
ପଟ୍ଟାମୁଣ୍ଡାଇ ୨୧/୭ -ଶ୍ରାବଣ ମାସରେ ବିଭିନ୍ନ ଶୈବ ପୀଠରେ ଜଳାଭିଷେକ କରିବା ବୋଲବମ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ସାରା ରାଜ୍ୟର ବିଭିନ୍ନ ଅଂଚଳରେ ସକାଳ ଠାରୁ ରାତ୍ରୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବୋଲବମ ଭକ୍ତଙ୍କ ଶୋଭାଯାତ୍ରା ଚାଲିଥାଏ । ବୋଲବମ ଭକ୍ତମାନେ ଶୁଦ୍ଧପୁତ ଭାବେ ନୂତନ ଗେରୁଆ ବସ୍ତ୍ର ପରିଧାନ କରିବା ସହିତ କାନ୍ଧରେ ପାଣି ଭରା କଳସୀ ଧରି ଶୋଭାଯାତ୍ରାରେ ବିଭିନ୍ନ ଶୈବ ପୀଠକୁ ଯାତ୍ରା କରିଥାନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଂଚଳରେ ବୋଲବମ ଭକ୍ତଙ୍କ ଶୋଭାଯାତ୍ରା । ବିଭିନ୍ନ ଶୈବ ପୀଠରେ ଜଳାବିଷେକ କରି ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରି ମାନସିକ ପୂରଣ କରିଥାନ୍ତି । ଭଦ୍ରକ ଜିଲା ଆରଡ଼ି ଠାରେ ଥିବା ଆଖଣ୍ଡଳମଣି ମନ୍ଦିରରେ ଜଳାଭିଷେକ ପାଇଁ ବୋଲବମ ଭକ୍ତଙ୍କ ଅସମ୍ଭବ ଭିଡ଼ ଲାଗିରହିଛି । କେନ୍ଦ୍ରାପଡ଼ା ଜିଲାର ସର୍ବପୁରାତନ ତଥା ପଟ୍ଟାମୁଣ୍ଡାଇ ଅଂଚଳର ପ୍ରସିଦ୍ଧ ଶୈବ ପୀଠ ହରପାର୍ବତୀ ମନ୍ଦିରରେ ବୋଲବମ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ, ଆଳି, ରାଜନଗର, ରାଜକନିକା, କେନ୍ଦ୍ରାପଡ଼ା, ମହାକାଳପଡା ବ୍ଲକ ଅଂଚଳ ଶହ ଶହ ବୋଲବମ ଭକ୍ତ ପ୍ରଭୁ ହରପାର୍ବତୀ ନିକଟରେ ଜଳାଭିଷେକ ପାଇଁ ଭିଡ଼ ଲଗାଇ ଥିବା ଦେଖିବାକୁ ମିଳିଛି । ମନ୍ଦିର ମୁଖ୍ୟପୂଜକ କାଉନସିଲର ମୃତ୍ୟୁଞ୍ଜୟ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲାର ବିଭିନ୍ନ ଅଂଚଳର ପୁରୁଷ ମହିଳା, ଯୁବକ ଯୁବତୀ ଓ ପିଲାମାନେ ସାମିଲ ହୋଇ ହରପାର୍ବତୀଙ୍କ ନିକଟରେ ଜଳାଭିଷେକ କରିଥିଲେ । ବୋଲବମ ଭକ୍ତମାନଙ୍କ ଜଳାଭିଷେକ ପାଇଁ ଚନ୍ଦନନଗରସ୍ଥ ଚନ୍ଦ୍ରମଉଳି ଶୈବ ପୀଠରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସେହିପରି ପଟ୍ଟାମୁଣ୍ଡାଇ ପୌରାଂଚଳର ପ୍ରମୁଖ ଶୈବ ପୀଠ ହରପାର୍ବତୀମନ୍ଦିରରେ ଜଳାଭିଷେକ କରିବା ପାଇଁ ଦିବାରାତ୍ର ଭକ୍ତଙ୍କ ଭିଡ଼ ଲାଗିରହିଛି । ଜଳାଭିଷେକ ପାଇଁ ପୋଖରୀଆପଡା ହରପାର୍ବତୀ ମନ୍ଦିରର ସ୍ୱତନ୍ତ୍ର ମହିମା ଥିବାରୁ ଏଠାରେ ବୋଲ ବମ ଭକ୍ତଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି ।
