
କେନ୍ଦ୍ରାପଡ଼ା,୧୨ା୪: କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱତନ୍ତ୍ର ପୋକସୋ କୋର୍ଟ ଜଜ୍ ଏକ ଗଣବଳାତ୍କାର ମାମଲାର ବିଚାର କରି ବଳାତ୍କାରରେ ସହଯୋଗ କରିଥିବା ଛାତ୍ରୀଙ୍କ ସହପାଠୀକୁ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ସହପାଠୀଙ୍କୁ ୧୮ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି। ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ଜଜ୍ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷ ଜେଲ ଦଣ୍ଡ ପାଇଥିବା ସହପାଠୀ ଜଣକ ମଧ୍ୟ ଜଣେ ନାବାଳିକା ଛାତ୍ରୀ। ମାମଲାର ବିବରଣୀରୁ ପ୍ରକାଶ ଯେ ବଳାତ୍କାରର ଶିକାର ହୋଇଥିବା ନାବାଳିକା ଛାତ୍ରୀ ଓ ଜେଲ ଦଣ୍ଡ ପାଇଥିବା ଅଭିଯୁକ୍ତ ନାବାଳିକା ଜଣଙ୍କ ପାଟକୁରାର କୁଦାନଗରୀ ଥାନା ଅଧିନରେ ବାସ କରନ୍ତି। ଉଭୟ ଏହି ଥାନା ଅଧିନ ଏକ ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ଅଧ୍ୟୟନ କରୁଥିଲେ। ଅଭିଯୁକ୍ତ ନାବାଳିକା ତାଙ୍କ ସାଙ୍ଗ ପୀଡିତା ଛାତ୍ରୀଙ୍କୁ କଟକରେ ରହୁଥିବା ତାଙ୍କ ଧରମ ଭାଇଙ୍କ ପାଖକୁ ବୁଲିଯିବା ପାଇଁ କହିଥିଲା। ପ୍ରଥମେ ଛାତ୍ରୀ ଜଣଙ୍କ ଏଥିରେ ରାଜି ହୋଇ ନଥିଲେ। କିନ୍ତୁ ଅଭିଯୁକ୍ତ ନାବାଳିକା ତାଙ୍କୁ ବାଧ୍ୟ କରିବାରୁ ସେ ରାଜି ହୋଇଥିଲେ। ୨୦୨୩ ମସିହା ଅକ୍ଟୋବର ୧୭ ତାରିଖରେ ଏକ କାରରେ ଦୁଇ ଜଣ ଯୁବକ କଲେଜ ନିକଟକୁ ଆସିଥିଲେ। ଏହି ସମୟରେ ଅଭିଯୁକ୍ତ ନାବାଳିକା ପୀଡିତାଙ୍କୁ ଥଣ୍ଡା ପାନୀୟ ଦେଇଥିଲେ। ହେଲେ ସେଥିରେ ନିଶା ଔଷଧ ମିଶାଇ ଦେଇଥିଲେ। ଫଳରେ ନାବାଳିକା ଛାତ୍ରୀ ଜଣଙ୍କ ଅଚେତ ହୋଇପଡିଥିଲେ। ଏହାପରେ ତାଙ୍କୁ କଟକର ସିଡିଏ ଅଞ୍ଚଳକୁ ନିଆଯାଇ ବଳାତ୍କାର କରାଯାଇଥିଲା। ତାଙ୍କ ଚେତା ଫେରିବା ବେଳକୁ ଏକ ଘରେ ଅଭିଯୁକ୍ତ ନାବାଳିକା, ବଳାତ୍କାର କରିଥିବା ଦୁଇ ଧରମ ଭାଇ ଥିଲେ। ନାବାଳିକା ଛାତ୍ରୀ ଏହାକୁ ବିରୋଧ କରିବାରୁ ତାଙ୍କୁ ପୁନର୍ବାର ଗଣ ବଳାତ୍କାର କରାଯାଇଥିଲା। ବଳାତ୍କାର କରିବାରେ ଅଭିଯୁକ୍ତ ଛାତ୍ରୀ ସହଯୋଗ କରିଥିଲେ। ଗଣ ବଳାତ୍କାର କରିବା ପରେ ତାଙ୍କୁ ଏକ କାରରେ ଆଣି ନରେନ୍ଦ୍ରପୁର ପୋଲ ନିକଟରେ ଚଳନ୍ତା କାରରୁ ପୀଡିତାଙ୍କୁ ଠେଲି ଦେଇଥିଲେ। ସ୍ଥାନୀୟ ଲୋକେ ପୀଡିତା ଛାତ୍ରୀଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଘଟଣା ସ୍ଥଳକୁ ପରିବାର ଲୋକେ ଆସି ପୀଡିତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ଅକ୍ଟୋବର ୧୮ ତାରିଖରେ ଏ ନେଇ କୁଦାନଗରୀ ଥାନାରେ ଏତଲା ଦିଆଯାଇଥିଲା। ଏତଲାକୁ ଆଧାର କରି ପୋଲିସ ଅଭିଯୁକ୍ତ ନାବାଳିକା ଓ ତାଙ୍କ ଦୁଇ ଧରମ ଭାଇଙ୍କୁ ଗିରଫ କରିଥିଲା। ପୋଲିସ ଡିସେମ୍ବର ୧୫ ତାରିଖରେ କୋର୍ଟରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା। ମାମଲାର ବିଚାର ଚାଲିଥିବା ବେଳେ ୧୬ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସମସ୍ତ ସାକ୍ଷ୍ୟପ୍ରମାଣକୁ ଭିତ୍ତିକରି ସ୍ୱତନ୍ତ୍ର ପୋକସୋ କୋର୍ଟ ଜଜ୍ ପ୍ରଜ୍ଞା ପରମିତା ରାଉଳ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି। ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କ ବିଚାର ଶେଷ ହୋଇନଥିବାରୁ କୋର୍ଟ ତାଙ୍କୁ ଦଣ୍ଡାଦେଶ କରିନଥିବା ଜଣାପଡିଛି। ଏଥିସହ ପୀଡିତା ଛାତ୍ରୀଙ୍କୁ ୭ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ଜିଲା ଆଇନ୍ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।
