
ପଟ୍ଟାମୁଣ୍ଡାଇ ୨୫/୩- ଓଡିଶାର ବିଶିଷ୍ଟ କବି ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ସନାତନ ବେହୁରାଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୭ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲରେ ଶିକ୍ଷକତା କରି ଦେଶ ବିଦେଶରେ ପ୍ରତିଷ୍ଠିତ ବହୁ ସଫଳ ଛାତ୍ର ସୃଷ୍ଟି କରିଛନ୍ତି । ରାଜନଗର ଥାନା ଫିରିକିଦାଣ୍ଡି ତାଙ୍କର ଜନ୍ମଭୂମି ଥିବାବେଳେ ପଟ୍ଟାମୁଣ୍ଡାଇ ପ୍ରହରାଜ ତାଙ୍କର କର୍ମଭୂମି ଥିଲା । ସରକାରୀ ଚାକିରୀରୁ ଅବସରଗ୍ରହଣ କରିବା ପରେ ସେ ଗାଁ ରେ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା, ପୁଷ୍କରିଣୀ ପୁନଃରୁଦ୍ଧାର, ରାସ୍ତା ନିର୍ମାଣ ଆଦି ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ଜଣେ ସାରସ୍ୱତ ସାଧକ ଭାବେ ବହୁ ସାମାଜିକ ଚେତନାଧର୍ମୀ ପୁସ୍ତକ ରଚନା କରି ଲୋକପ୍ରିୟତା ହାସଲ କରିଥିଲେ । ବୟସାଧ୍ୟକ କାରଣରୁ ବିଭିନ୍ନ ରୋଗରେ ପୀଡିତ ହୋଇ କଟକ ଜଗତପୁର ସଦଗୁରୁ ହସ୍ପିଟାଲ ରେ ଚିକିତ୍ସାଧୀନ ଥିଲେ । ତାଙ୍କ ମର ଶରୀର କଟକରୁ ଆସି ପଟ୍ଟାମୁଣ୍ଡାଇ ବାଇପାସ ଠାରେ ପହଞ୍ଚିବା ପରେ ବହୁ ମାନ୍ୟଗଣ୍ୟ, ପୁରାତନ ଛାତ୍ର ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କର ମର ଶରୀରରେ ପୁଷ୍ପ ଗୁଚ୍ଛ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହା ପରେ ଶୋଭାଯାତ୍ରାରେ ପ୍ରହରାଜପୁର ନିଆଯିବା ବାଟରେ କର୍ମସ୍ଥଳୀ ଏମ ଏନ ହାଇସ୍କୁଲ ନିଆଯାଇଥିଲା । ସେଠାରେ ଏମହାଇସ୍କୁଲ ପ୍ରଧାନଶିକ୍ଷକ ଓ ଶିକ୍ଷକମାନେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମର ଜନ୍ମ ମାଟି ଫିରିକିଦାଣ୍ଡି ନିଆଯାଇ ପରେ ପରେ ପ୍ରହରାଜପୁର ଗ୍ରାମ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଜ୍ୟେଷ୍ଠ ପୁତ୍ର ପ୍ରଭାତ ରଞ୍ଜନ ବେହୁରା ମୁଖାଗ୍ନି ଦେଇଥିଲେ ।
