
କେନ୍ଦ୍ରାପଡ଼ା,୩ା୪: ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ.)ଦ୍ୱାରା ସାରା ରାଜ୍ୟରେ ଡାକରା ଦିଆଯାଇଥିବା ପରିପ୍ରେକ୍ଷୀରେ ସି.ପି.ଆଇ. କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ କେନ୍ଦ୍ରାପଡା ଟିପିସିଓଡିଏଲ ସହକାରୀ ସାଧାରଣ ପରିଚାଳକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଓଡିଶା ସରକାର ବିଦ୍ୟୁତ ଘରୋଇକରଣ କରିବା ପରେ ସମସ୍ତ ଦେଶି ଓ ବିଦେଶୀ କମ୍ପାନୀମାନେ ରାଜ୍ୟର ବିଦ୍ୟୁତ ଉପଭୋକ୍ତାମାନଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରି ନେଇ ପଳାଇଛନ୍ତି। ଏବେ ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଉନ୍ନତମାନର ସେବା ଯୋଗାଇ ନଦେଇ ଟାଟା କମ୍ପାନୀ ସେମାନଙ୍କୁ ଶୋଷଣ କରିବାକୁ ଯୋଜନା କରିଛି ବୋଲି ସି.ପି.ଆଇ. ପକ୍ଷରୁ କୁହାଯାଇଛି। ପାର୍ଟି ପକ୍ଷରୁ ଖରାଦିନେ ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା, ଜନ ବିରୋଧୀ ପ୍ରିପେଡ ସ୍ମାର୍ଟ ମିଟର ସଂଯୋଗ ବନ୍ଦ କରାଯିବା, ସରକାରଙ୍କ ନିର୍ବାଚନ ପ୍ରତିଶୃତି ଅନୁଯାଇ ବିଦ୍ୟୁତ ଉପଭୋକ୍ତାଙ୍କୁ ମାସରେ ୩ଶହ ୟୁନିଟ ଫ୍ରି ବିଦ୍ୟୁତ ଯୋଗାଇ ଦିଆଯିବା, ଓଡିଆରେ ବିଲ ପ୍ରଦାନ କରାଯିବା, ଓ.ଇ.ଆର.ସି. ଏବଂ ଟାଟା କମ୍ପାନୀର ଶୋଷଣ ବନ୍ଦ କରାଯିବା, ବିଦ୍ୟୁତ ଶୁଳ୍କ ହ୍ରାସ କରାଯିବା, ଘରୋଇ କରଣ ବନ୍ଦ କରି ପୂର୍ବଭଳି ଓ.ଏସ.ଇ.ବି. କୁ କାର୍ଯ୍ୟକାରୀ କରାଯିବା, କର୍ମଚାରୀଙ୍କୁ ସରକାରୀ ଚାକିରୀର ମାନ୍ୟତା ପ୍ରଦାନ, କୃଷି ଓ ଆନୁସଙ୍ଗିକ କ୍ଷେତ୍ରକୁ ମାଗଣାରେ ବିଦ୍ୟୁତ ପ୍ରଦାନ କରାଯିବା ପ୍ରଭୃତି ଦାବିକୁ ନେଇ ସି.ପି.ଆଇ. ଜିଲ୍ଲା କମିଟି ପକ୍ଷରୁ କେନ୍ଦ୍ରାପଡା ଟିପିସିଓଡିଏଲ ସହକାରୀ ସାଧାରଣ ପରିଚାଳକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ସମାବେଶ ସାଥି ବିକାଶ ଚନ୍ଦ୍ର ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ଜିଲ୍ଲା ସମ୍ପାଦକ ବରିଷ୍ଠ ଆଇନଜୀବୀ ସାଥି ରମଣୀରଞ୍ଜନ ରାଉତରାୟ, ଅଧ୍ୟାପକ ସାଥି ଅଜୟ ସାମଲ, ବିଶିଷ୍ଟ ନାରୀନେତ୍ରୀ ସଂଯୁକ୍ତା ରାଉତ, ଉପଭୋକ୍ତା ସଙ୍ଘର ରାଜ୍ୟ ନେତା ଡକ୍ଟର ରମେଶ ଚନ୍ଦ୍ର ନାୟକ, ଅଖିଳ ଭାରତ ଛାତ୍ର ସଙ୍ଘ(ଏ.ଆଇ.ଏସ.ଏଫ.) ନେତା ପ୍ରଦ୍ୟୋସ ରଞ୍ଜନ ବେଉରା, କୃଷକସଭାର ନେତା ପ୍ରଦୀପ୍ତ କୁମାର ବେହେରା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଟିପିସିଓଡିଏଲ ସହକାରୀ ସାଧାରଣ ପରିଚାଳକଙ୍କୁ ପ୍ରଦାନ କରାଯାଇଥିଲା।
