
ପଟ୍ଟାମୁଣ୍ଡାଇ ୨୭/୩ – ପଟ୍ଟାମୁଣ୍ଡାଇ ଶ୍ରୀରାମ ଚରିତ ମାନସ ଓ ପ୍ରବଚନ ଜ୍ଞାନଯଜ୍ଞ ୧୯ ତାରିଖ ଠାରୁ ୨୭ତାରିଖ ପର୍ଯ୍ୟନ୍ତ ୯ଦିନ ବ୍ୟାପି ସ୍ଥାନୀୟ ଶ୍ରୀରାମ ମନ୍ଦିର ମାନସ ମଣ୍ଡପ ଠାରେ ଆୟୋଜିତ ହୋଇ ଉଦଯାପିତ ହୋଇଯାଇଛି । ୯ ଦିନ ବ୍ୟାପି ଆୟୋଜିତ ଆଧ୍ୟାତ୍ମିକ ମହୋତ୍ସବର ପ୍ରଥମ ଦିବସରେ ସତସଙ୍ଗ ମହିମା ଓ ଶିବ ବିବାହ, ଦ୍ୱିତୀୟ ଦିବସରେ ଶ୍ରୀରାମ ଜନ୍ମ, ବାଲ୍ୟଲୀଳା, ତୃତୀୟ ଦିବସରେ ସୀତା ବିବାହ ଓ ପର୍ଶୁରାମ ଭେଟ, ଚତୁର୍ଥ ଦିବସରେ ଶ୍ରୀରାମ ବନ ଗମନ, କୈବର୍ତ ପ୍ରସଙ୍ଗ,ପଂଚମ ଦିବସରେ ଦଶରଥ ମହାରାଜାଙ୍କ ମହାପରାୟଣ ଓ ଭରତଙ୍କ ଚିତ୍ରକୂଟ ଯାତ୍ରା, ଷଷ୍ଠ ଦିବସରେ ଶ୍ରୀରାମ ଭରତ ମିଳନ ଓ ସୀତା ହରଣ,ସପ୍ତମ ଦିବସରେ ଶ୍ରୀରାମ ହନୁମାନ ମିଳନ, ଲଙ୍କା ଦହନ, ଅଷ୍ଟମ ଦିବସରେ ରାବଣ ବଧ ଓ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତନ ଓ ନବମ ତଥା ଉଦଯାପନ ଦିବସରେ ଶ୍ରୀରାମଙ୍କ ରାଜ୍ୟାଭିଷେକ,କାଳଭୂଷଣ୍ଡି ଓ ଗରୁଡ଼ ସମ୍ବାଦ ଆଦି ବିଭିନ୍ନ ପ୍ରସଙ୍ଗରେ ପ୍ରତିଷ୍ଠିତ ପ୍ରବଚକ ମାନେ ତାତ୍ୱିକ ବିଶ୍ଳେଷଣ କରିଥିଲେ । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମକୁ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦ ଦାସ ମହାରାଜ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଏଥିରେ ବ୍ୟାସ ଭାବେ ପୁରୀ ବଡ଼ ଶଙ୍ଖ ଶ୍ରୀରାମକୁଟୀରର ବାବାଜୀ ବିଷ୍ଣୁ ବନମାଳୀ ଦାସ ଓ ଆଚାର୍ଯ୍ୟ ଭାବେ ନୂଆଗାଁର ପଣ୍ଡିତ ଭ୍ରମରବର ତ୍ରିପାଠୀ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ମହାନ ଆଧ୍ୟାତ୍ମିକ ମହୋତ୍ସବରେ ଢେଙ୍କାନାଳ ଭୁବନ ଆଶ୍ରମର ପଣ୍ଡିତ ସନ୍ତୋଷ ଚୈତନ୍ୟ, ଜଗତପୁର ହରିହରାନନ୍ଦ ଆଶ୍ରମର ତ୍ରିଜୀବ ଦାଶ, ଭଦ୍ରକ ପୀରହାଟର ପଣ୍ଡିତ ବିଜୟ ରାଘବେନ୍ଦ୍ର ଦାସ, ଭୁବନେଶ୍ୱରର ପଣ୍ଡିତ ବ୍ରଜ କିଶୋର ମହାନ୍ତି ପ୍ରମୁଖ ଯୋଗ ଦେଇ ଦିବ୍ୟ ପ୍ରବଚନ ପ୍ରଦାନ କରିଥିଲେ । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମକୁ ପଟ୍ଟାମୁଣ୍ଡାଇ ଶ୍ରୀରାମ କଥାମୃତ ପ୍ରଚାରିଣୀ ସଭା ଓ ବଣିକ ସଂଘ ମିଳିତ ଆନୁକୂଲ୍ୟରେ ଅୟୋଜିତ ହୋଇଥିଲା । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ଆୟୋଜିତ ପ୍ରବଚନ ଓ ସାଧୁସନ୍ଥଙ୍କ ଆଶ୍ରୀ ବଚନ ଶୁଣିବା ପାଇଁ ପ୍ରତ୍ୟହ ସନ୍ଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।
