ଭୁବନେଶ୍ୱରରେ RBI ନୂତନ ତଥ୍ୟ କେନ୍ଦ୍ର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ଡିଜିଟାଲ୍ ଆର୍ଥିକ ବ୍ୟବସ୍ଥାର ସୁରକ୍ଷା ହେବ ସୁଦୃଢ

ଭୁବନେଶ୍ୱର୨୫/୧୦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ନବପ୍ରତିଷ୍ଠିତ ତଥ୍ୟ କେନ୍ଦ୍ର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଉଦ୍ଘାଟନ କରିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭୁବନେଶ୍ୱର ଆଜି ନୂତନ ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଉପହାର ଦେଇଛି ଏବଂ ଏହି ଦୁଇଟି ନୂତନ ସୁବିଧା ଓଡ଼ିଶା ସମେତ ସମଗ୍ର ଦେଶର ଲୋକଙ୍କ ପାଇଁ ଉପକାରୀ ହେବ। ଏହି ପ୍ରତିଷ୍ଠାନଗୁଡ଼ିକ ଦେଶର ଡିଜିଟାଲ୍ ଭିତ୍ତିଭୂମିକୁ ମଜବୁତ କରିବା ସହ ଆର୍ଥିକ ବ୍ୟବସ୍ଥାର ସାଇବର ସୁରକ୍ଷା କ୍ଷମତା ବୃଦ୍ଧି କରିବ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଶାସନ ବ୍ୟବସ୍ଥାରେ ଆସିଥିବା ପରିବର୍ତ୍ତନ ଉପରେ ଆଲୋକପାତ କରି ପ୍ରଧଅନ ମନ୍ତ୍ରୀ କହିଥିଲେ ଯେ ଲୋକକୈନ୍ଦ୍ରିକ, ସକ୍ରିୟ ଓ ସୁଶାସନର ଆଦର୍ଶକୁ ନେଇ ସରକାର କାର୍ଯ୍ୟ କରୁଛନ୍ତି। ବିକାଶର ଅର୍ଥ କେବଳ ବଡ଼ ସହରର ଉନ୍ନତି ନୁହେଁ, ବରଂ ଗାଁଠାରୁ ଛୋଟ ସହର ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ସୁଯୋଗ ପହଞ୍ଚାଇବା ଏବଂ ଦେଶର ସବୁ ଅଞ୍ଚଳର ସମାନୁପାତିକ ଅଗ୍ରଗତି ସୁନିଶ୍ଚିତ କରିବା। ଏହି ଉଦ୍ଦେଶ୍ୟରେ ଦେଶରେ ଦ୍ରୁତଗତିରେ ରାଜପଥ ନିର୍ମାଣ ହେଉଛି, ଛୋଟ ସହରଗୁଡ଼ିକୁ ଯୋଗାଯୋଗ ବ୍ୟବସ୍ଥା ସହ ସଂଯୋଗ କରାଯାଉଛି । ଅନେକ ରାଜ୍ୟରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ସୁବିଧା ବିସ୍ତାର ହୋଇଛି । ଛୋଟ ସହରରେ ଚିକିତ୍ସା ମହାବିଦ୍ୟାଳୟ ଖୋଲାଯାଉଛି ଏବଂ ଗାଁଗୁଡ଼ିକରେ ପ୍ରାୟ ଏକ ଲକ୍ଷ ପଞ୍ଚସ୍ତରୀ ହଜାର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଥାପିତ ହୋଇଛି। ଦୂରଦୂରାନ୍ତ ଅଞ୍ଚଳରେ ମଧ୍ୟ ଡିଜିଟାଲ୍ ଯୋଗାଯୋଗର ବିସ୍ତାର ହେଉଛି। ନାଗରିକଙ୍କ ଜୀବନକୁ ସହଜ କରିବା ଏବଂ ସେମାନଙ୍କ ସ୍ୱପ୍ନ ପୂରଣ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବା ହିଁ ଶାସନର ପ୍ରକୃତ ଉଦ୍ଦେଶ୍ୟ ବୋଲି ସେ କହିଥିଲେ।

ଦେଶରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ବିସ୍ତାର ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୧୯୬୦ ଓ ୧୯୭୦ ଦଶକରେ ଗରିବଙ୍କ ହିତ ପାଇଁ ବ୍ୟାଙ୍କଗୁଡ଼ିକର ଜାତୀୟକରଣ କରାଯାଇଥିଲେ ମଧ୍ୟ ୨୦୧୪ ପର୍ଯ୍ୟନ୍ତ ଦେଶର ଅଧାରୁ ଅଧିକ ଲୋକ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରୁ ବାହାରେ ରହିଥିଲେ। ମଧ୍ୟବିତ୍ତ ପରିବାର ପାଇଁ ବ୍ୟାଙ୍କ ଋଣ ପାଇବା କଷ୍ଟକର ଥିବାବେଳେ ଛୋଟ ଚାଷୀ, ଭୂମିହୀନ ଲୋକ ଓ ମହିଳାଙ୍କ ପାଇଁ ଏହା ଅନେକ ସମୟରେ ଅସମ୍ଭବ ଥିଲା। କିନ୍ତୁ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଅଭିଯାନ ଯୋଗୁଁ ଏହି ପରିସ୍ଥିତିରେ ପରିବର୍ତ୍ତନ ଆସିଛି। ଆଜି ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଦିନରାତି ଚବିଶ ଘଂଟା ବ୍ୟାଙ୍କିଙ୍ଗ୍ ସେବା ସହ ଯୋଡ଼ିଛି ବୋଲି ସେ କହିଥିଲେ।

ଦେଶର ପ୍ରତ୍ୟେକ ପରିବାର ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ର ଲାଭ ପାଉଥିବା ଉଲ୍ଲେଖ କରି ସେ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ ପଠାଯାଉଥିବା ଅର୍ଥ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାରେ ପହଞ୍ଚୁଛି ଏବଂ ଏଥିରେ ଅର୍ଥ ହଡ଼ପ ଓ ମଧ୍ୟସ୍ଥିଙ୍କ ହସ୍ତକ୍ଷେପକୁ ରୋକିବା ସମ୍ଭବ ହୋଇଛି। ଦେଶରେ ପ୍ରାୟ ୬୦ କୋଟି ଜନଧନ ଖାତା ଖୋଲାଯାଇଥିବାରୁ ଏହି ପରିବର୍ତ୍ତନ ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ। ବ୍ୟାଙ୍କରେ ବନ୍ଧକ ରଖିବା ପାଇଁ ସମ୍ପତ୍ତି ନଥିଲେ ମଧ୍ୟ ଏବେ ଅନେକ ଲୋକ ସୁଲଭ ଋଣ ପାଇ ନିଜର ବ୍ୟବସାୟ ଆରମ୍ଭ କରିପାରୁଛନ୍ତି। ମୁଦ୍ରା ଯୋଜନା ମାଧ୍ୟମରେ ୧୩ କୋଟି ଲୋକ ପ୍ରଥମଥର ପାଇଁ ଉଦ୍ୟୋଗୀ ହୋଇଥିବା ବେଳେ ପିଏମ୍ ସ୍ୱନିଧି ଓ ପିଏମ୍ ବିଶ୍ୱକର୍ମା ଯୋଜନା ମାଧ୍ୟମରେ ରାସ୍ତାକଡ଼ ବ୍ୟବସାୟୀ ଓ ପାରମ୍ପରିକ କାରିଗରମାନେ ଆନୁଷ୍ଠାନିକ ଋଣ ସୁବିଧା ପାଇଛନ୍ତି। ଏହାସହ ପ୍ରାୟ ୧୦ କୋଟି ଗ୍ରାମୀଣ ମହିଳାଙ୍କୁ ପ୍ରତିନିଧିତ୍ୱ କରୁଥିବା ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକୁ ବ୍ୟାଙ୍କ ମାଧ୍ୟମରେ ହଜାର ହଜାର କୋଟି ଟଙ୍କାର ସହାୟତା ମିଳିଛି। ଏହାଦ୍ୱାରା କ୍ଷୁଦ୍ର ଉଦ୍ୟୋଗୀ, ପାରମ୍ପରିକ କାରିଗର, ରାସ୍ତାକଡ଼ ବ୍ୟବସାୟୀ ଓ ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ପ୍ରଥମଥର ପାଇଁ ଆନୁଷ୍ଠାନିକ ବ୍ୟାଙ୍କିଙ୍ଗ୍ ସେବାର ସୁବିଧା ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏକଦା ଡେବିଟ୍ ଓ କ୍ରେଡିଟ୍ କାର୍ଡ କେବଳ ଧନୀ ଲୋକଙ୍କ ପାଖରେ ସୀମିତ ଥିବାବେଳେ ଏବେ କୋଟି କୋଟି ନାଗରିକଙ୍କ ପାଖରେ ରୁପେ କାର୍ଡ ପହଞ୍ଚିଛି। ଏହା ଆର୍ଥିକ ସ୍ୱାଧୀନତା ଓ ଆତ୍ମସମ୍ମାନର ପ୍ରତୀକ ବୋଲି ସେ ଉଲ୍ଲେଖ କରିବା ସହ ଏହି ପରିବର୍ତ୍ତନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ, ବାଣିଜ୍ୟିକ ବ୍ୟାଙ୍କ ଏବଂ ଦେଶର ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କ ଅବଦାନକୁ ପ୍ରଶଂସା କରିଥିଲେ। ସାମାଜିକ ସୁରକ୍ଷା ବ୍ୟବସ୍ଥାର ବିସ୍ତାର ସମ୍ପର୍କରେ ସେ କହିଥିଲେ ଯେ ଅଟଳ ପେନ୍ସନ୍ ଯୋଜନାରେ ଦେଶର ୯ କୋଟି ଲୋକ ସାମିଲ ହୋଇଛନ୍ତି, ଯେଉଁଥିରେ ଓଡ଼ିଶାର ୩୮ ଲକ୍ଷ ଲୋକ ଅଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ବାର୍ଷିକ ୨୦ ଟଙ୍କା ପ୍ରିମିୟମ୍ରେ ୨ ଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ବୀମା ସୁରକ୍ଷା ମିଳୁଥିବା ବେଳେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ବାର୍ଷିକ ୪୫୦ ଟଙ୍କାରୁ କମ୍ ପ୍ରିମିୟମ୍ରେ ଜୀବନ ବୀମା ସୁବିଧା ଉପଲବ୍ଧ ହେଉଛି। ଏହି ଯୋଜନାଗୁଡ଼ିକ ଗରିବ ଓ ମଧ୍ୟବିତ୍ତ ପରିବାର ପାଇଁ ବୀମା ସୁରକ୍ଷାକୁ ସହଜ କରିଛି। ଦୁର୍ଦ୍ଦିନରେ ପରିବାରଗୁଡ଼ିକୁ ୨୫ ହଜାର କୋଟି ଟଙ୍କାରୁ ଅଧିକ ବୀମା ଦାବି ରାଶି ପ୍ରଦାନ କରାଯାଇଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏହାକୁ ସୁଶାସନର ଏକ ଉଦାହରଣ ବୋଲି କହିଥିଲେ। ଗତ ଦଶନ୍ଧିରେ ବ୍ୟାଙ୍କିଙ୍ଗ୍ ସେବାରୁ ବଞ୍ଚିତ ଲୋକଙ୍କୁ ବ୍ୟାଙ୍କ ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଆଗାମୀ ଦଶନ୍ଧିରେ ବ୍ୟାଙ୍କିଙ୍ଗ୍ ସେବାକୁ ଅଧିକ ଦକ୍ଷ, ବିଶ୍ୱସନୀୟ ଓ ସୁରକ୍ଷିତ କରିବା ଲକ୍ଷ୍ୟ ରହିଛି। ଭୁବନେଶ୍ୱରର ନୂତନ ତଥ୍ୟ କେନ୍ଦ୍ର ଏବଂ ଉନ୍ନତ ଗଣନା ବ୍ୟବସ୍ଥା ଏହି ଲକ୍ଷ୍ୟ ପୂରଣରେ ସହାୟକ ହେବ। ଆଧୁନିକ ଯୁଦ୍ଧ କେବଳ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ହେଉନାହିଁ , ଏକ ଦେଶର ଅର୍ଥନୀତିକୁ ଲକ୍ଷ୍ୟ କରି ମଧ୍ୟ ତାହାକୁ ଦୁର୍ବଳ କରାଯାଇପାରେ। ତେଣୁ ଭାରତର ଅର୍ଥନୈତିକ ଶକ୍ତି ବଢ଼ିବା ସହ ଆର୍ଥିକ ବ୍ୟବସ୍ଥାକୁ ସାଇବର ଅପରାଧୀ ଓ ସାଇବର ଆତଙ୍କବାଦୀଙ୍କ ଆକ୍ରମଣରୁ ସୁରକ୍ଷିତ ରଖିବା ଅତ୍ୟନ୍ତ ଜରୁରୀ। ପୁରୁଣା ପ୍ରଶିକ୍ଷଣ ପଦ୍ଧତି ବଦଳରେ ଆଧୁନିକ ଭିତ୍ତିଭୂମି ଓ ଦକ୍ଷ ମାନବ ସମ୍ବଳ ଗଢ଼ିବା ଆବଶ୍ୟକ ବୋଲି ସେ କହିଥିଲେ। ଏହି କ୍ଷେତ୍ରରେ ଭୁବନେଶ୍ୱରର ନୂତନ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ପୂର୍ବ ଭାରତକୁ ବିକଶିତ ଭାରତ ଗଠନର ଏକ ପ୍ରମୁଖ ଅଭିବୃଦ୍ଧି କେନ୍ଦ୍ର ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓଡ଼ିଶାରେ ପାରମ୍ପରିକ ଖଣିଜଭିତ୍ତିକ ଶିଳ୍ପ ସହ ଅର୍ଦ୍ଧଚାଳକ, ବୈଦ୍ୟୁତିକ ଉପକରଣ, ତଥ୍ୟ କେନ୍ଦ୍ର ଓ ଉନ୍ନତ ଗଣନା ପ୍ରଯୁକ୍ତିର ନୂତନ ପରିବେଶ ଗଢ଼ିଉଠୁଛି। ଖଣିରୁ ସୂକ୍ଷ୍ମ ଇଲେକ୍ଟ୍ରୋନିକ୍ ଉପାଦାନ ପର୍ଯ୍ୟନ୍ତ ଓଡ଼ିଶା ନୂଆ ଭବିଷ୍ୟତ ରଚନା କରିବା ଦିଗରେ ଅଗ୍ରସର ହେଉଛି। ଏହି ନୂତନ କ୍ଷେତ୍ରଗୁଡ଼ିକ ରାଜ୍ୟର ଯୁବପିଢ଼ିଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ ଏବଂ ସେମାନଙ୍କ ସ୍ୱପ୍ନ ପୂରଣରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଶେଷରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପାର୍ବଣର ଶୁଭେଚ୍ଛା ଜଣାଇବା ସହ “ଜୟ ଜଗନ୍ନାଥ” କହି ନିଜର ଉଦ୍ବୋଧନ ଶେଷ କରିଥିଲେ।
