ମନେପଡେ ୧୯୯୯ ଅକ୍ଟୋବର ୨୯ର ସେହି ପ୍ରଳୟଙ୍କରୀ ମହାବାତ୍ୟା କଥା

ପଟ୍ଟାମୁଣ୍ଡାଇ,୨୩ ।୧୦ ନରେନ୍ଦ୍ର ଧଳ – ଅକ୍ଟୋବର ମାସରେ ସମୁଦ୍ରରେ ଲଘୁଚାପ ସୃଷ୍ଟି ହେବା ମାତ୍ରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳବାସୀଙ୍କ ଛାତିରେ ଛନକା ପଶିବା ସହ ଚାଷୀକୁଳ ଗଭୀର ଆତଙ୍କିତ ହୋଇପଡ଼ୁଛନ୍ତି। କାରଣ ୧୯୯୯ ଅକ୍ଟୋବର ୨୯ର ସେହି ପ୍ରଳୟଙ୍କରୀ ମହାବାତ୍ୟାର ଭୟାବହ ଆଜି ବି ଲୋକଙ୍କ ମନରୁ ସମ୍ପୂର୍ଣ୍ଣ ଲିଭିନଥିବା ବେଳେ ପାଣିପାଗ ବିଭାଗର ସମ୍ଭାବ୍ୟ ବାତ୍ୟା ପୂର୍ବାନୁମାନ ସେମାନଙ୍କ ନିନ୍ଦ ପ୍ରାୟ ହଜାଇ ଦେଇଛି। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଆସନ୍ତା ୨୬ ତାରିଖ ବେଳକୁ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରାଯାଇଛି। ଏହି ବାତ୍ୟା ପ୍ରଭାବରେ ପବନର ବେଗ ଘଂଟାପ୍ରତି ୯୦ କିଲୋମିଟର ପର୍ଯ୍ୟନ୍ତ ପହଁଚିବାର ସମ୍ଭାବନା ରହିଛି। ଆସନ୍ତା ୨୮ ତାରିଖ ଆଡ଼କୁ ପବନର ବେଗ ଆହୁରି ବୃଦ୍ଧି ପାଇ ଏହା ଏକ ପୂର୍ଣ୍ଣାଙ୍ଗ ପ୍ରଳୟଙ୍କରୀ ବାତ୍ୟାରେ ପରିଣତ ହେବାର ଆଶଙ୍କା କରାଯାଉଛି। ଏହାର ପ୍ରଭାବରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇ ଫସଲ ଉଜୁଡ଼ିଯିବା ଚିନ୍ତାରେ ଚାଷୀକୂଳ ଦିନ କାଟୁଛନ୍ତି।
ଅବସରପ୍ରାପ୍ତ ଶିକ୍ଷକ ପ୍ରେମାନନ୍ଦ ପଣ୍ଡାଙ୍କ ମତରେ, ୧୯୯୯ ମସିହାର ମହାବାତ୍ୟା ଓଡ଼ିଶା ଇତିହାସର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଥିଲା। ଏହି ବାତ୍ୟା ସମୟରେ ରାଜ୍ୟର ୧୪ଟି ଜିଲାରେ ଘଂଟାପ୍ରତି ୨୫୦ ରୁ ୩୫୦ କିମି ବେଗରେ ପବନ ପ୍ରବାହିତ ହେବା ସହ ସମୁଦ୍ରରୁ ୩୦ ଫୁଟ୍ ଉଚ୍ଚର ଜୁଆର ମାଡ଼ିଆସି ସବୁକିଛି ନିଶ୍ଚିହ୍ନ କରିଦେଇଥିଲା। ଏହି ପ୍ରକୃତିର ତାଣ୍ଡବଲୀଳାରେ ୧୦ ହଜାରରୁ ଊର୍ଦ୍ଧ୍ୱ ଜୀବନହାନି ହୋଇଥିଲା। କେବଳ କେନ୍ଦ୍ରାପଡ଼ା ଜିଲାରେ ୩୯୭ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ୧୮୦୩ ଜଣ ଆହତ ଏବଂ ୩୮ ଜଣ ନିଖୋଜ ହୋଇଥିଲେ। ସେହିପରି ଜିଲାରେ ୩ ହଜାରରୁ ଅଧିକ ମାଛଧରା ଡଙ୍ଗା, ପ୍ରାୟ ୪୯ ହଜାର ଗୃହପାଳିତ ପ୍ରାଣୀ ଓ ୨,୯୭,୮୧୪ଟି ପକ୍କା ଓ କଂଚା ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା । ଯାହାର କ୍ଷତିଗ୍ରସ୍ତ ଚିତ୍ର ଆଜି ବି ଲୋକଙ୍କ ଆଖିରେ ଭାସିଉଠେ।
ସାମାଜିକ କର୍ମୀ ପ୍ରବୀର ନାୟକ କୁହନ୍ତି ଚଳିତ ଖରିଫ ଋତୁରେ ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରାୟ ୧୦,୦୦୦ ରୁ ୧୧,୦୦୦ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ଯାହାକି ଅମଳ ହେଲେ ପ୍ରାୟ ୬୦ ହଜାର ମେଟ୍ରିକ୍ ଟନ୍ ଉତ୍ପାଦନ ହେବାର ଲକ୍ଷ୍ୟ ରହିଛି। ବର୍ତମାନ ଏହି ଫସଲ ବିଲରେ ପେଟଥୋଡ଼ ଅବସ୍ଥାରେ ଥିବାବେଳେ ବାତ୍ୟା ଓ ପ୍ରବଳ ପବନ ହେଲେ ଧାନଗଛ ଅଗାଡ଼ି ହୋଇଯିବ। ଅନ୍ୟପକ୍ଷରେ, ଲଗାଣ ବର୍ଷା ହେଲେ ଜଳ ନିଷ୍କାସନ ପାଇଁ ଥିବା ଡ୍ରେନେଜ୍ ଗୁଡ଼ିକ ପୋତି ହୋଇ ପଡ଼ିଥିବାରୁ ଜମିରେ ପାଣି ଜମିରହି ଧାନ ଓ ପନିପରିବା ନଷ୍ଟ ହେବା ସହ ପୋକ ଲାଗିଯିବାର ଆଶଙ୍କା ରହିଛି।
ଚାଷୀ ହେମନ୍ତ ବିଶ୍ଵାଳ କୁହନ୍ତି ପଟ୍ଟାମୁଣ୍ଡାଇ ଧୋୟାଅଂଚଳର ଚାଷୀକୁଳ ପାଇଁ ପ୍ରକୃତିର ଲୀଳାଖେଳା ଯେମିତି ଏକ ନିତିଦିନିଆ ଘଟଣା ପାଲଟିଛି। ଚଳିତ ବର୍ଷ ୩ରୁ ୪ ଥର ବନ୍ୟା ଆସି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ବନ୍ୟାର କ୍ଷତିକୁ ସମ୍ଭାଳି ସେମାନେ ପୁଣି ଅଂଟା ସାଧି ଧାର୍ଯ୍ୟର ସହ ବିରି ଓ ବିଭିନ୍ନ ପନିପରିବା ଚାଷ କରିଛନ୍ତି । ମାତ୍ର ଏହି ଫସଲଗୁଡ଼ିକ ଅମଳ ହେବାକୁ ଆଉକିଛି ଦିନଥିବା ବେଳେ ମୁଣ୍ଡ ଉପରେ ମାଡ଼ି ଆସୁଛି ସମ୍ଭାବ୍ୟ ବାତ୍ୟାର କଳାବାଦଲ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସୁଥିବା ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେଲେ ଏହି ବିରି ଓ ପନିପରିବା କ୍ଷେତ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ନଷ୍ଟ ହୋଇଯିବାର ଆଶଙ୍କା ରହିଛି। ଋଣ କରି କରିଥିବା ଚାଷ ପୁଣି ନଷ୍ଟ ହେଲେ ପରିବାର ଚଳାଇବା ଅସମ୍ଭବ ହୋଇପଡ଼ିବ।
କୃଷକ ନେତା ଦାଶରଥି ସାହୁ,ନରେଶ ଜେନା କୁହନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ଭାତ ହାଣ୍ଡି ଭାବେ ପରିଚିତ ଉତିକଣ ଅଂଚଳରେ ଚଳିତ ବର୍ଷ ବେଶ୍ ଭଲ ଧାନ ଫସଲ ହୋଇଛି। ମାତ୍ର ଜଳସମ୍ପଦ ବିଭାଗର ଅପାରଗତା କାରଣରୁ ସଠିକ୍ ଭାବେ ଜଳସେଚନ ଓ ଜଳ ନିଷ୍କାସନ ହୋଇପାରୁ ନଥିବାରୁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ଦିନ ହେବ ବିଲରେ ପାଣି ଶୁଖିଲା ପଡ଼ିଥିବାରୁ ଚାଷୀମାନେ ବାଧ୍ୟ ହୋଇ ମଟରପମ୍ପ ମାଧ୍ୟମରେ ନିଜସ୍ୱ ଖର୍ଚ୍ଚରେ ପାଣି ଯୋଗାଇ ଫସଲକୁ ବଂଚାଇ ରଖି ସୁନ୍ଦର ଫସଲ କରିଛନ୍ତି । ଯଦି ପ୍ରବଳ ବର୍ଷା ଓ ପବନ ହେଲେ ଜଳ ନିଷ୍କାସନର ବ୍ୟବସ୍ଥା ନଥିବାରୁ ବିଲରେ ପାଣି ଜମିରହି ସବୁକିଛି ନଷ୍ଟ ହୋଇଯିବ। ପ୍ରକୃତିର ଦାଉ ସାଙ୍ଗକୁ ବିଭାଗୀୟ ଅବହେଳା ଆମ ପାଇଁ କାଳ ସାଜିଛି ବୋଲି ଉତିକଣର ଚାଷୀକୁଳ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି।
