>

୮୫ବର୍ଷରେ କେନ୍ଦ୍ରାପଡାର ଗଙ୍ଗାଭଗୀରଥ ପୂଜା କମିଟି , ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁମ୍ବାଇର ସୁନିଲ ପାଲ


କେନ୍ଦ୍ରାପଡ଼ା,୨୪ା୧୦:ଓଡ଼ିଶାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଂଚଳ ହୋଇଉଠିଛି ଧର୍ମପୀଠ କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ର । ସାରା ସହର ସଂମ୍ପ୍ରତି ଆଲୋକମାଳା, ଭବ୍ୟ ତୋରଣ ଏବଂ ଆଧ୍ୟାତ୍ମିକ ପରିବେଶରେ ଚଳଚଂଚଳ ହୋଇଉଠିଛି। ଏହି ପରିପ୍ରେକ୍ଷୀରେ ସହରର ଅନ୍ୟତମ ପ୍ରସିଦ୍ଧ ତଥା ଐତିହ୍ୟସମ୍ପନ୍ନ ମଢିଆଳ ବଜାରସ୍ଥିତ ଗଙ୍ଗା ଭଗୀରଥ ପୂଜା କମିଟି ଚଳିତ ବର୍ଷ ନିଜର ଗୌରବମୟ ୮୫ ବର୍ଷରେ ପଦାର୍ପଣ କରିଛି। ୮୫ ବର୍ଷ ପୂର୍ତ୍ତିର ଏହି ଐତିହାସିକ ତଥା ସ୍ମରଣୀୟ ଅବସରକୁ ଅଧିକ ଆକର୍ଷଣୀୟ କରିବା ପାଇଁ କମିଟି ପକ୍ଷରୁ ସ୍ୱତନ୍ତ୍ର ଓ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଚଳିତ ବର୍ଷ ଗଙ୍ଗା ଭଗୀରଥ ପୂଜା କମିଟିର ମୁଖ୍ୟ ଆକର୍ଷଣ ପାଲଟିବ ମା’ ଗଜଲକ୍ଷ୍ମୀଙ୍କ ଦିବ୍ୟ ସ୍ୱର୍ଣ୍ଣ ମୁକୁଟ। ୮୫ ବର୍ଷ ପୂର୍ତ୍ତି ଉପଲକ୍ଷେ ମା’ଙ୍କ ମସ୍ତକରେ ୬୦୦ ଗ୍ରାମ ଓଜନର ଏକ ଭବ୍ୟ ତଥା ମନୋହର କାରୁକାର୍ଯ୍ୟପୂର୍ଣ୍ଣ ସୁନା ମୁକୁଟ ଶୋଭା ପାଇବ। ଏ ନେଇ ଦକ୍ଷ କାରିଗରମାନଙ୍କ ଦ୍ୱାରା ମୁକୁଟ ନିର୍ମାଣ କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହୋଇସାରିଛି। ଏଥିସହିତ ମା’ଙ୍କ ଭବ୍ୟ ମେଢ, କଣ୍ଠହାର ଏବଂ ଅଣ୍ଟା ବିଛା ପାଇଁ ପ୍ରାୟ ୧ କ୍ୱିଣ୍ଟାଲ ୪୦ କିଲୋଗ୍ରାମର ଚାନ୍ଦି ବ୍ୟବହାର କରାଯାଇ ନୂତନ ଡିଜାଇନ୍‌ର ମେଢ ନିର୍ମାଣ କରାଯାଇଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ୨୦୧୮ ମସିହାରେ କମିଟି ପକ୍ଷରୁ ପ୍ରଥମ ଥର ପାଇଁ ୧ କ୍ୱିଣ୍ଟାଲ ୨୦ କେଜି ରୂପାରେ ଚାନ୍ଦି ମେଢ଼ ପ୍ରସ୍ତୁତ କରାଯାଇଥିଲା। ବର୍ତ୍ତମାନ ଚଳିତ ବର୍ଷ ଏଥିରେ ଅତିରିକ୍ତ ରୂପା ସଂଯୋଗ କରାଯାଇ ଏହାକୁ ଆହୁରି ଅଧିକ ମନୋରମ ଓ ଭବ୍ୟ ରୂପ ଦିଆଯାଇଛି।

ମଢିଆଳ ବଜାରରେ ଏହି ପୂଜାର ଆରମ୍ଭ ଅତ୍ୟନ୍ତ ପୁରୁଣା ଏବଂ ଗୌରବମୟ। ସ୍ୱାଧୀନତା ପୂର୍ବରୁ ଅର୍ଥାତ୍ ୧୯୪୧ ମସିହାରେ କେତେକ ଧର୍ମପରାୟଣ ବ୍ୟକ୍ତିବିଶେଷଙ୍କ ଏକାନ୍ତ ଉଦ୍ୟମରେ ଏହି ପୂଜା ପ୍ରଥମେ ଆରମ୍ଭ କରାଯାଇଥିଲା। ସେହି ସ୍ମରଣୀୟ ପ୍ରତିଷ୍ଠାତାମାନଙ୍କ ମଧ୍ୟରେ ସ୍ୱର୍ଗତ ସାଧୁ ଚରଣ ସାହୁ, ନନ୍ଦ ଦେଳଇ, ପଞ୍ଚୁ ଦଳେଇ, ଧୋଇ ବେହେରା, ବାବାଜି ବେହେରା ଏବଂ ଶୁକଦେବ ମଣ୍ଡଳ ପ୍ରମୁଖ ଏକତ୍ରିତ ହୋଇ ଏହି ପୂଜାର ଶୁଭାରମ୍ଭ କରିଥିଲେ। ସେମାନଙ୍କର ସେହି ଦୂରଦୃଷ୍ଟି ଏବଂ ଭକ୍ତିପୂର୍ଣ୍ଣ ପ୍ରୟାସ ଯୋଗୁଁ ଆଜି ଏହି ପୂଜା କେନ୍ଦ୍ରାପଡ଼ାର ଏକ ପ୍ରମୁଖ ପରମ୍ପରାରେ ପରିଣତ ହୋଇଛି।

ସ୍ଥାନୀୟ ବାସିନ୍ଦା ଏବଂ ବ୍ୟବସାୟୀଙ୍କ ପୂର୍ଣ୍ଣ ସହଯୋଗରେ ଆଜି ଏହି କମିଟି ଜିଲ୍ଲାର ଅନ୍ୟତମ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି। ପୂଜା ଉପଲକ୍ଷେ ଚଳିତ ବର୍ଷ ଅକ୍ଟୋବର ୨୯, ୩୦ ଓ ୩୧ ତାରିଖ ତିନି ଦିନ ଧରି ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଦର୍ଶକଙ୍କ ମନୋରଞ୍ଜନ ପାଇଁ ମୁମ୍ବାଇରୁ ପ୍ରସିଦ୍ଧ ହାସ୍ୟ ଅଭିନେତା (ଷ୍ଟାଣ୍ଡଅପ୍ କମେଡିଆନ୍‌) ସୁନିଲ ପାଲ୍ କେନ୍ଦ୍ରାପଡ଼ା ଆସୁଛନ୍ତି। ସେ ନିଜର ଅନନ୍ୟ ହାସ୍ୟରସ ଓ କଳା ମାଧ୍ୟମରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରିବେ। ଏହାବ୍ୟତୀତ ଆନ୍ଧ୍ରପ୍ରଦେଶର ସୁନାମଧନ୍ୟ ଶିକାକୁଲମ ବ୍ୟାଣ୍ଡ ପାର୍ଟି ନିଜର ସଙ୍ଗୀତ ଝଙ୍କାରରେ ପୂଜା ପରିବେଶକୁ ଅଧିକ ଜୀବନ୍ତ ଓ ଆନନ୍ଦଦାୟକ କରିବେ। ପୂଜା ପ୍ରସ୍ତୁତି, ଶାନ୍ତିଶୃଙ୍ଖଳା ଏବଂ ଦର୍ଶକଙ୍କ ସୁବିଧା ସମ୍ପର୍କରେ କମିଟିର ସଭାପତି ସୁବାସ କୁମାର ଚାନ୍ଦ, ସମ୍ପାଦକ ନିଗମାନନ୍ଦ ସାହୁ ଏବଂ ଉପଦେଷ୍ଟା ଗନ୍ଧର୍ବ ଚରଣ ବେହେରା ସୂଚନା ଦେଇ କହିଛନ୍ତି ଯେ ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ମା’ଙ୍କ ଦର୍ଶନ କରିପାରିବେ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିପାରିବେ, ସେଥିପାଇଁ ପୋଲିସ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସ୍ୱେଚ୍ଛାସେବୀ ନିୟୋଜିତ କରାଯାଇଛି। ୮୫ତମ ବର୍ଷର ଏହି ଭବ୍ୟ ମହୋତ୍ସବରେ ସାମିଲ ହେବା ପାଇଁ କମିଟି ପକ୍ଷରୁ ସମସ୍ତ ଭକ୍ତ ଓ ସହରବାସୀଙ୍କୁ ଆମନ୍ତ୍ରଣ କରାଯାଇଛି।

ଏହି ମହାନ ଉତ୍ସବକୁ ସଫଳ କରିବା ପାଇଁ କମିଟିର ସମସ୍ତ କର୍ମକର୍ତ୍ତା ଓ ସ୍ଥାନୀୟ ଜନସାଧାରଣମାନେ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି। ଆଲୋକମାଳା ଏବଂ ଭବ୍ୟ ତୋରଣର ସାଜସଜ୍ଜା ସହିତ ମା’ଙ୍କ ସ୍ୱର୍ଣ୍ଣ ମୁକୁଟ ଓ ରୂପା ମେଢ଼ର ଦର୍ଶନ ପାଇଁ କେନ୍ଦ୍ରାପଡ଼ା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ତୁଳସୀକ୍ଷେତ୍ରର ଏହି ଐତିହାସିକ ପୂଜା ଚଳିତ ବର୍ଷ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ।

Leave a Reply

Next Post

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି କେନ୍ଦ୍ରାପଡାରେ ଜିଲ୍ଲାପାଳକ ସମୀକ୍ଷା, ୧୩୦ ଆଶ୍ରୟସ୍ଥଳ ପ୍ରସ୍ତୁତ, କର୍ମଚାରୀଙ୍କ ଛୁଟୀ ବାତିଲ

Sat Oct 24 , 2026
କେନ୍ଦ୍ରାପଡ଼ା,୨୪ା୧୦:ବଙ୍ଗୋପସାଗରରେ ସୃଷ୍ଟ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ଓ ପୂର୍ବପ୍ରସ୍ତୁତି ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା, ଧନଜୀବନର ସୁରକ୍ଷା ତଥା ଶୂନ୍ୟ କ୍ଷୟକ୍ଷତି ନୀତିକୁ ପ୍ରାଥମିକତା ଦେଇ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଜିଲ୍ଲାର ବାତ୍ୟା […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading