
କେନ୍ଦ୍ରାପଡା ୨୫/୪ : କେନ୍ଦ୍ରାପଡା ଜିଲ୍ଲାର ହରିହରାନନ୍ଦ ମାତୃଆଶ୍ରମ ପରିସରରେ ଜ୍ଞାନପ୍ରଭା ମିଶନ ଦ୍ୱାରା ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଶକ୍ତିରୂପେଣ ସଂସ୍ଥିତା କାର୍ଯ୍ୟକ୍ରମ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ରୁ ୫୦୦ ରୁ ଉର୍ଦ୍ଧ୍ୱ ସ୍କୁଲ କଲେଜରେ ପାଠ ପଢୁଥିବା ଝିଅମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଜ୍ଞାନପ୍ରଭା ମିଶନ୍ର ଉପାଧ୍ୟକ୍ଷା ସ୍ୱାମୀ ଜ୍ଞାନସ୍ୱରୂପାନନ୍ଦ ଗିରି, ଯୁଗ୍ମସମ୍ପାଦିକା ସ୍ୱାମୀ ଗିରିଜାନନ୍ଦ ଗିରି, ସନ୍ନ୍ୟାସିନୀ ସ୍ୱାମୀ ଜ୍ୟୋତିର୍ମୟାନନ୍ଦ ଗିରି ଏବଂ ସୁଜାତା ସାହୁ ମା ଭାରତୀୟ ସଂସ୍କୃତିରେ ଲୁପ୍ତ ହୋଇଯାଉଥିବା ସେହି ବୈଦିକ ସଂସ୍କୃତି, ସଂସ୍କାର ଏବଂ ନିଜକୁ ପବିତ୍ର ରଖିବା ସହିତ ସଂଯମ ଜୀବନ କରିବା ଓ ନିଜ ଭିତରେ ଦୈବୀଶକ୍ତିକୁ ଜାଗ୍ରତ କରି ନାରୀ ଜୀବନରେ ଆସୁଥିବା ବିଭିନ୍ନ ସମସ୍ୟାର ସମାଧାନ କିପରି କରିପାରିବେ ସେହି ବିଷୟରେ ଶିକ୍ଷା ଦେଇଥିଲେ। ଶ୍ରୀ ଗୁରୁଜୀ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜାଙ୍କ ବାର୍ତ୍ତା ପିଲାମାନଙ୍କୁ ଟିଭି ମାଧ୍ୟମରେ ଦେଖାଯାଇଥିଲା। ଶ୍ରୀ ଗୁରୁଜୀଙ୍କର ଝିଅ ମାନଙ୍କ ପାଇଁ ଆଶୀର୍ବଚନ ଥିଲା ନାରୀ ଭୋଗ୍ୟା ନ ହୋଇ ପୂଜ୍ୟ ରୂପେ ପ୍ରତିଷ୍ଠିତ ହେଉ। ଅପରାହ୍ନ କାର୍ଯ୍ୟକ୍ରମରେ ଅତିରିକ୍ତ ନିର୍ଦେଶକ ଅନୁସନ୍ଧାନ ଲୋକାୟତ କାର୍ଯ୍ୟାଳୟ ବିଜୟଲକ୍ଷ୍ମୀ ଜେନା ,ଏସକେସି ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଆରାଧନା ଦାଶ, ମିଶନ୍ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମିଶ୍ର ଉପସ୍ଥିତ ରହି ନାରୀମାନଙ୍କ ପରିବର୍ତ୍ତନରେ ସମାଜର ପରିବର୍ତ୍ତନ ସମ୍ଭବ ହୋଇପାରିବ ବୋଲି ଉଦବୋଧନ ଦେଇଥିବା ବେଳେ ଝିଅମାନଙ୍କୁ ସତ୍ ଚରିତ୍ର ଗଠନ ପାଇଁ ପ୍ରେରଣା ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ସତ୍ ଚରିତ୍ର ଗଠନ ପାଇଁ ଝିଅମାନଙ୍କୁ ସଙ୍କଳ୍ପ ପାଠ କରାଯାଇଥିଲା। ସନ୍ନ୍ୟାସିନୀ ସୁମେଧାନନ୍ଦ ଗିରି ସଭା ପରିଚାଳନା କରିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାର କ୍ରୀୟାଯୋଗୀ ଶିଷ୍ୟଭକ୍ତ ମାନଙ୍କ ସହିତ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିଥିଲେ।
