୫୩ନମ୍ବର ଜାତୀୟ ରାଜପଥର ଦୁହୁରିଆ ଅଣଓସାରିଆ ପୋଲ ସମ୍ପର୍କରେ ରାଜ୍ୟପାଳଙ୍କ ରିପୋର୍ଟ ତଲବ
କେନ୍ଦ୍ରାପଡ଼ା,୨୨ା୨:ଚଣ୍ଡିଖୋଲ- ପାରାଦୀପ ୫୩ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ ସମୟରେ ୨୦୧୩ମସିହାରେ ନିର୍ମାଣ କରାଯାଇଥିବା ଦୁହୁରିଆ ପୋଲକୁ ୩ମାସ କାଳ ଲାଗି ଭଙ୍ଗାଯାଇ ଏଠାରେ ଜଗତପୁର ଗୋଲେଇଛକ ଷ୍ଟାଇଲରେ ୨ଟି ପୋଲ ବିଶିଷ୍ଟ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ମାତ୍ର ଦୁଃଖର କଥା ଯେତିକି ଓସାରର ପୋଲ ଭଙ୍ଗାଗଲା ତାକୁ ଚଉଡା କରାନଯାଇ ମାତ୍ର ଏକ ମିଟର ଅଧିକ ଚଉଡା କରାଯାଇ ନିର୍ମାଣ କରାଗଲା। ଏହାପୂର୍ବରୁ କଟକ-ଚାନ୍ଦବାଲି ରାସ୍ତା ୪ଲେନ ବିଶିଷ୍ଟ ହେବାକୁ ସମସ୍ତ ପ୍ରକାର କାଗଜପତ୍ର ଚୁଡାନ୍ତ କରାଯାଇଥିବା ବେଳେ କଟକ-ଚାନ୍ଦବାଲି ରାସ୍ତାର ମାଲିକ ତଥା କେନ୍ଦ୍ରାପଡା ପୂର୍ତ୍ତ ଡିଭିଜନର ଅଧୀକ୍ଷଣଯନ୍ତ୍ରୀ ଙ୍କ କୈାଣସି ମତାମତ ବା ସହଯୋଗ ନିଆଯାଇନଥିଲା। ଏହି ଛକ ଜିଲ୍ଲାର ଚଉମୁହାଣ ହୋଇଥିବା ବେଳେ ଜଗତସିଂହପୁର,ଯାଜପୁର, କଟକ ଓ ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାର କୋଣଅନୁକୋଣକୁ ସଂଯୋଗ କରୁଅଛି। ଏହା ଏତେ ଛୋଟ କରି ନିର୍ମାଣ କରାଯାଇ ଥିବାରୁ ସେଠାରେ ପୂର୍ବପରି ଶହ ଶହ ଦୂର୍ଘଟଣା ହୋଇ ବହୁ ଧନଜୀବନ ନଷ୍ଟ ହେଉଛି। ଏହାକୁ ପ୍ରତିବାଦ କରି କେନ୍ଦ୍ରାପଡା ଜିଲ୍ଲା କୃଷକ ବିକାଶ ପରିଷଦ ଓ କେନ୍ଦ୍ରାପଡା ନାଗରିକ ସୁରକ୍ଷା ମଞ୍ଚର ସଭାପତି ଆଇନଜୀବୀ ବିଜୟ ପରିଡା, ନାଗରିକ ସୁରକ୍ଷା ମଞ୍ଚର ଆବାହକ ସନାତନ ମୁଦୁଲି, ନୟନବିହାର ଉନ୍ନୟନ ସମିତିର ସଭାପତି ସୁଶିଲ ସାମଲ ଓ ଶ୍ରୀ ଶ୍ରୀ ଶୁଭଲକ୍ଷ୍ମୀ କ୍ରସିଙ୍ଗ ବଜାର ବ୍ୟବସାୟୀ ସଙ୍ଘ ସଭାପତି କ୍ଷେତ୍ରବାସୀ ସାହୁ କେନ୍ଦ୍ରାପଡା ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ଗିରିଧାରୀ ପଟ୍ଟନାୟକ ପ୍ରମୁଖ ରାଜ୍ୟ ଓ କେନ୍ଦ୍ରର ବିଭିନ୍ନ ପଦାଧିକାରୀମାନଙ୍କୁ ସାକ୍ଷାତକରି ଦୁହୁରିଆ ଛକରେ ଏକ ବୃହତ ଗୋଲେଇଛକ ଓ ୨ଟି ବୃହତ ପୋଲ ନିର୍ମାଣ କରାଯିବାକୁ ଦାବି ଜଣାଇଥିଲେ। ଏଥିସହିତ ଓଡିଶାର ରାଜ୍ୟପାଳଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଥିଲେ। ରାଜ୍ୟପାଳ ସେହି ଦାବିପତ୍ର ଉପରେ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଏକ ରିପୋର୍ଟ ତଲବ କରିଛନ୍ତି। ଜିଲ୍ଲାପାଳ ରାଜ୍ୟପାଳଙ୍କ ନିର୍ଦ୍ଦେଶ ପାଇବା ପରେ ପୂର୍ତ୍ତ ଡିଭିଜନର ଅଧୀକ୍ଷଣଯନ୍ତ୍ରୀଙ୍କୁ ଦୁହୁରିଆ ଠାରେ ନିର୍ମାଣାଧିନ ଅଣଓସାରିଆ ପୋଲ(ଓଭରବ୍ରିଜ) ସମ୍ପର୍କରେ ଏକ ସବିଶେଷ ରିପୋର୍ଟ ତୁରନ୍ତ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଜଣାପଡିବା ପରେ ଦୁହୁରିଆରେ ନିର୍ମାଣାଧିନ ପୋଲ ନୂଆ ରୂପରେଖ ପାଇବାର ସମ୍ଭାବନା ଉଜ୍ଜ୍ୱଳ ହୋଇ ଉଠିଛି। ଏସମ୍ପର୍କରେ ଆଇନଜୀବୀ ଶ୍ରୀ ପରିଡା କହିଛନ୍ତି ଯେ ପର୍ଯ୍ୟନ୍ତ ଦୁହୁରିଆରେ ୨ଟି ବଡ ଓଭରବ୍ରିଜ ଓ ଗୋଲେଇଛକ ବାଇପାସ ନିର୍ମାଣ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବ।

