
କେନ୍ଦ୍ରାପଡ଼ା,୨ା୮:କେନ୍ଦ୍ରାପଡା ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ସାମ୍ନା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଜିଲ୍ଲାର ୯ଟି ବ୍ଲକ୍- ରାଜକନିକା, ପଟ୍ଟାମୁଣ୍ଡାଇ, ଆଳି, ଗରଦପୁର, ରାଜନଗର, କେନ୍ଦ୍ରାପଡା, ମାର୍ଶାଘାଇ, ମହାକାଳପଡା ଓ ଡେରାବିଶର ୮୫ଟି ଗ୍ରାମ ପଞ୍ଚାୟତର ୧୭୦ଟି ଗ୍ରାମ ବନ୍ୟା ପ୍ରଭାବିତ ହୋଇଛି। ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ଟି ୱାର୍ଡ ମଧ୍ୟ ବନ୍ୟା ପ୍ରଭାବରେ ରହିଛି।ଜିଲ୍ଲାରେ ମୋଟ ୮୮,୭୯୩ ଜଣ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧,୧୬୪ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାରେ ୭ଟି ଆଶ୍ରୟ କେନ୍ଦ୍ର ଓ ରିଲିଫ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ସମୁଦାୟ ୧,୨୪୯ ଜଣ ଉପକୃତ ହୋଇଥିବାବେଳେ ଆଜି ୧,୧୬୪ ଜଣ ଏହି କେନ୍ଦ୍ରଗୁଡ଼ିକରେ ରହି ସମସ୍ତ ଆବଶ୍ୟକ ସୁବିଧା ପାଉଛନ୍ତି। ରିଲିଫ ବଣ୍ଟନ କାର୍ଯ୍ୟ ମଧ୍ୟ ଜୋରଦାର ଚାଲିଛି। ଆଜି ସୁଦ୍ଧା ୨୪୨.୩୯ କ୍ୟୁଣ୍ଟାଲ ଚାଉଳ, ୨୩.୭୮ କ୍ୱିଣ୍ଟାଲ ଚୁଡ଼ା, ୧୧ କ୍ୱିଣ୍ଟାଲ ଗୁଡ଼, ୧୨୬ କାର୍ଟୁନ ବିସ୍କୁଟ, ୬.୫ କାର୍ଟୁନ ମହମବତୀ, ୬ କାର୍ଟୁନ ଦିଆସିଲି ଏବଂ ୩୫,୦୦୦ ବୋତଲ ପାନୀୟ ଜଳ ବଣ୍ଟନ କରାଯାଇଛି। କେବଳ ଆଜି ୧୬୧.୬୪ କ୍ୱିଣ୍ଟାଲ ଚାଉଳ, ୧୫.୭୫ କ୍ୱିଣ୍ଟାଲ ଚୁଡ଼ା, ୮୪ କାର୍ଟୁନ ବିସ୍କୁଟ, ୧.୫ କାର୍ଟୁନ ମହମବତୀ, ୧ କାର୍ଟୁନ ଦିଆସିଲି ଓ ୮,୮୦୦ ବୋତଲ ପାନୀୟ ଜଳ ବଣ୍ଟନ କରାଯାଇଛି।ବନ୍ୟା ପ୍ରଭାବିତ ଅଞ୍ଚଳରେ ୧୬ଟି ମେଡିକାଲ ଟିମ୍ ଏବଂ ୯ଟି ପ୍ରାଣୀ ଚିକିତ୍ସା ଦଳ ନିୟୋଜିତ ହୋଇ ଲୋକଙ୍କ ସ୍ୱାସ୍ଥ୍ୟ ସେବା ଓ ପଶୁଙ୍କ ସୁରକ୍ଷା ନିଶ୍ଚିତ କରୁଛନ୍ତି। ପ୍ରାୟ ୪୭,୬୩୧ଟି ପଶୁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲେ ମଧ୍ୟ କୌଣସି ପଶୁଙ୍କ ଜୀବନହାନି ଘଟିନାହିଁ।ଜିଲ୍ଲାରେ କୌଣସି ଜୀବନହାନି ଘଟିନାହିଁ। ପ୍ରାୟ ୭୪ଟି ଗୁହାଳ ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଫସଲ କ୍ଷୟକ୍ଷତିର ଆକଳନ ବନ୍ୟାଜଳ ହ୍ରାସ ପରେ କରାଯିବ। ବର୍ତ୍ତମାନ ୧୧୫ଟି ରାସ୍ତା ବନ୍ୟାଜଳରେ ବୁଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଛି। ବିଦ୍ୟୁତ ଯୋଗାଣ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିରେ କୌଣସି ବଡ଼ ଧରଣର କ୍ଷତି ହୋଇନାହିଁ।ଉଦ୍ଧାର କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ ୩ଟି ପାୱାର ବୋଟ୍, ୮୧ଟି ଦେଶୀ ଡଙ୍ଗା ଓ ୧୫ଟି ଯାନ୍ତ୍ରିକ ଡଙ୍ଗା ନିୟୋଜିତ ରହିଛି। ଜିଲ୍ଲା ପ୍ରଶାସନ ସମସ୍ତ ପରିସ୍ଥିତି ଉପରେ ସତର୍କ ନଜର ରଖିଥିବାବେଳେ ପ୍ରଭାବିତ ଲୋକଙ୍କୁ ଆବଶ୍ୟକୀୟ ସମସ୍ତ ସହାୟତା ଯୋଗାଇ ଦେବାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖିଛି।
