G-YYJMJBZZV1 G-YYJMJBZZV1

କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ହରିଲୁଟ , ସଦର ଥାନାରେ ଏତଲା ଦେଲେ ବିଡିଓ


କେନ୍ଦ୍ରାପଡ଼ା,୨୯ା୧୦:ସରକାରୀ ତହବିଲରୁ ଜନସାଧାରଣଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ବେପରୁଆ ଭାବେ ହଡ଼ପ କରିବାର ଏକ ସଙ୍ଗିନ ମାମଲା ଏବେ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକରେ ଚହଳ ସୃଷ୍ଟି କରିଛି। ଡେରାବିଶ ବ୍ଲକ ପ୍ରଶାସନ ଅଧିନରେ ଥିବା ସରକାରୀ ଆକାଉଣ୍ଟରୁ ପ୍ରାୟ ୧ କୋଟି ୬ ଲକ୍ଷ ଟଙ୍କା ବେଆଇନ ଭାବେ ଉଠାଇ ହେରଫେର କରାଯାଇଛି। ଏହି ବଡ଼ ଧରଣର ଦୁର୍ନୀତି ବିରୋଧରେ ଡେରାବିଶ ମଣ୍ଡଳ ଉନ୍ନୟନ ଅଧିକାରିଣୀ (ବିଡିଓ) ନମିତା ବାରିକ କେନ୍ଦ୍ରାପଡ଼ା ସଦର ଥାନାରେ ଏକ ଲିଖିତ ଏତଲା ଦାୟର କରିଛନ୍ତି। ଏହାପରେ ପୋଲିସ ଓ ପ୍ରଶାସନ ପକ୍ଷରୁ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଡେରାବିଶ ବ୍ଲକ ଆକାଉଣ୍ଟରୁ ବାରମ୍ବାର ବିପୁଳ ପରିମାଣର ଅର୍ଥ ସନ୍ଦେହଜନକ ଢଙ୍ଗରେ ସ୍ଥାନାନ୍ତର ହେଉଥିବା ବିଷୟ ପ୍ରଥମେ କେନ୍ଦ୍ରାପଡ଼ା ଟ୍ରେଜେରି ଅଫିସର ସଚ୍ଚିଦାନନ୍ଦ ବେହେରାଙ୍କ ନଜରକୁ ଆସିଥିଲା। ଟ୍ରେଜେରିରେ ଯାଞ୍ଚ ସମୟରେ ୧ କୋଟି ୬ ଲକ୍ଷ ଟଙ୍କାର ଅସ୍ୱାଭାବିକ କାରବାର ଉପରେ ସନ୍ଦେହ ଉପୁଜିବାରୁ ଏହାର ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଜଣାପଡ଼ିଥିଲା ଯେ ଏହି ଟଙ୍କା କୌଣସି ଜନହିତକର ପ୍ରକଳ୍ପ କିମ୍ବା ଠିକାଦାରଙ୍କ ପ୍ରାପ୍ୟ ନୁହେଁ ବରଂ ବ୍ଲକରେ କାର୍ଯ୍ୟରତ ଜଣେ ସିନିୟର ଆସିଷ୍ଟାଣ୍ଟଙ୍କ ସମ୍ପର୍କୀୟ ତଥା ପୂର୍ବତନ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ) ମନ୍ମଥ ମାହୁନ୍ତଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟ୍ରାନ୍ସଫର କରାଯାଇଛି ଥିବା ଜଣାପଡିଛି। ଟ୍ରେଜେରି ରେକର୍ଡରୁ ମିଳିଥିବା ତଥ୍ୟ ଅନୁସାରେ, ଉକ୍ତ ସିନିୟର ଆସିଷ୍ଟାଣ୍ଟ ଶଶିକାନ୍ତ ରଣାଙ୍କ ନିଜ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ପ୍ରାୟ ୧ କୋଟି ଟଙ୍କା ପଠାଯାଇଥିବା ବେଳେ ମନ୍ମଥ ମାହୁନ୍ତଙ୍କ ଆକାଉଣ୍ଟକୁ ୫ ଲକ୍ଷ ୮୯ ହଜାର ଟଙ୍କା ଯାଇଛି। ଟ୍ରେଜେରି ଅଫିସର ଶ୍ରୀ ବେହେରା ତୁରନ୍ତ ଏହି ବେନିୟମ କାରବାର ସମ୍ପର୍କରେ ବିଡିଓଙ୍କୁ ଅବଗତ କରାଇଛନ୍ତି। ଘଟଣା ସମ୍ପର୍କରେ ବିଡିଓ ନମିତା ବାରିକଙ୍କୁ ଯୋଗାଯୋଗ କରାଯିବାରୁ ସେ ଏହି ଆର୍ôଥକ ଅନିୟମିତତାକୁ ସ୍ୱୀକାର କରିଛନ୍ତି। ଚଳିତ ୨୦୨୫-୨୬ ଆର୍ôଥକ ବର୍ଷରେ ସମୁଦାୟ ୧୧ଟି ସନ୍ଦିଗ୍ଧ ବିଲ୍ ମାଧ୍ୟମରେ ଏହି ବଡ଼ ଧରଣର ଜାଲିଆତି କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ବିଡିଓ ତୁରନ୍ତ ଆକାଉଣ୍ଟସ୍ ଅଫିସରଙ୍କୁ ସମସ୍ତ ଫାଇଲ୍ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ସହିତ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି କେନ୍ଦ୍ରାପଡ଼ା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ପୂର୍ବତନ ବିଡିଓ ଗୋପବନ୍ଧୁ ବୈଶାଖଙ୍କ ସମୟରେ ଏହି ଦୁର୍ନୀତି ହୋଇଛି। ଏହାସହ ଏକ ସବିଶେଷ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପଟେ ଏହି କୋଟିଏ ଟଙ୍କାର ଘୋଟାଲା ପଦାକୁ ଆସିବା ପରଠାରୁ ସମ୍ପୃକ୍ତ ସିନିୟର ଆସିଷ୍ଟାଣ୍ଟଜଣକ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଛନ୍ତି। ସେ ଅସୁସ୍ଥତା ଦର୍ଶାଇ ଛୁଟିରେ ଥିବା କୁହାଯାଉଥିଲେ ହେଁ ଘଟଣା ପଦାକୁ ଆସିବା ପରେ ସେ ଆତ୍ମଗୋପନ କରିଥିବା ସନ୍ଦେହ କରାଯାଉଛି। ଏହି ମାମଲାରେ ଡେରାବିଶ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ମଲିକ ବିସ୍ଫୋରକ ପ୍ରତିକ୍ରିୟା ରଖିଛନ୍ତି। ବ୍ଲକରେ ବ୍ୟାପକ ଅର୍ଥ ବାଟମାରଣା ଚାଲିଥିବା ନେଇ ସେ ପୂର୍ବରୁ ବାରମ୍ବାର ପ୍ରଶାସନିକ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ସତର୍କ କରାଇଥିଲେ ମଧ୍ୟ କେହି ଏହାକୁ ଗୁରୁତ୍ୱ ଦେଇ ନଥିଲେ। ପୂର୍ବରୁ ଅନିୟମିତତା ଅଭିଯୋଗରେ ଜଣେ କମ୍ପ୍ୟୁଟର ପ୍ରୋଗ୍ରାମର ନିଲମ୍ବିତ ହୋଇଛନ୍ତି। ଏବେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଗାଏବ ହେବା ପ୍ରଶାସନିକ ଦୁର୍ନୀତିକୁ ପଦାରେ ପକାଇଛି। ସରକାରୀ ଅର୍ଥ ହରିଲୁଟ୍ ଘଟଣା ଏବେ ସମଗ୍ର ଜିଲ୍ଲାରେ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ଏହି ମାମଲାରେ ଖୁବ୍ ଶୀଘ୍ର ଆର୍ôଥକ କାରବାର ତଥ୍ୟ, ଚେକ୍ ଓ ଅନଲାଇନ୍ ଟ୍ରାନ୍ସଫର ରେକର୍ଡ ଜବତ କରି ସମ୍ପୃକ୍ତ ଅଧିକାରୀ ଓ ହିତାଧିକାରୀଙ୍କୁ ଜେରା କରିବ ବୋଲି ଏସପି ସିଦ୍ଧାର୍ଥ କଟ୍ଟାରିଆ ସୂଚନା ଦେଇଛନ୍ତି।

Leave a Reply

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading