ପାରମ୍ପରିକ ବାଦ୍ୟର ଧ୍ୱନିରେ କମ୍ପୁଛି ପଟ୍ଟାମୁଣ୍ଡାଇ
ଭାବବିହ୍ୱଳ ହେଉଛନ୍ତି ଭକ୍ତ
ବାଲିପଡା କାଠପାଇ ଅସ୍ଥାୟୀ ପୋଖରୀରେ ହେଉଛି ବିସର୍ଜ୍ଜନ

ପଟ୍ଟାମୁଣ୍ଡାଇ ୨୨/୧୦ – ଜଗତଜନନୀ ମା’ ଦୁର୍ଗାଙ୍କର ଧରାପୃଷ୍ଠରୁ ମେଲାଣି ନେବା ସହିତ କେନ୍ଦ୍ରାପଡା ଜିଲାର ପ୍ରସିଦ୍ଧ ଆଧ୍ୟାତ୍ମିକ ସହର ପଟ୍ଟାମୁଣ୍ଡାଇରେ ଚଳିତ ବର୍ଷର ଗୁରୁବାର ପବିତ୍ର ଏକାଦଶୀ ତିଥିରେ ସହରର ବିଭିନ୍ନ ପୂଜାମଣ୍ଡପରେ ପୂଜା ପାଉଥିବା ମୃଣ୍ମୟୀ ମୂର୍ତିଗୁଡ଼ିକର ବିସର୍ଜନ ପର୍ବ ଅତ୍ୟନ୍ତ ଭକ୍ତିପୂତ ଓ ଶୃଙ୍ଖଳିତ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଢୋଲ, ବାଜା, ଘଂଟାଘଂଟ, ଦୁଲଦୁଲି ଓ ସିଙ୍ଘବାଜାର ପ୍ରତିଧ୍ୱନିରେ ସାରା ସହରର ପରିବେଶ ଆଧ୍ୟାତ୍ମିକ ଓ ଉତ୍ସବମୁଖର ହୋଇଉଠିଥିଲା।

ଚଳିତ ବର୍ଷ ୪ ଦିନର ଶାରଦୀୟ ଦୁର୍ଗା ପୂଜା ପରେ ମା’ଙ୍କର ପବିତ୍ର ଭସାଣି ଉତ୍ସବ ଗୁରୁବାର ଅନୁଷ୍ଠିତ ହେଉଛି। ଧରାପୃଷ୍ଠରେ ଧନଧାନ୍ୟ, ଶାନ୍ତି ଓ ମଙ୍ଗଳର ଆଶୀର୍ବାଦ ପ୍ରଦାନ କରି ମା’ ଦୁର୍ଗା ନିଜର ମର୍ତ୍ୟଲୀଳା ସାଙ୍ଗ କରି ମେଲାଣି ନେଉଛନ୍ତି । ପ୍ରଶାସନ ଓ ସ୍ଥାନୀୟ ପୂଜା କମିଟିମାନଙ୍କ ମିଳିତ ପ୍ରୟାସରେ ଏହା ଏକ ସମ୍ପୂର୍ଣ୍ଣ ଡିଜେ ମୁକ୍ତ ଏବଂ ନିଶାମୁକ୍ତ ଭସାଣି ଭାବେ ପାଳିତ ହୋଇଥିଲା। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଏବଂ ପରମ୍ପରାକୁ ରକ୍ଷା କରିବା ପାଇଁ ଗୁରୁବାର ପୁର୍ବାହ୍ନରୁ ପ୍ରାୟତଃ ମେଢ଼ଗୁଡ଼ିକୁ ପଟ୍ଟାମୁଣ୍ଡାଇ କେନାଲ ତଥା ବାଲିପଡା କାଠପାଇ ଠାରେ କରାଯାଇଥିବା କୃତ୍ରିମ ପୋଖରୀରେ ବିସର୍ଜନ କରାଯାଇଥିଲା।

ଗୁରୁବାର ପୂର୍ବାହ୍ନରୁ କଚେରୀ ଦୁର୍ଗା, ପୋଖରୀଆପଡା ଦୁର୍ଗା, ଲକ୍ଷ୍ମୀନାରାୟଣ, ଗୃହଲକ୍ଷ୍ମୀ, ନିତାଇ ଗୌର, ହରଗୌରୀ, ମା’ ଗାୟତ୍ରୀ, ମା’ ସନ୍ତୋଷୀ, ମା’ ଅନ୍ନପୂର୍ଣ୍ଣା, ସୂର୍ଯ୍ୟଦେବତା, ନୃସିଂହନାଥ, କୃଷ୍ଣ ବଳରାମ, ହରଗୌରୀ ଏବଂ ରାଧାକୃଷ୍ଣ ଆଦି ପ୍ରମୁଖ ମେଢ଼ଗୁଡ଼ିକ ଶୋଭାଯାତ୍ରାରେ ବାହାରି ଥିଲେ। ପାରମ୍ପରିକ ବାଦ୍ୟର ତାଳେ ତାଳେ ଯୁବକ ଓ ଶ୍ରଦ୍ଧାଳୁମାନଙ୍କର ନାଚଗୀତ ପରିବେଶ ଯାଇ ବିସର୍ଜିତ ହୋଇଥିଲେ। ପୂର୍ବାହ୍ନରୁ ଆରମ୍ଭ ହୋଇଥିବା ଏହି ଭସାଣି ଶୋଭାଯାତ୍ରା ରାତି ପର୍ଯ୍ୟନ୍ତ ନିରନ୍ତର ଚାଲିଥିଲା।

ରାତିରେ ସହରର ବିଭିନ୍ନ ପ୍ରମୁଖ ରାସ୍ତାରେ ବଙ୍ଗଳୀଦେବୀ, ମା’ ଶାରଳା, ମହାବୀର ଓ ଲକ୍ଷ୍ମୀବରାହଙ୍କ ସହ ଅନ୍ୟ ମେଢମାନଙ୍କର ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ରାସ୍ତାଘାଟରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା। ମା’ଙ୍କ ଆଗରେ ପାରମ୍ପରିକ ନୃତ୍ୟ ଓ ବାଦ୍ୟର ପ୍ରଦର୍ଶନ ସହରବାସୀଙ୍କୁ ମୋହିତ କରିଥିଲା। ଚଳିତ ବର୍ଷର ଶାନ୍ତିଶୃଙ୍ଖଳାପୂର୍ଣ୍ଣ ଓ ନିଶାମୁକ୍ତ ଭସାଣି ପଟ୍ଟାମୁଣ୍ଡାଇ ସହରବାସୀଙ୍କ ପାଇଁ ଏକ ସ୍ମରଣୀୟ ଅନୁଭବ ହୋଇ ରହିବ ବୋଲି ବୁଦ୍ଧିଜିବୀ ମାନେ ପ୍ରକାଶ କରିବା ସହ ସ୍ଥାନୀୟ ପ୍ରଶାସନଙ୍କୁ ସାଧୁବାଦ ଜଣାଇଥିଲେ । ଧରାପୃଷ୍ଠରୁ ମା’ଙ୍କ ବିଦାୟ ସମୟରେ ସମସ୍ତେ ଆଶୀର୍ବାଦ ଭିକ୍ଷା କରିଥିଲେ ।
ବଙ୍ଗାଳୀସାହି ମା’ ଦୁର୍ଗାଙ୍କ ବିସର୍ଜନ : କନକ ଅଞ୍ଜୁଳି ସହ ଦିଆଗଲା ମେଲାଣି

ପଟ୍ଟାମୁଣ୍ଡାଇ-ଧରାପୃଷ୍ଠରେ ଧନଧାନ୍ୟ, ଶାନ୍ତି ଓ ମଙ୍ଗଳର ଆଶୀର୍ବାଦ ପ୍ରଦାନ କରି ମା’ ଦୁର୍ଗା ଆଜି ବିଦାୟ ନେଇଛନ୍ତି। ଏହି ଅବଶରରେ ପଟ୍ଟାମୁଣ୍ଡାଇ ଅଂଚଳରେ ଏକ ଭାବବିହ୍ୱଳ, କରୁଣ ଓ ଆବେଗମୟ ପରିବେଶ ସୃଷ୍ଟି ହୋଇଥିଲା। ବିଶେଷକରି ଗୁରୁବାର ମଧ୍ୟାହ୍ନରେ ପଟ୍ଟାମୁଣ୍ଡାଇ ବଙ୍ଗାଳିଦେବୀଙ୍କ ନିକଟରେ ଦେଖିବାକୁ ମିଳିଥିଲା ଏକ ଅତ୍ୟନ୍ତ ମର୍ମସ୍ପର୍ଶୀ ଦୃଶ୍ୟ । ଯାହା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଥିଲା। ଝିଅଟିଏ ବିବାହ ପରେ ଶାଶୁଘରକୁ ଯିବା ବେଳେ ବାପଘର ଲୋକଙ୍କର ଯେପରି କାନ୍ଦବୋବାଳି ପଡ଼େ ଏବଂ ତା”ର ମଙ୍ଗଳ କାମନା ପାଇଁ କନକ ଅଞ୍ଜୁଳି ପ୍ରଦାନ କରାଯାଏ । ଠିକ୍ ସେହିପରି ପରମ୍ପରା ବଙ୍ଗାଳୀସାହିଦେବୀଙ୍କ ନିକଟରେ ଦେଖିବାକୁ ମିଳିଥିଲା। ବଙ୍ଗୀୟ ମହିଳାମାନେ ସେମାନଙ୍କ ଘରର ଝିଅ ସଦୃଶ ମା’ ଦୁର୍ଗାଙ୍କୁ ବିଦାୟ ଦେଲାବେଳେ ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ିଥିଲେ। ସେମାନେ ମା’ଙ୍କ ଚତୃପାଶ୍ୱର୍ରେ ପରିକ୍ରମା କରିବା ସହିତ କନକ ଅଞ୍ଜୁଳି ପ୍ରଦାନ କରି ଆଶୀର୍ଷାଦ ଭିକ୍ଷା କରିଥିଲେ। ଏହି ସମୟରେ ମହିଳାମାନଙ୍କ କୋହ ଏବଂ ମା’ଙ୍କୁ ବିଦାୟ ଦେବାର ଯନ୍ତ୍ରଣା ସମଗ୍ର ପରିବେଶକୁ ଅଶ୍ରୁଳ କରି ପକାଇଥିଲା। ଏହି ଆବେଗମୟ ମୁହୂର୍ତରେ ଉପସ୍ଥିତ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଖି ଲୁହରେ ଛଳଛଳ ହୋଇଯାଇଥିଲା। ପରେ ଏକ ବିରାଟ ମେଲାଣି ଶୋଭାଯାତ୍ରା ବାହାରିଥିଲା। ପୂଜାମଣ୍ଡପରୁ ମା’ଙ୍କ ପ୍ରତିମା ବିସର୍ଜନ ପାଇଁ ବାହାରିବା ସମୟରେ ପୂରା ପରିବେଶ ଶୋକାକୁଳ ହୋଇପଡ଼ିଥିଲା। ଆସନ୍ତା ବର୍ଷ ପୁଣିଥରେ ଆସିବ ଏହି କୋହଭରା ଆଶା ଓ ବିଷାଦର ବାତାବରଣ ଭିତରେ ଶହ ଶହ ଭକ୍ତ ମେଲାଣି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
ସେହିପରି ନିକିରାଇରେ ମା ଦୁର୍ଗାଙ୍କ ଭସାଣୀ ଉତ୍ସବ

କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଶ୍ଚିମ ନିକିରାଇ ସ୍ଥିତ ବନଦୁର୍ଗା ପୂଜା କମିଟି ଆନୁକୁଲ୍ୟରେ ବନଦୁର୍ଗା ପୂଜା ମଣ୍ଡପରେ ଆୟୋଜିତ ଦୁର୍ଗାପୂଜା ଷଷ୍ଠି ତିଥିରୁ ଆରମ୍ଭ ହୋଇ ଦଶମୀ ପର୍ୟ୍ୟନ୍ତ ମହା ସମାରୋହରେ ପାଳିତ ହୋଇଅଛି । ଅଞ୍ଚଳର ସର୍ବପୁରାତନ ପ୍ରାୟ ୨୫୦ ବର୍ଷରୁ ଉର୍ଦ୍ଧ୍ୱ ସମୟଧôର ଗ୍ରାମବାସୀଙ୍କର ସମୂହ ସହ ଯୋଗରେ ଦୁର୍ଗାପୂଜା ହୋଇଥାଏ । ନିକିରାଇର ଦିନ ଯାତ୍ରା ପ୍ରସିଦ୍ଧ ଥିଲା, ଏହା ପୂଜା କମିଟି ଦ୍ୱାରା ଦୁଇ ତିନି ରାତି ପୂଜା ମଣ୍ଡପ ପଡିଆରେ ଓଡିଶାର ସୁନାମଧନ୍ୟ ଯାତ୍ରା ପାଟି ନାଟକ ପରିବେଷଣ କରୁଥିଲେ । କିନ୍ତୁ ଗତ କିଛି ଦଶନ୍ଧି ଧରି ଗ୍ରାମର ଯୁବକ ମାନେ ନାଟକ ଶିଖି ନାଟ୍ୟଗୁରୁ ଶିକ୍ଷାବିତ୍ ପ୍ରଫୁଲ କୁମାର ଜେନାଙ୍କ ନିର୍ଦ୍ଧେଶନାରେ ଯାତ୍ରା ପରିବେଷଣ କରିଛନ୍ତି ଦୁର୍ଗାମଣ୍ଡପ ସଭାପତି ଗୋବିନ୍ଦ ଚନ୍ଦ୍ର ଜେନା, ସଂପାଦକ ପ୍ରସନ୍ନ କୁମାର ଜେନା ଓ ଗ୍ରାମ୍ୟ ମୂରବି ଅଦ୍ୱେତ ବଲ୍ଲବ ଜେନା, କାହ୍ମୁ ଚରଣ ଜେନା, ଭରତ ଚନ୍ଦ୍ର ଜେନା, ବିବେକାନନ୍ଦ ଜେନା, ବାସୁ ଦେବ ଜେନା, ଦୁଷ୍ମନ୍ତ କୁମାର ଜେନା, ଗଜେନ୍ଦ୍ର ନାଥ ଜେନା ପ୍ରମୁଖଙ୍କ ନେତୃତ୍ୱରେ ଦୁର୍ଗାପୂଜା ପାଆନ୍ତି ଶୃଙ୍ଖଳାର ସହ ସମାହିତ ହୋଇଅଛି । ଦୈନିକ ସନ୍ଧ୍ୟାରେ ପୂଜା ମଣ୍ଡପ ଠାରେ ଆଖପାଖ ଅଞ୍ଚଳରୁ ଜହାର ଜହାର ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ପାଇଁ ଆସିଥାନ୍ତି । ଦଶହରା (ଦଶମୀ ତିଥିରେ)ବାଜା, ବାଣ ରୋଷଣି ସହ ଯାତ୍ରା କରି ଗ୍ରାମବାସୀ ମାନେ ଅଶ୍ରୁଳ ମନରେ ମାନଙ୍କୁ ବିସର୍ଜନ ଦେବା ସହ ଆସନ୍ତା ବର୍ଷକୁ ମା’ଙ୍କ ଆଗମନକୁ ଅପେକ୍ଷା କରିଥାନ୍ତି । ଦେଶ ବିଦେଶରେ ରହିଥିବା ଗ୍ରାମର ଯୁବକ ମାନଙ୍କ ସହ ପରିବାର, ବନ୍ଧୁ ବାନ୍ଦବ ଆତ୍ମିୟ ସ୍ୱଜନ ସମସ୍ତେ ଦୁର୍ଗାପୂଜା ପାଇଁ ଗ୍ରାମକୁ ଆସି ନିଜନିଜ ମଧ୍ୟରେ ଭାଇଚାରା ସୁଦୃଢ କରିବା ସହ ସଂହତି ବଜାର ରଖିଥାନ୍ତି । ଚଳିତ ବର୍ଷ ସରକାରଙ୍କ ଦ୍ୱାରା ପ୍ରାଚୀନ ପୂଜା ମଣ୍ଡପକୁ ଅର୍ଥରାଶି ପ୍ରଦାନର ବ୍ୟବସ୍ଥାରେ ଉକ୍ତ ମଣ୍ଡପ ଏକ ଶହ ବର୍ଷରୁ ଉର୍ଦ୍ଧ୍ୱ ରୂପେ ମାନ୍ୟତା ପ୍ରଦାନ ପୂର୍ବକ ଏକ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରିଛନ୍ତିା ।
