
କେନ୍ଦ୍ରାପଡ଼ା,୨୫ା୧୦: ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ତଥା ଐତିହ୍ୟ ସମ୍ପନ୍ନ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଐତିହାସିକ ଗଜଲକ୍ଷ୍ମୀ ପୁଜାରେ ଭକ୍ତିପୂତ ପରିବେଶ ଦେଖିବାକୁ ମିଳିଛି। ସହରର ଅନ୍ୟତମ ପ୍ରସିଦ୍ଧ ଗଙ୍ଗା-ଭଗୀରଥ ପୂଜା କମିଟି ପକ୍ଷରୁ ଏକ ଭବ୍ୟ ଏବଂ ଆକର୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଏହି ପୂଜା କମିଟି ନିଜର ଗୌରବମୟ ୮୫ ବର୍ଷ ପୂରଣ କରିଥିବା ଅବସରରେ ଦେବୀଙ୍କ ଉଦ୍ଦେଶ୍ୟରେ ଏକ ଆକର୍ଷଣୀୟ ସୁବର୍ଣ୍ଣ ମୁକୁଟ ସମର୍ପଣ କରାଯାଇଛି। ଏହି ମହାନ ଅବସରରେ ସମଗ୍ର ସହରରେ ଆଧ୍ୟାତ୍ମିକ ଉତ୍ସାହ ଓ ଭକ୍ତିର ଏକ ଅପୂର୍ବ ପରିବେଶ ସୃଷ୍ଟି ହୋଇଛି। ଏକ ଭବ୍ୟ ସମାରୋହ ମଧ୍ୟରେ ଏହି ନୂତନ ସୁନା ମୁକୁଟକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଥିଲା। କଟକର ପ୍ରସିଦ୍ଧ ମୂର୍ତ୍ତି କାରିଗର ତଥା କୁଶଳୀ ଶିଳ୍ପୀ ବସନ୍ତ ବେହେରା ଏହି ମୁକୁଟକୁ ନିଜର ନିଖୁଣ କାରୁକାର୍ଯ୍ୟ ଏବଂ ସୂକ୍ଷ୍ମ କଳାତ୍ମକ ଦକ୍ଷତା ଦ୍ୱାରା ଅତି ସୁନ୍ଦର ଭାବେ ପ୍ରସ୍ତୁତ କରିଛନ୍ତି। ମୁକୁଟର ଚମକ ଏବଂ ଏହାର ସୂକ୍ଷ୍ମ ଡିଜାଇନ୍ ଦେଖଣାହାରୀଙ୍କ ମନ ମୋହୁଥିବାବେଳେ ଏହା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି।୮୫ ବର୍ଷର ଏହି ପାଳନ କେବଳ କମିଟିର ଇତିହାସରେ ନୁହେଁ, ବରଂ ସ୍ଥାନୀୟ ଅଞ୍ଚଳର ଧର୍ମପ୍ରାଣ ଜନସାଧାରଣଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ଅଟେ। ମା’ଙ୍କ ଏହି ଦିବ୍ୟ ସୁବର୍ଣ୍ଣ ମୁକୁଟ ଆଗାମୀ ପୂଜା ମହୋତ୍ସବର ମୁଖ୍ୟ ଆକର୍ଷଣ ସାଜିବ ବୋଲି ଶ୍ରଦ୍ଧାଳୁମାନେ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି। ଏହି ଐତିହାସିକ କାର୍ଯ୍ୟକ୍ରମରେ ବହୁମାନ୍ୟବର ବ୍ୟକ୍ତିବିଶେଷ, କମିଟିର କର୍ମକର୍ତ୍ତା ଏବଂ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମା’ଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଏହି ଭବ୍ୟ ସମାରୋହରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମା’ଙ୍କ ନୂତନ ସୁନା ମୁକୁଟକୁ ଆନୁଷ୍ଠାନିକ ଭାବେ ଶୁଭ ଉନ୍ମୋଚନ କରିଥିଲେ। ଏହି ଅବସରରେ ଉପସ୍ଥିତ ଜନସାଧାରଣ ଓ ଶ୍ରଦ୍ଧାଳୁମାନଙ୍କୁ ଉଦ୍ୱୋଧନ ଦେଇ ସେ ଗଙ୍ଗା-ଭଗୀରଥ ପୂଜା କମିଟିର ଦୀର୍ଘ ୮୫ ବର୍ଷର ସଫଳ ଯାତ୍ରା ଓ ଧାର୍ମିକ ପରମ୍ପରାକୁ ଭୂୟସୀ ପ୍ରଶଂସା କରିଥିଲେ।
ବିଧାୟକ ଶ୍ରୀ ବେହେରା କହିଥିଲେ ଯେ, ଏକ ସାଂସ୍କୃତିକ ପ୍ରାଣକେନ୍ଦ୍ର ଭାବେ କେନ୍ଦ୍ରାପଡ଼ାର ସ୍ୱତନ୍ତ୍ର ପରିଚୟ ରହିଛି ଏବଂ ଏହି କମିଟି ବର୍ଷ ବର୍ଷ ଧରି ସମାଜରେ ଧର୍ମୀୟ ଭାବନା ସହିତ ସାମାଜିକ ଏକତା ରକ୍ଷା କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି। ୮୫ ବର୍ଷର ଏହି ଗୌରବମୟ ଉପଲକ୍ଷେ ସୁବର୍ଣ୍ଣ ମୁକୁଟ ସମର୍ପଣ ସହରର ଆଧ୍ୟାତ୍ମିକ ଚେତନାକୁ ଆହୁରି ମଜବୁତ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଏଥିସହିତ, ଏଭଳି ସାମାଜିକ ଓ ଧର୍ମାନୁଷ୍ଠାନ କାର୍ଯ୍ୟରେ ସମସ୍ତଙ୍କର ସହଯୋଗ କାମନା କରି ସେ କମିଟିର ସମସ୍ତ କର୍ମକର୍ତ୍ତା, ଶ୍ରଦ୍ଧାଳୁ ଏବଂ କୁଶଳୀ କାରିଗରଙ୍କୁ ଅଭିନନ୍ଦନ ଜଣାଇଥିଲେ।
ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ହିମାଂଶୁ ଭୂଷଣ କର ଯୋଗଦେଇ ସହରର ସମୃଦ୍ଧ ସଂସ୍କୃତି ଉପରେ ଆଲୋକପାତ କରିବା ସହ ଏଭଳି ପାରମ୍ପରିକ ଉତ୍ସବ ସମସ୍ତଙ୍କ ମଧ୍ୟରେ ଭାଇଚାରା ବୃଦ୍ଧି କରେ ବୋଲି କହିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ସରିତା ସାହୁ, କାଉନସିଲର ରଶ୍ମିତା ସିଂହ, ପୂଜା କମିଟି ସଭାପତି ସୁବାସ କୁମାର ଚାନ୍ଦ ଏବଂ ସମ୍ପାଦକ ନିଗମାନନ୍ଦ ସାହୁ ଉପସ୍ଥିତଥିଲେ। ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, ପ୍ରଶାନ୍ତ ସିଂହ, ବିବେକାନନ୍ଦ ମହାରଣା, ଯୁଗଳ କିଶୋର ଦାସ ଓ ରଞ୍ଜନ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କମିଟି ସଦସ୍ୟ ପ୍ରଫୁଲ୍ଲ କୁମାର ସାହୁ, କୁଳମଣି ବେହେରା, ସମାଜସେବୀ ସମୀର କୁମାର ଚାନ୍ଦ, ରଘୁ ଦଳାଇ, ବାଇଆ ସାହୁ, ଜଗା ସାହୁ, ଭାବଗ୍ରାହୀ ମହାପାତ୍ର, ଭାଗିରଥୀ ସାହୁ, କୁଞ୍ଜ ବିହାରୀ ଭଗତ, ଚିତ୍ତରଞ୍ଜନ ଭଗତ, ସୁରେନ୍ଦ୍ର ମଣ୍ଡଳ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ଅଶୋକ ମଣ୍ଡଳ, ନରେନ୍ଦ୍ର ସାହୁ, କବିଲା ମଣ୍ଡଳ, ରୁଦ୍ର ମହାପାତ୍ର, ଲିଟୁ ମହାପାତ୍ର, କାବୁ ଭଗତ, ବାବୁ ଭଗତ, କଲ୍ୟାଣ ଭଗତ, ରିଙ୍କୁ ଭଗତ ଏବଂ ଯୁଗଳ ବେହେରାଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା,ବୁଦ୍ଧିଜୀବୀ ଓ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ପୂଜା କମିଟିର ୮୫ତମ ବାର୍ଷିକୀ ଅବସରରେ ଏଭଳି ସୁବର୍ଣ୍ଣ ମୁକୁଟ ଅର୍ପଣ ପୂଜାର ଐତିହ୍ୟକୁ ଆହୁରି ମହିମାମଣ୍ଡିତ କରିଛି। ଶେଷରେ ସମସ୍ତ ଅତିଥି, କାରିଗର ଓ ସହଯୋଗୀଙ୍କୁ କମିଟି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।
