>

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି କେନ୍ଦ୍ରାପଡାରେ ଜିଲ୍ଲାପାଳକ ସମୀକ୍ଷା, ୧୩୦ ଆଶ୍ରୟସ୍ଥଳ ପ୍ରସ୍ତୁତ, କର୍ମଚାରୀଙ୍କ ଛୁଟୀ ବାତିଲ


କେନ୍ଦ୍ରାପଡ଼ା,୨୪ା୧୦:ବଙ୍ଗୋପସାଗରରେ ସୃଷ୍ଟ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ଓ ପୂର୍ବପ୍ରସ୍ତୁତି ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା, ଧନଜୀବନର ସୁରକ୍ଷା ତଥା ଶୂନ୍ୟ କ୍ଷୟକ୍ଷତି ନୀତିକୁ ପ୍ରାଥମିକତା ଦେଇ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଜିଲ୍ଲାର ବାତ୍ୟା ପ୍ରସ୍ତୁତି ଏବଂ ବିଭିନ୍ନ ବିଭାଗ ପକ୍ଷରୁ ନିଆଯାଇଥିବା ନିରାପତ୍ତା ବ୍ୟବସ୍ଥା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅବଗତ କରାଇଛନ୍ତି। ବାତ୍ୟାର ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ତୁରନ୍ତ ବାତିଲ କରାଯାଇଛି। ସମସ୍ତ ବିଭାଗୀୟ ମୁଖ୍ୟ ଓ ଅଧିକାରୀଙ୍କୁ ନିଜ ନିଜ କାର୍ଯ୍ୟାଳୟ ତଥା କର୍ମକ୍ଷେତ୍ରରେ ଉପସ୍ଥିତ ରହିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷକୁ ୨୪ ଘଣ୍ଟିଆ ସକ୍ରିୟ କରାଯାଇଛି ଏବଂ ନିର୍ଦ୍ଧାରିତ ରୋଷ୍ଟର ଡ୍ୟୁଟି ଅନୁଯାୟୀ କର୍ମଚାରୀମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଯେକୌଣସି ଜରୁରୀକାଳୀନ ପରିସ୍ଥିତି କିମ୍ବା ସୂଚନା ଆଦାନପ୍ରଦାନ ପାଇଁ ନିୟନ୍ତ୍ରଣ କକ୍ଷ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିବ। ଜିଲ୍ଲାର ତଳିଆ ତଥା ଉପକୂଳବର୍ତ୍ତୀ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ପ୍ରଶାସନ ତୀକ୍ଷ୍ଣ ନଜର ରଖିଛି। ଜିଲ୍ଲାରେ ଥିବା ସମୁଦାୟ ୧୩୦ଟି ବାତ୍ୟା ଆଶ୍ରୟସ୍ଥଳକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବାକୁ ବିଡ଼ିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ନିକଟସ୍ଥ ବିଦ୍ୟାଳୟ ଗୃହଗୁଡ଼ିକୁ ମଧ୍ୟ ଅସ୍ଥାୟୀ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯିବ। ପ୍ରତ୍ୟେକ ଆଶ୍ରୟସ୍ଥଳରେ ଆଲୋକ, ପାନୀୟ ଜଳ ଏବଂ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କୁହାଯାଇଛି। ବିଶେଷ କରି ଗର୍ଭବତୀ ମହିଳା, ଶିଶୁ, ବୟସ୍କ ବ୍ୟକ୍ତି ଏବଂ ଦିବ୍ୟାଙ୍ଗଙ୍କ ଭଳି ଅସୁରକ୍ଷିତ ବର୍ଗର ଲୋକମାନଙ୍କୁ ଚିହ୍ନଟ କରାଯାଇ ବାତ୍ୟାର ପ୍ରକୋପ ବଢ଼ିବା ପୂର୍ବରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା କରାଯାଇଛି। ଆଶ୍ରୟସ୍ଥଳଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ, ବିସ୍କୁଟ, ଚୁଡ଼ା, ଗୁଡ଼, ପାନୀୟ ଜଳ ପାଉଚ୍ ଏବଂ ପଲିଥିନ୍ ମହଜୁଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ପରବର୍ତ୍ତୀ ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଆସନ୍ତା ୨୬ ତାରିଖରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଗୋଟିଏ ଓଡ୍ରାଫ୍ ଟିମ୍ ନିୟୋଜିତ ହେବ। ଏହାସହ ସମସ୍ତ ବ୍ଲକ୍ ଓ ପୌରାଞ୍ଚଳରେ ଅଗ୍ନିଶମ ବାହିନୀ ସମେତ ସ୍ଥାନୀୟ ଉଦ୍ଧାରକାରୀ ଦଳକୁ ସତର୍କ ରଖାଯାଇଛି। ରାସ୍ତାରୁ ଉପୁଡ଼ି ପଡ଼ିଥିବା ଗଛ କାଟି ହଟାଇବା ପାଇଁ ଆବଶ୍ୟକ ପାୱାର୍ କଟ,ର୍ ଜେସିବି, ବୋଟ୍ ଓ ଅନ୍ୟାନ୍ୟ ଉପକରଣ ପ୍ରସ୍ତୁତ ରଖାଯାଇଛି। ନଦୀବନ୍ଧ, ଘାଇ ଏବଂ ଜଳ ନିଷ୍କାସନ ନାଳଗୁଡ଼ିକ ଉପରେ ଜଳସମ୍ପଦ ବିଭାଗ ନିରନ୍ତର ପାଟ୍ରୋଲିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାରେ ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବାରୁ ସମ୍ଭାବ୍ୟ ପ୍ରବଳ ପବନ ଓ ବର୍ଷା ଯୋଗୁଁ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ, ସେଥିପାଇଁ ସମସ୍ତ ପୂଜା କମିଟିକୁ ବିଶେଷ ସତର୍କ କରାଯାଇଛି। ପୂଜା ମଣ୍ଡପ ନିକଟରେ ନିର୍ମିତ ଅସ୍ଥାୟୀ ତୋରଣ, ବିପଦସଙ୍କୁଳ ଢାଞ୍ଚା, ହୋର୍ଡିଂ ଏବଂ ଉଚ୍ଚ ଆଲୋକ ସଜ୍ଜାକୁ ତୁରନ୍ତ ହଟାଇବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂଜା କମିଟିଗୁଡ଼ିକ ଏହି ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ଜରୁରୀ ବୋଲି ସେ ସ୍ପଷ୍ଟ କରିଛନ୍ତି। ବାତ୍ୟା ସମୟରେ ଏବଂ ବାତ୍ୟା ପରେ ମଧ୍ୟ ଯେପରି ସାଧାରଣ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ନ ହୁଏ, ସେଥିପାଇଁ ବିଭିନ୍ନ ଲାଇନ୍ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇଛି। ସମସ୍ତ ଡାକ୍ତରଖାନା ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଔଷଧ, ଆଣ୍ଟି-ସ୍ନେକ୍ ଭେନମ୍‌, ହାଲୋଜେନ୍ ଟାବଲେଟ୍ ଏବଂ ଡିଜେଲ୍ ଜେନେରେଟର୍ ମହଜୁଦ ରଖାଯାଇଛି। ସମ୍ଭାବ୍ୟ ପ୍ରସୂତି ମହିଳାମାନଙ୍କୁ ପୂର୍ବରୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଦାୟିତ୍ୱ ଦିଆଯାଇଛି। ବିଦ୍ୟୁତ୍ ବିଭାଗ ପକ୍ଷରୁ କ୍ଷୟକ୍ଷତି ଘଟିଲେ ତୁରନ୍ତ ମରାମତି କରିବା ପାଇଁ ଟିମ୍ ଗଠନ କରାଯାଇଛି। ବିଦ୍ୟୁତ୍ ସରବରାହ ବନ୍ଦ ହେଲେ ମଧ୍ୟ ଜେନେରେଟର୍ ସାହାଯ୍ୟରେ ପାନୀୟ ଜଳ ଯୋଗାଣ ବଜାୟ ରଖିବାକୁ ଜଳଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସହରାଞ୍ଚଳ ଓ ତଳିଆ ଅଞ୍ଚଳରେ ବର୍ଷାଜଳ ଜମି ନ ରହିବା ପାଇଁ ସମସ୍ତ ଡ୍ରେନ୍‌ର ସଫେଇ କାର୍ଯ୍ୟ ଯାଞ୍ଚ କରାଯାଇଛି। ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିରଞ୍ଜନ ଗୌଡ଼, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ଏବଂ ଡେପୁଟି କଲେକ୍ଟର (ଜରୁରୀକାଳୀନ) ନିତ୍ୟରଞ୍ଜନ ସାମଲଙ୍କ ସମେତ ସମସ୍ତ ଲାଇନ୍ ବିଭାଗର ଜିଲ୍ଲାସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସାଧାରଣ ନାଗରିକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ପ୍ରଚାରିତ କୌଣସି ଅସତ୍ୟ କିମ୍ବା ଭ୍ରାନ୍ତ ଗୁଜବ ଉପରେ ବିଶ୍ୱାସ ନ କରି କେବଳ ସରକାରୀ ଓ ପ୍ରଶାସନିକ ଉତ୍ସରୁ ମିଳୁଥିବା ଅଧିକୃତ ପାଣିପାଗ ସୂଚନାକୁ ଅନୁସରଣ କରିବାକୁ କୁହାଯାଇଛି। ପ୍ରଶାସନ ୨୪ ଘଣ୍ଟା ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ଜନସାଧାରଣଙ୍କ ଜୀବନରକ୍ଷା ତଥା ସୁରକ୍ଷା ହିଁ ସର୍ବୋଚ୍ଚ ପ୍ରାଥମିକତା ବୋଲି ଜିଲ୍ଲାପାଳ ଶ୍ରୀ ଆୟାର ପ୍ରକାଶ କରିଛନ୍ତି।

Leave a Reply

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading