ପ୍ରକାଶଙ୍କ ଭାଇ ବିଭୂତି ଭୂଷଣ ଡେରାବିଶ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପ୍ରକାଶଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଏ ନେଇ ଥାନାରେ କେଶ୍ ନଂ ୨/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇ ତଦନ୍ତ କରାଯାଉଥିବା ଥାନା ଅଧିକାରୀ ଅମ୍ବିକା ପ୍ରସାଦ ଦାସ ସୂଚନା ଦେଇଛନ୍ତି । ଅଭିଯୋଗ ଅନୁଯାୟୀ ପାରିବାରିକ କଳହକୁ କେନ୍ଦ୍ର କରି ପ୍ରକାଶ ଗୁରୁବାର ଅପରାହ୍ନରେ ବିଷପିଇ ଦେଇଥିଲେ । ସାଙ୍ଗେ ସାଙ୍ଗେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅଧିକ ଗୁରୁତର ହେବାରୁ କଟକ ବଡ଼ମେଡ଼ିକାଲ୍କୁ ଚିକିତ୍ସା ପାଇଁ ପ୍ରକାଶଙ୍କୁ ନିଆଯାଇଥିଲା । ତେବେ ସେଠାରେ ତାଙ୍କର ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭୂବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ନିଆଯାଉଥିବା ବେଳେ କାଠଯୋଡ଼ି ପୋଲ ଉପରେ ଆମ୍ବୁଲାନ୍ସର ତେଲ ସରିଯିବାରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ପରିବାର ଲୋକ ପ୍ରକାଶଙ୍କ ମୃତଶରୀରକୁ ଧରି ନିଜ ଗ୍ରାମକୁ ଆଣି ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରିବାକୁ ବାହାରିଥିଲେ । ଏହି ଘଟଣା ସ୍ଥଳରେ ପୋଲିସ ପହଂଚି ପ୍ରକାଶଙ୍କ ମୃତ ଦେହକୁ ଜବତ କରିଥିଲେ । ମୃତ ପ୍ରକାଶଙ୍କ ବିଧବା ପତ୍ନୀ ସହିତ ୫ ବର୍ଷର ଗୋଟିଏ ପୁଅ ଓ ଦୁଇ ବର୍ଷର ଗୋଟିଏ ଝିଅ ବେସାହାରା ହୋଇଯାଇଛନ୍ତି । (ଫଟୋଅଛି)
