
ପଟ୍ଟାମୁଣ୍ଡାଇ ୧୦/୮ ନରେନ୍ଦ୍ର ଧଳା– ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଂଚଳ ଅଣ୍ଢରା ଧ୍ୟାନଧ୍ୟାୟୀ ଠାକୁରାଣୀ ପାଖରୁ ବ୍ରାହ୍ମଣସାହି ୬ ନମ୍ବର ୱାର୍ଡରେ ରାସ୍ତାର କଲଭର୍ଟ ଗତବର୍ଷରୁ ଭୁସୁଡ଼ି ପଡ଼ିଥିବା ବେଳେ ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରିନାହିଁ। ଫଳରେ ସ୍ଥାନୀୟ ଅଂଚଳର ପାଖାପାଖି ୫ ଶହରୁ ଊର୍ଦ୍ଧ୍ୱ ଲୋକ ଯାତାୟାତରେ ହଇରାଣ ହରକତ ହେଉଛନ୍ତି। ପ୍ରଶାସନିକ ଆନ୍ତରିକତାର ଅଭାବ ଯୋଗୁଁ ନିତ୍ୟବ୍ୟବହାର୍ଯ୍ୟ ରାସ୍ତାଟି ଏବେ ଗ୍ରାମବାସୀଙ୍କ ପାଇଁ କାଳ ସାଜିଛି।
ସ୍ଥାନୀୟ ଅଂଚଳବାସୀ କୁହନ୍ତି ଯେ ଗତ ବର୍ଷ ବର୍ଷା ଋତୁରେ ଅଣ୍ଢରା ପଂଚାୟତ ବ୍ରାହ୍ମଣସାହି ଓ ଗିରିସାହି ଏହି କଲଭର୍ଟଟି ଭୁସୁଡ଼ି ଯିବା ପରଠାରୁ ସ୍ଥାନୀୟ ଲୋକେ ଯାତାୟାତ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି। ଗ୍ରାମବାସୀଙ୍କ ବାରମ୍ବାର ଦାବି ପରେ ପ୍ରଶାସନ ପକ୍ଷରୁ କେବଳ ମାଟି ପକାଯଅଇ ଏକ ଅସ୍ଥାୟୀ ଭାବେ କାଠ ପୋଲ ନିର୍ମାଣ କରାଯାଇଥିଲା । ମାତ୍ର ଉକ୍ତ ସ୍ଥାନରେ ପ୍ରଶାସନ ପକ୍ଷରୁ ନୂଆ କଲଭର୍ଟ ନିର୍ମାଣ ହେଲାନାହିଁ । ଫଳରେ ଚଳିତ ବର୍ଷ ଲଗାଣ ବର୍ଷା ଓ ବନ୍ୟା ଜଳରେ ସେହି ମାଟି ସମ୍ପୂର୍ଣ୍ଣ ଧୋଇଯାଇ ୧୫ ଫୁଟ ଓସାର ଘାଇ ସୃଷ୍ଠି ହୋଇ ରାସ୍ତାଟି ପୁନର୍ବାର ସଙ୍କଟଜନକ ହୋଇପଡ଼ିଛି। ସ୍କୁଲ-କଲେଜ ପଢ଼ୁଥିବା ଛାତ୍ରୀଛାତ୍ର, ବୃଦ୍ଧ, ରୋଗୀ ଓ ଦୈନନ୍ଦିନ ମଜୁରୀ କରୁଥିବା ଲୋକମାନେ ଯାତାୟାତ କରିବାରେ ଚରମ ହଇରାଣ ହେଉଛନ୍ତି। ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡ଼ି ଗାଁକୁ ଆସିବା ମଧ୍ୟ ଅସମ୍ଭବ ହୋଇପଡ଼ିଛି।ପ୍ରଶାସନିକ ଅବହେଳା ଯୋଗୁଁ ସ୍ଥାନୀୟ ୫୦୦ ରୁ ଉର୍ଦ୍ଧ୍ୱ ପରିବାରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ପୂର୍ବତନ ସରପଂଚଙ୍କ ଉଦ୍ୟମରେ ୨ଟି ତାଳଗଛ ଘାଇ ଉପରେ ପକାଯାଇଛନ୍ତି। ପ୍ରଶାସନ କେବଳ ଲୋକଦେଖାଣିଆ ମାଟି ପକାଇ ନିଜ ଦାୟିତ୍ୱ ଶେଷ କରିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଯଥାଶୀଘ୍ର ଏହି ଘାଇ ଓ କଲଭର୍ଟର ସ୍ଥାୟୀ ପକ୍କା ନିର୍ମାଣ କାର୍ଯ୍ୟ ଶେଷ ନହେଲେ, ଆଗାମୀ ଦିନରେ ଅଣ୍ଢରା ବ୍ରାହ୍ମଣସାହି ଓ ଗିରିସାହି ସମେତ ପଂଚାୟତବାସୀ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ଓ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।
