- ବନ୍ଦ ହୋଇଛି ଅନେକ ସରକାରୀ ସ୍କୁଲ
- ଗଢି ଉଠୁଛି ଘରୋଇ ବିଦ୍ୟାଳୟ
- ବ୍ୟବସାୟୀଙ୍କ ନିୟନ୍ତ୍ରଣ ଶିକ୍ଷା ବ୍ୟବସ୍ଥା
- ବାଦ ପଡିବେ ଗରିବ ଛାତ୍ରୀଛାତ୍ର

ପଟ୍ଟାମୁଣ୍ଡାଇ ୪/୧୦ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଶିକ୍ଷାମଣ୍ଡଳ ଅଧିନରେ ଥିବା ପ୍ରାୟତ ସରକାରୀ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଏଥିପ୍ରତି ପ୍ରଶାସନ ତିଳେ ମାତ୍ର ଧ୍ୟାନ ଦେଉନାହାଁନ୍ତି । ସରକାରଙ୍କ ତରଫରୁ ଯେଉଁପରି ବ୍ୟବସ୍ଥା କରାଯିବା କଥା, ତାହା ଆଦୌ କରାଯାଉ ନାହିଁ। ବିଦ୍ୟାଳୟରେ ଶିକ୍ଷାଦାନର ସ୍ତର ଆଶାନୁରୂପ ହେଉନାହିଁ। ଫଳରେ ସରକାରୀ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଉପସ୍ଥାପନା ହାର କମିବାରେ ଲାଗିଛିା ମାତ୍ର ଘରୋଇ ସ୍କୁଲରେ ଛାତ୍ରୀଛାତ୍ରଙ୍କ ଆକୃଷ୍ଠ ବଢି ଚାଲିଛି ।ଏମିତିବି ସରକାରୀ ସ୍କୁଲରେ ଶିକ୍ଷାଦାନରେ ଥିବା ବହୁ ଶିକ୍ଷକ ନିଜ ପିଲାକୁ ଘରୋଇ ବିଦ୍ୟାଳୟର ପାଠପଢାକୁ ପସନ୍ଦ କରୁଛନ୍ତିି । ସରକାର କମ୍ ଛାତ୍ରୀଛାତ୍ର ଥିବା ବିଦ୍ୟାଳୟ ବନ୍ଦ କରିଦେଉଛନ୍ତି । ଅନ୍ୟପକ୍ଷରେ ଘରୋଇ ବିଦ୍ୟାଳୟର ଚାହିଦା ବଢ଼ିବା ସହିତ ବ୍ୟବସାୟୀମାନେ ଶିକ୍ଷା କ୍ଷେତ୍ରକୁ ବେପାରରେ ପରିଣତ କରିବାରେ ଲାଗିଲେଣି ।ଏପରି ହେଲାଣି ଯେ ସାଧାରଣ ଲୋକଟିଏ ଘରୋଇ ସ୍କୁଲରେ ଅଧିକ ମୂଲ୍ୟ ଦେଇ ସେମାନଙ୍କ ପିଲାଙ୍କୁ ପାଠ ପଢ଼େଇବାକୁ ସକ୍ଷମ ହୋଇପାରୁନାହାଁନ୍ତି । ତେଣୁ ବେଳଥାଉଣୁ ସରକାରୀ ବିଦ୍ୟାଳୟର ବିକାଶ ଉପରେ ଗୁରୁତ୍ୱ ବେବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।
ଶିିକ୍ଷାବିତ ପ୍ରଫୁଲ୍ଲ ଦାଶ କୁହନ୍ତି ସମ୍ପ୍ରତି ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରାଥମିକ ଶିକ୍ଷାର ସ୍ଥିତି ବିଶେଷ ଭଲ ନାହିଁ। ବିଦ୍ୟାଳୟରେ ତାଲିମପ୍ରାପ୍ତ ନିୟମିତ ଶିକ୍ଷକ, ଶ୍ରେଣୀଗୃହ ନଥିବାରୁ ଗୁଣାତ୍ମକ ଶିକ୍ଷା ମିଳୁନାହିଁ । ସରକାର କେବଳ ମାଗଣା ବହି, ୟୁନିଫର୍ମ ଏବଂ ମଧ୍ୟାହ୍ନଭୋଜନ ଯୋଗାଉଛନ୍ତି । ହେଲେ ଯଥେଷ୍ଟ ପରିମାଣର ଶିକ୍ଷକ ନିଯୁକ୍ତି ଦେବା, ଶିକ୍ଷକମାନଙ୍କୁ ଉପଯୁକ୍ତ ତାଲିମ୍ ଦେବା, ଶିକ୍ଷାଦାନ ବ୍ୟବସ୍ଥାକୁ କଡ଼ାକଡ଼ି ନିରୀକ୍ଷଣ କରିବା ଆଦି କାମକୁ ସରକାର ଆଦୌ ବି ଦାୟିତ୍ୱର ସହ ଅନୁପାଳନ କରୁନାହାନ୍ତି। ସରକାରୀ ବିଦ୍ୟାକ୍ଷେତ୍ରରୁ ବେତନ ନେଇ ଶିକ୍ଷକତା ବୃତିିରେ ରହିଥିବା ସରକାରୀ ଶିକ୍ଷକ ଶିକ୍ଷାଦାନ ଅପେକ୍ଷା ଆପତିଜନକ ଓ ରାଜନୈତିକ କାର୍ଯ୍ୟରେ ଅଧିକ ଲିପ୍ତ ରହୁଛନ୍ତି । ଫଳରେ ଗୁଣାତ୍ମକ ଶିକ୍ଷାର ମାନ ନରହିବାରୁ ପରୀକ୍ଷା ଫଳ ନୈରାଶ୍ୟଜନକ ରହୁଛି । ତେଣୁ ଅଭିଭାବକ ମାନେ ପିଲାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ ଘରୋଇ ସ୍କୁଲ ପ୍ରତି ମନବଳାଉଛନ୍ତି ।
ସାମାଜିକକର୍ମୀ ପ୍ରବୀର ନାୟକ କୁହନ୍ତି ପଟ୍ଟାମୁଣ୍ଡାଇ ଅଂଚଳର ଗାଁରୁ ସହର ପର୍ଯ୍ୟନ୍ତ ଘରୋଇ ସ୍କୁଲମନ ଗଢି ଉଠୁଛି । ବେପାରୀମାନେ ଶିକ୍ଷା କ୍ଷେତ୍ରକୁ ନିୟନ୍ତ୍ରଣ କରିଲେଣି । ଏପରି ହେଲାଣି ଯେ ସାଧାରଣ ଲୋକମାନେ ଅଧିକ ମୂଲ୍ୟ ଦେଇ ସେମାନଙ୍କ ପିଲାଙ୍କୁ ପାଠ ପଢ଼େଇବାକୁ ସକ୍ଷମ ହୋଇପାରିବେନାହିଁ। ଆଗକୁ ଶିକ୍ଷା କେବଳ ଧନିକମାନଙ୍କର ବିଷୟ ହୋଇ ରହିଯିବ। ସେତେବେଳେ ସାଧାରଣ ଗରିବ ଲୋକମାନେ ସେମାନଙ୍କ ପିଲାମାନଙ୍କୁ ପାଠ ପଢ଼େଇବାକୁ ସୁଯୋଗ ପାଇବେ ନାହିଁ। ଏ ସମୟ ଆଉ ବେଶୀ ଡେରି ନାହିିଁ। ତେଣୁ ସରକାରୀ ବିଦ୍ୟାଳୟର ବିକାଶ ଉପରେ ଗୁରୁତ୍ୱ ଦେବାକୁ ହେବ।
ବୁଦ୍ଧିଜିବୀ କୁହନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ କହିଥିଲେ, ସମସ୍ତଙ୍କୁ ମାଗଣାରେ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଯୋଗାଇ ଦେବା ଉଚିତ । ଶିକ୍ଷା ସବୁବେଳେ ସରକାରଙ୍କ ବିଷୟ ହେବା ଉଚିତ୍। ଏକ ଜନକଲ୍ୟାଣକାରୀ ସରକାର ସମସ୍ତଙ୍କ ପାଇଁ ମାଗଣା ଓ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା କରିବା ଉଚିତ୍। ହେଲେ ଆମ ଦେଶରେ ଶିକ୍ଷା ଅଧିକାର ଆଇନ ଲାଗୁହେବା ପରେ ମଧ୍ୟ ପରିସ୍ଥିତିରେ ବେଶୀ କିଛି ପରିବର୍ତନ ହୋଇନାହିଁ କି ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷା ଦିଆଯାଉ ନାହିଁ । ତେଣୁ ପିଲାମାନେ କୋଚିଂ ସେଂଟର ଘରୋଇ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଯାହାକୁ ନେଇ ଘରୋଇ ସ୍କୁଲ ବୃଦ୍ଧି ପଇବା ସହିତ ପାଠପଢା ଖର୍ଚ୍ଚ ଦିନକୁ ଦିନ ବଢିବାରେ ଲାଗିଛି । ଅନ୍ୟପକ୍ଷେ ଘରୋଇ ସ୍କୁଲ ଉପରେ ସରକାରଙ୍କର କୌଣସି ନିୟନ୍ତ୍ରଣ ରହୁନାହିଁ ।
ଯୁବ ସଂଗଠକ ଗୌତମ ବେହେରା କୁହନ୍ତି ଅପରପକ୍ଷେ ସରକାର କମ୍ ଉପସ୍ଥାନ ଦର୍ଶାଇ ବିଦ୍ୟାଳୟକୁ ବନ୍ଦ କରାଉଛନ୍ତି। ୧୫ ଓ୨୦ କମ୍ ଛାତ୍ରୀଛାତ୍ର ଥିବା ପ୍ରାୟ ବିଦ୍ୟାଳୟ ବନ୍ଦ ହୋଇସାରିଛି। ଆଗକୁ ସରକାରଙ୍କ ନିଜ ଅଧିକାରୀମାନେ ଶିକ୍ଷା ବ୍ୟବସାୟୀଙ୍କ ହାତରେ ରହି ଅନେକ ବିଦ୍ୟାଳୟ ବନ୍ଦ କରିଦେବେ । ଘରୋଇ ବିଦ୍ୟାଳୟ ଘଢି ଉଠିବ । ପାଠପଢା ବ୍ୟୟ ବହୁଳ ହେବ । କେବଳ ଧନୀ ଲୋକଙ୍କ ପିଲା ପାଠ ପଢିବେ । ପୂର୍ବରୁ ଗରିବ ପିଲା ଗ୍ରାଜୁଏଟ ପର୍ଯ୍ୟନ୍ତ ଯାଉଥିବା ବେଳେ ଅଧିକ ପଢିବାକୁ ଅର୍ଥ ବାଟ ଓଗାଳୁଥିଲା । ମାତ୍ର ୩୦/୪୦ ଦଶଧି ବେଳକୁ ଗରିବ ପିଲାକୁ ପ୍ରାଥମିକ ଶିକ୍ଷା ସ୍ୱପ୍ନ ହେବ ।
