G-YYJMJBZZV1 google-site-verification: googlec5344ea53536edd2.html

ବାରହା ଆକ୍ରମଣରେ ଯୁବକ ଗୁରୁତର ; କଟକ ବଡ଼ମେଡ଼ିକାଲ ସ୍ଥାନାନ୍ତର

ବାରହା ଆତଙ୍କରେ ଭୟଭୀତ ଅଞ୍ଚଳବାସି


ପଟ୍ଟାମୁଣ୍ଡାଇ ତା ୨୯/୧୦ -କେନ୍ଦ୍ରପଡା ଜିଲା ରାଜନଗର ବନଖଣ୍ଡ ଅଧିନ ପଟ୍ଟାମୁଣ୍ଡାଇ ଅଞ୍ଚଳର ବିଭିନ୍ନ ନଦୀନାଳ ରେ କୁମ୍ଭୀରଙ୍କ ଉତ୍ପାତ ଓ ମଣିଷ – କୁମ୍ଭୀର ଲଢ଼େଇ ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାରେ ରହିଥିବା ବେଳେ ଏବେ ଜଙ୍ଗଲି ବାରହାଙ୍କ ଉତ୍ପାତ ଅଞ୍ଚଳବାସୀଙ୍କୁ ଭୟଭୀତ ଅବସ୍ଥାରେ ରଖିଛି। ଭିତରକନିକା ଅଭୟାରଣ୍ୟ ପରିସୀମା ମଧ୍ୟରୁ ଚାଲିଆସିଥିବା ବାରହା ପଲ ପଟ୍ଟାମୁଣ୍ଡାଇ ଧୋୟା ଅଞ୍ଚଳ ଓ ଭେଡା ଅଞ୍ଚଳର ବିଭିନ୍ନ ଗ୍ରାମରେ ପଶି ଆତଙ୍କ ସୃଷ୍ଟି କରୁଛନ୍ତି। ଏମାନଙ୍କର ବଂଶ ବୃଦ୍ଧି ଘଟି ଶହ ଶହ ସଂଖ୍ୟାର ଜଙ୍ଗଲି ବାରହା ବାଡ଼ି ବଗିଚାରେ ପଶି ଫସଲ ନଷ୍ଟ କରୁଥିବା ବେଳେ ଧାନଚାଷ କରାଯାଇଥିବା ଚାଷ ଜମିରେ ପଶି ମୁନିଆ ଦାନ୍ତରେ ମାଟି ସବୁ ତାଡ଼ି ପକାଇବା ସହିତ ଫସଲ ନଷ୍ଟ କରିପକାଉଛନ୍ତି। ଫଳରେ ଚାଷୀମାନେ ଫସଲ ହରାଇ ମୁଣ୍ଡରେ ହାତ ଦେଇ ବସୁଛନ୍ତି। ଜଙ୍ଗଲି ବାରହା ଗୁଡ଼ିକ ହିଂସ୍ର ହୋଇଥିବାରୁ ତାଙ୍କୁ ଘଉଡ଼ାଇବା ମଧ୍ୟ ସମ୍ଭବ ହେଉନାହିଁ। ଆଜି ମଧ୍ୟାହ୍ନରେ ଫସଲ ନଷ୍ଟ କରୁଥିବା ଏକ ଜଙ୍ଗଲି ବାରହାକୁ ଘଉଡ଼ାଇବା ବେଳେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛି ଜଙ୍ଗଲି ବାରହା। ସ୍ଥାନୀୟ ଅଠରବାଟିଆ ଗ୍ରାମର ଗୋବରୀ ନଦୀ କୂଳରେ ଥିବା ପାଳ ଜମିରେ ଫସଲ ନଷ୍ଟ କରୁଥିବା ଏକ ବାରହାକୁ ଗ୍ରାମର ପ୍ରାୟ ୩୦ ଜଣରୁ ଊର୍ଦ୍ଧ୍ୱ ବ୍ୟକ୍ତି ଘଉଡ଼ାଇବା ବେଳେ ନିଦିକୁଳରେ ଥିବା ବାସୁଳାଇ ଠାକୁରାଣୀଙ୍କ ନିକଟରେ ଗାଈ ଜଗିଥିବା ଅଠରବାଟିଆ ଗ୍ରାମର ବିକ୍ରମ ସେଠୀଙ୍କ ପୁଅ ନିହାର ସେଠୀ (୧୮) ଙ୍କୁ ହିଂସ୍ର ଜଙ୍ଗଲି ବାରହା ଅତର୍କିତ ଆକ୍ରମଣ କରି ଲହୁ ଲୁହାଣ କରିଦେଇଛି। ଜଙ୍ଗଲି ବାରହାଟି ମୁନିଆ ଦାନ୍ତରେ ନିହାରଙ୍କୁ କ୍ଷେତ ବିକ୍ଷତ କରିଦେବା ସହିତ ପାଦ, ହାତପାପୁଲି, ଜଂଘ, ଭଣ୍ଡା ଓ ଜଂଘରୁ ପୁଳା ପୁଳା ମାଂସ କାମୁଡ଼ି ଛିଣ୍ଡାଇ ନେଇଛି। ନିହାରଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟରେ ଭର୍ତି କରିଥିଲେ ହେଁ ନିହାରଙ୍କ ଅବସ୍ଥା ଗୁରୁତର ଥିବାରୁ ଓ ପ୍ଲାଷ୍ଟିକ ସର୍ଜରୀର ଆବଶ୍ୟକତା ଥିବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇଦେଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ବନ୍ୟା ସମୟରେ କୁଳସାହି ଗ୍ରାମର ଜଣେ ବ୍ୟକ୍ତିଙ୍କ ହାତ ପାପୁଲିରୁ ବୃଦ୍ଧାଙ୍ଗୁଷ୍ଠି ଟିକୁ ଜଙ୍ଗଲି ବାରହା କାମୁଡ଼ି ଛିଣ୍ଡାଇ ନେଇଥିଲା। ଧୋୟାଞ୍ଚଳର ବେଣା ଜଙ୍ଗଲ ମଧ୍ୟରେ ବାସ କରୁଥିବା ଶହଶହ ସଂଖ୍ୟାର ଜଙ୍ଗଲି ବାରହା ଗତ ବନ୍ୟା ସମୟରେ ଵେଣା ଜଙ୍ଗଲ ପାଣିରେ ବୁଡିଯିବାରୁ ବାରହା ପଲ ଗାଁ ମୁହାଁ ହୋଇ ବିଭିନ୍ନ ସ୍ଥାନରେ ଆତଙ୍କ ସୃଷ୍ଟି କରିଥିଲେ। ପଟ୍ଟାମୁଣ୍ଡାଇ ଧୋୟା ଅଞ୍ଚଳର କଷଣଅଣ୍ଟା, ତଳ ବାଲିପଡା, ବଳଦେବ ନଗର, କକୁଡ଼ିପଲି, ନୂଆଗାଁ, ଅଳଭା, ତନୁପୁର, ନନ୍ଦିନୀନଗର, ବାଲିପାଟଣା, ବାଛର – ମଣ୍ଡପଡ଼ା ଆଦି ଅଞ୍ଚଳରେ ଓ ବ୍ରାହ୍ମଣୀ ନଦୀ ପଠାରେ ଥିବା ବେଣା ଜଙ୍ଗଲ ମଧ୍ୟରେ ଶହଶହ ସଂଖ୍ୟାରେ ଜଙ୍ଗଲି ବାରହା ବାସ କରୁଥିବା ଜଣାପଡ଼ିଛି। ଭେଡ଼ା ଅଞ୍ଚଳର ଆମ୍ବେର, ନଳ ଢ଼ଳିଆ, ପଛପଡ଼ା, ଅଇନିପଡା, ଦିହପଡା, ତାତନା,ଅଠର ବାଟିଆ ଆଦି ଗ୍ରାମରେ ଓ ଗୋବରୀ ନଦୀପଠା ଜଙ୍ଗଲରେ ବାରହା ପଲ ବଂଶ ବିସ୍ତାର କରି ଚାଲିଥିବା ବେଳେ ବାଡ଼ି ବଗିଚାରେ ପଶି ଫସଲ ନଷ୍ଟ କରୁଥିବାରୁ ଲୋକଙ୍କ ନିଦ ହଜି ଗଲାଣି। ବାରହା ପଲଙ୍କୁ ଘଉଡ଼ାଇବା ସହିତ ସେମାନଙ୍କୁ ଧରି ଭିତରକନିକା ଅଭୟାରଣ୍ୟ ପରିସୀମା ମଧ୍ୟକୁ ଫେରାଇ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ବନବିଭାଗ ଏଥିପ୍ରତି କର୍ଣ୍ଣପାତ କରୁନଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ବନ ବିଭାଗ ବିରୁଦ୍ଧରେ ଜନ ଆନ୍ଦୋଳନ ପାଇଁ ଅଞ୍ଚଳବାସୀ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

Leave a Reply

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading