ମହାକାଳପଡା ଥାନା ଘେରାଉ
ପିସିସି ସଭାପତିଙ୍କ ଏସପିଙ୍କ ସହ ଆଲୋଚନା

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲି ଓଝାଙ୍କ ଗିରଫଦାରୀକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇପଡିଛି । ଚାମେଲି ଓଝାଙ୍କୁ ଉଚିତ ନ୍ୟାୟ ଦାବିରେ କେନ୍ଦ୍ରାପଡ଼ା ଜିଲା ସରପଂଚ ସଂଘ ପକ୍ଷରୁ ଗତକାଲି ଏସପି ଓ ଜିଲାପାଳଙ୍କୁ ଭେଟି ଦାବୀଜାଣାଇଥଲେ ।ଆଜି ଚାମେଲି ଓଝାଙ୍କୁ ଉଚିତ ନ୍ୟାୟ ଦାବିରେ ବିଭିନ୍ନ ସଂଗଠନ ଓ ଦଳ ପକ୍ଷରୁ ମହାକାଳପଡ଼ା ଥାନା ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ହେଲେ ଏହାରି ଭିତରେ ପୋଲିସ ଚାମେଲି ଓଝାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରୁ କୋର୍ଟ ଚାଲାଣ ଓ କୋର୍ଟରୁ ଜେଲକୁ ପଠାଇଥିଲା । ହେଲେ ଜେଲରୁ ପୁନର୍ବାର ତାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଫେରାଇ ଅଣାଯାଇଛି। ସେ ବର୍ତମାନ ଚିକିତ୍ସାଧୀନ ଅଛନ୍ତି ।
ଗତ ଗୁରୁବାର ମହାକାଳପଡ଼ା ବିଡ଼ିଓ ଚାମେଲିଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା । ଏହାକୁ ଭିତ୍ତି କରି ସରପଞ୍ଚ ଓଝାଙ୍କୁ ପୋଲିସ ଉଠାଇ ନେଇ ଥିଲା। ଘଟଣା ପରେ ସରପଞ୍ଚଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଅସୁସ୍ଥ ଅବସ୍ଥାରେ ମେଡିକାଲରେ କିକିତ୍ସାଧୀନ ଥିବା ବେଳେ ବିଭିନ୍ନ ବିରୋଧି ଦଳ ପକ୍ଷରୁ ମହାକାଳପଡ଼ା ଥାନା ଘେରାଉ କରାଯାଇଛି।ଅପରପକ୍ଷରେ ସରପଞ୍ଚ ଓଝା ନ୍ୟାୟ ଆଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲିଖିତ ପତ୍ର ମାଧ୍ୟମରେ ଜଣାଇଛନ୍ତି ।
ଜାତୀୟ କଂଗ୍ରେସ ଦଳ ପକ୍ଷରୁ ସରପଞ୍ଚ ଓଝାଙ୍କୁ ନ୍ୟାୟ ଦେବା ପାଇଁ ଦଳ ପକ୍ଷରୁ ଶନିବାର ଦିନ ଥାନା ସମ୍ମୁଖରେ ଜିଲାସ୍ତରୀୟ ବିକ୍ଷୋପ ପ୍ରଦର୍ଶନ କରିଛନ୍ତି।ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଛି। ଚାମେଲିଙ୍କୁ ନ୍ୟାୟ ନ ଦେବା ପର୍ଯ୍ୟନ୍ତ କଂଗ୍ରେସ ରଣହୁଙ୍କାର ଦେବାନେଇ ଚେତାବନୀ ଦେଇଛନ୍ତି।
ମହିଳା ସରପଞ୍ଚ ଚାମେଲି ଓଝାଙ୍କ ଉପରେ ବର୍ବର ଆକ୍ରମଣ ଓ ପୋଲିସ୍ ଅତ୍ୟାଚାରକୁ ସିପିଆଇ(ଏମ) ଦୃଢ ନିନ୍ଦା କରିବା ସହ ପୋଲିସ୍ ଓ ପ୍ରଶାସନିକ ଅଧିକାରୀଙ୍କ ଅତ୍ୟାଚାର ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସି ପି ଆଇ ( ଏମ୍) ଜିଲ୍ଲା ସଂପାଦକ ଗୟାଧର ଧଳ ସମେତ ଦଳର ବରିଷ୍ଠ ନେତା ଜଗଜୀବନ ଦାସ ଓ ନରୋତ୍ତମ ପାର୍ଥସାରଥୀ ପ୍ରମୁଖ ନେତୃବୃନ୍ଦ ଦାବି କରିଛନ୍ତିା
ଏହି ଘଟଣାକୁ ନେଇ ଶନିବାର ବିଜେପି ନେତା ସୌଭାଗ୍ୟ ପରିଡ଼ାଙ୍କ କୁହନ୍ତି ବିନା ଅପରାଧରେ ଚାମେଲିଙ୍କୁ ଗିରଫ କରାଯାଇଛି ।ସେ ଜନତାଙ୍କ ସ୍ୱାର୍ଥ ପାଇଁ ବିଡିଓଙ୍କ ସହ ଯୁକ୍ତି କରିଥିଲେ। ବିଡିଓ ହେଉଛନ୍ତି ସରକାରୀ କର୍ମଚାରୀ। ଲୋକଙ୍କ ସେବା କରିବା ତାଙ୍କର ଦାୟିତ୍ଵ । ଜଣେ ଜନ ପ୍ରତିନିଧି ଭାବେ ସରପଞ୍ଚ ତାଙ୍କୁ କୈଫୟତ ମାଗିବାର ସମ୍ପୂର୍ଣ୍ଣ ଅଧିକାର ରହିଛି। ହେଲେ ପୋଲିସ ଓକେତେକ ଗୁଣ୍ଡାମାନେ ତାଙ୍କୁ ମାଡ ମାରି ଗୁରୁତର କରିଛନ୍ତି। ପୋଲିସ ତାଙ୍କ ବିରୋଧରେ ମିଛ ମାମଲା ରୁଜୁ କରିଛି। ତେଣୁ ତାଙ୍କୁ ନ୍ୟାୟ ପ୍ରଦାନ କରାଯିବା ପାଇଁ ଥାନା ଘେରାଉ କରାଯାଇଛି ବୋଲି ଶ୍ରୀ ପରିଡ଼ା କହିଥିଲେ।
ସେହିପରି ପିସିସି ସଭାପତି ଭକ୍ତ ଚରଣ ଦାସ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ। ତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ କହିଥିଲେ। ଏହାପରେ ଶ୍ରୀ ଦାସ ଏସପି ସିଦ୍ଧାର୍ଥ କଟ୍ଟାରିଆଙ୍କ ସହ ଆଲୋଚନା କରିଥିଲେ। ବିନା ଅପରାଧରେ ଜଣେ ଜନ ପ୍ରତିନିଧିଙ୍କ ବିରୋଧରେ ମାମଲା ରୁଜୁ କରିବା ସମ୍ବିଧାନ ବିରୋଧୀ କାର୍ଯ୍ୟ। ତେଣୁ ତାଙ୍କ ବିରୋଧରେ ହୋଇଥିବା ମିଛ ମାମଲାର ଉପଯୁକ୍ତ ତଦନ୍ତ କରାଯାଉ। ଚାମେଲିଙ୍କୁ ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକଙ୍କ ଯେଉଁ ଗୁଣ୍ଡାମାନେ ମାଡ ମାରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ତାଙ୍କ ବିରୋଧରେ ଯେଉଁ ମିଛ ମାମଲା ରୁଜୁ ହୋଇଛି ତାକୁ ବନ୍ଦ କରାଯାଉ। ଏହାସହ ପୋଲିସ ଛଡାଇ ନେଇଥିବା ତାଙ୍କ ମୋବାଇଲ ଫୋନ ତୁରନ୍ତ ତାଙ୍କୁ ଫେରାନ୍ତୁ ବୋଲି ଶ୍ରୀ ଦାସ ଏସପିଙ୍କୁ କହିଥିଲେ। ଏସପିଙ୍କୁ ଭେଟିବା ପରେ ଶ୍ରୀ ଦାସ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କୁ ଭେଟିଥିଲେ। ଜିଲ୍ଲାରେ ଆଇନ୍ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ କହିବା ସହ ବିଡିଓ କାହିଁକି ତିଖିରୀ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟର ବିଲ ଅଟକାଇଥିଲେ ସେ ନେଇ ଆଲୋଚନା କରିଥିଲେ। ପଞ୍ଚାୟତର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ। ତେଣୁ ଉନ୍ନୟନମୂଳକ କାର୍ଯ୍ୟରେ ରାଜନୈତିକ ହସ୍ତକ୍ଷେପ କରାଯାଇ ବିଲ ବନ୍ଦ କରାଯିବା ଅଗଣତାନ୍ତ୍ରିକ କାର୍ଯ୍ୟ। ବିଡିଓ ତାଙ୍କର ଯେଉଁ ବିଲ ଅଟକାଇଛନ୍ତି ତୁରନ୍ତ ରିଲିଜ କରାଯାଉ। ଏହା ସହ କେଉଁ କାରଣ ପାଇଁ ବିଲ ଅଟକାଇଥିଲେ ତାହାର କାରଣ ମଗାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜିଲ୍ଲାପାଳଙ୍କୁ କହିଥିଲେ। ଏହି ଘଟଣା ଯୋଗୁଁ ଚାମେଲିଙ୍କ ଯେଉଁ ମାନହାନୀ ହେଲା ସେ ନେଇ ତାଙ୍କୁ ରାଜ୍ୟ ସରକାର କ୍ଷତିପୂରଣ ପ୍ରଦାନ କରନ୍ତୁ। ଜେଲରେ ତାଙ୍କୁ ମାରିଦେବାର ଷଡ଼ଯନ୍ତ୍ର କରାଯାଇପାରେ। ତେଣୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା କି ଏମଏସ ନିଆଯାଇ ଉନ୍ନତ ଚିକିତ୍ସା ପ୍ରଦାନ କରାଯାଉ। ପୂର୍ବରୁ ଏହଭିଳି ଘଟଣା ରାଜ୍ୟରେ ଅନେକ ଘଟିଛି। ତେଣୁ ତାଙ୍କୁ ଆକ୍ରମଣ କରିଥିବା ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଶ୍ରୀ ଦାସ ଦାବି କରିଥିଲେ।
ଏହି ଘଟଣାକୁ ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ପକ୍ଷରୁ ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଛି। ଦଳର ଜିଲ୍ଲା ସଂପାଦକ ବିକାଶ ବେଉରାଙ୍କ ନେତୃତ୍ୱରେ ରାଜ୍ୟ କମିଟି ସଭ୍ୟ ଆଇନ୍ଜୀବୀ ରମଣୀ ରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ପ୍ରଶାସନ ଉପରେ ଦଳୀୟ ନେତାଙ୍କ ହସ୍ତକ୍ଷେପକୁ ବିରୋଧ କରିଛନ୍ତି। ଏହି ଘଟଣାକୁ ନେଇ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି ବୋଲି ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ।
