ଷଷ୍ଠ ଜିଲ୍ଲା ପରିଷଦ ବୈଠକ , ଖରାଦିନେ ନଳକୂପ ଖୋଳା ନ ଯିବାରୁ ଅଧିକାରୀଙ୍କ ଉପରେ ବର୍ଷିଲେ ସଭାପତି

blank
କେନ୍ଦ୍ରାପଡ଼ା,୨୬ା୬:ଖରାଦିନ ଶେଷ ହୋଇଗଲା। କିନ୍ତୁ ନଳକୂପ ବସିଲା ନାହିଁ। ଜଳକ୍ଲୀଷ୍ଟ ଅଞ୍ଚଳର ଲୋକମାନେ ପାଣି ପାଇଁ ହାହାକାର ହେଲେ। ଲୋକେ ଜନ ପ୍ରତିନିଧିମାନଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ। କିନ୍ତୁ ଅଧିକାରୀମାନେ ନଳକୂପ ଖନନ କଲେ ନାହିଁ। ଦାୟିତ୍ୱରେ ଥିବା ଅଧିକାରୀମାନେ ଏବେ ନଳକୂପ ଖନନ କରିବା ପାଇଁ ପ୍ରସ୍ତାବ ଦେଉଛନ୍ତି। ବର୍ତ୍ତମାନ ନଳକୂପ ଖନନ କଲେ ଅଳ୍ପ ଗଭୀରତାରେ ପାଣି ବାହାରିବ। ତେଣୁ ସେତିକି ଗଭୀର ପର୍ଯ୍ୟନ୍ତ ମାଟିରେ ପାଇପ ପଡିବ। ହେଲେ ଗ୍ରୀଷ୍କଋତୁରେ ଜଳସ୍ତର ଖସିଯିବ। ଫଳରେ ସେହି ନଳକୂପ ଅଚଳ ହୋଇପଡିିବ। ତେଣୁ ସଠିକ ସମୟରେ ନଳକୂପ ଖନନ କରି ନଥିବାରୁ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ ଅଧିକାରୀଙ୍କ ଉପରେ ବର୍ଷିଥିଲେ। ବୁଧବାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପରିଷଦର ଷଷ୍ଠ ସାଧାରଣ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ଜିଲ୍ଲା ପରିଷଦ ସଭାପତି ତାଗିଦ କରିଥିଲେ। ସେହିପରି ଜିଲ୍ଲାରେ କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ସରକାର ଯେଉଁ ନିର୍ଦ୍ଦେଶ ଦେଇଥିଲେ ଯେ ଜିଲ୍ଲାରେ ଯେଉଁ କନିଷ୍ଠ ଶିକ୍ଷକମାନେ ନିଯୁକ୍ତି ପାଇବେ ସେ ନେଇ ଜିଲ୍ଲା ପରିଷଦକୁ ଅବଗତ କରାଯିବ। ହେଲେ ସେ ସଂକ୍ରାନ୍ତରେ କୌଣସି ସୂଚନା ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦକୁ ଜଣାଗଲା ନାହିଁ। ଜିଲ୍ଲା ପ୍ରଶାସନ ସରକାରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁନାହିଁ। କେଉଁ ବ୍ଲକରେ କେତେ ଶିକ୍ଷକ ନିଯୁକ୍ତ କରଗଲା ସେ ବିଷୟରେ ପ୍ରଶାସନ ଜିଲ୍ଲା ପରିଷଦକୁ ଅବଗତ କଲାନାହିଁ। କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦରେ ସର୍ବାଧିକ ବିଜେଡିର ସଭ୍ୟ ଥିବାରୁ ପ୍ରଶାସନ ସେମାନଙ୍କୁ ଅବଜ୍ଞା କରୁଛି ବୋଲି କେତେକ ଜିଲ୍ଲା ପରିଷଦ ସଭ୍ୟ ଅଭିଯୋଗ କରିଥିଲେ। ପ୍ରଶାସନ ସରକାରୀ ନିର୍ଦ୍ଦେଶକୁ ଖିଲାପ କରୁଛି ଓ ବିଜେପି ନେତାଙ୍କ ଇଙ୍ଗିତରେ କାର୍ଯ୍ୟ କରୁଛି ବୋଲି କେତେକ ସଭ୍ୟ ଅଭିଯୋଗ କରିଥିଲେ। ଯେଉଁ ବିଦ୍ୟାଳୟ ଗୋଟିଏ ଗୋଟିଏ ଶିକ୍ଷକରେ ଚାଲୁଛି ସେଠାରେ ତୁରନ୍ତ ଶିକ୍ଷକ ନିଯୁକ୍ତ କରିବା ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜିଲ୍ଲାରେ କେତେକ ବାତ୍ୟା ଆଶ୍ରୟସ୍ଥଳ ନଷ୍ଟ ହୋଇଗଲାଣି। ସେଗୁଡିକୁ ତୁରନ୍ତ ମରାମତି କରିବା ପାଇଁ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରବଳ ବର୍ଷା ହେଉଥିବାରୁ ନଦୀରେ ବନ୍ୟା ଆସିବାର ସମ୍ଭାବନା ରହିଛି। ତେଣୁ ଏହା ପୂର୍ବରୁ ବାତ୍ୟା ଆଶ୍ରୟସ୍ଥଳୀକୁ ମରାମତି କରିବା ଓ ଯେଉଁ ବାତ୍ୟା ଆଶ୍ରୟସ୍ଥଳୀ ନଷ୍ଟ ହୋଇଗଲାଣି ସେଗୁଡିକୁ ଭଙ୍ଗାଯାଇ ନୂତନ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୩ ମସିହାରେ ଜିଆରଏସ୍ ନିଯୁକ୍ତି ନେଇ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏ ନେଇ ପ୍ରିଲିମନାରୀ ପରୀକ୍ଷା ହେଲା। କିନ୍ତୁ କାହିଁକି ତାହାର ଫଳାଫଳ ଏପର୍ଯ୍ୟନ୍ତ ପ୍ରକାଶ ପାଇଲା ନାହିଁ ବୋଲି କେତେକ ସଭ୍ୟ ପ୍ରଶ୍ନ କରିଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଏ ନେଇ ସନ୍ତୋଷଜନକ ଉତ୍ତର ଦେଇପାରିଲେ ନାହିଁ। ଜିଲ୍ଲାରେ ହଇଜାରେ ୨ଟି ଜୀବନ ଚାଲି ଯାଇଥିବାରୁ ସ୍ୱଚ୍ଛତା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷ କରି ବିଦ୍ୟାଳୟଗୁଡିକରେ ବ୍ଲିଚିଂ ପାଉଡର ପକାଇବା, ଛାତ୍ରଛାତ୍ରୀଙ୍କୁ ସ୍ୱଚ୍ଛତା ଉପରେ ସଚେତନ କରିବା ପାଇଁ ଆଲୋଚନା ହୋଇଥିଲା। ଜଳ ଉତ୍ସଗୁଡିକୁ ସୁରକ୍ଷିତ ରଖିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ପରିଷଦ ଉପସଭାପତି ଭୀଷ୍ମ ମହାନ୍ତି କହିଥିଲେ ଭୂତଳ ଜଳ କିପରି ରିଚାର୍ଜ ହେବ ସେ ନେଇ ଯୋଜନା କରାଯାଉ। ୩ଶହରୁ ୪ଶହ ମିଟର ଭୂପୃଷ୍ଠକୁ କିପରି ବର୍ଷା ଜଳ ପ୍ରବେଶ କରିପାରିବ ସେ ନେଇ ସ୍ୱତନ୍ତ୍ର ଯୋଜନା କରାଯାଉ। ସେହିପରି ଜିଲ୍ଲାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି କରିବା ପାଇଁ ସେ ଦାବି କରିଥିଲେ। ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ପାଟକୁରା ବିଧାୟକଙ୍କ ପ୍ରତିନିଧି ଶୁକାନ୍ତ କୁମାର ଦ୍ୱିବେଦୀ, ସାଂସଦଙ୍କ ପ୍ରତିନିଧି ସଞ୍ଜୟ ରଥ, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ଜିଲ୍ଲା ପରିଷଦ ସଭ୍ୟ, ବିଭିନ୍ନ ବ୍ଲକର ବିଡିଓ, ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Next Post

ଆଜି ଘୋଷଯାତ୍ରା ଜନ୍ମବେଦୀ ଯିବେ ଦାରୁ ଦିଅଁ

Thu Jun 26 , 2025
ପୁରୀ ୨୬ା୬- ସିଂହଦ୍ୱାରରେ ତିନିରଥ। ଭକ୍ତମୟ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ରଥ, ପଥ, ଭକ୍ତ ସଭିଏଁ ପ୍ରସ୍ତୁତ। ଅପେକ୍ଷା କେବଳ କେତେବେଳେ ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଦାରୁଦିଅଁ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପାଇବେ ମହାପ୍ରଭୁଙ୍କ ଦୁର୍ଲଭ ଦର୍ଶନ। ଦାରୁବ୍ରହ୍ମଙ୍କ ସ୍ପର୍ଶରେ ରଥ, ପଥ ହେବ ବ୍ରହ୍ମମୟ। ସଭିଏଁ ହେବେ ଏକାକାର। ଆଉ ରଥାରୂଢ ହୋଇ ଜନ୍ମବେଦି ଯିବେ ଚତୁର୍ଦ୍ଧାବିଗ୍ରହ। ଶୁକ୍ରୁବାର ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ରଥାରୂଢ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading